ଚୋରି ମାମଲା‌ରେ ନଣ୍ଡାକୁ ୩ ବର୍ଷ ଜେଲ୍‌: ଆହୁରି ଅଛି ୫୦ରୁ ଅଧିକ

ଭୁବନେଶ୍ବର: କୁଖ୍ୟାତ ସିନ୍ଧିଚୋର ନିରଞ୍ଜନ ସ୍ବାଇଁ ଓରଫ୍ ନଣ୍ଡା(୪୨)କୁ ଏକ ସ୍କୁଟି ଚୋରି ମାମଲାରେ ୩ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି-୧ କୋର୍ଟ ନଣ୍ଡାକୁ ୩ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। କିନ୍ତୁ ନଣ୍ଡା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଆହୁରି ୫୦ରୁ ଅଧିକ ମାମଲା ରହିଛି। ସିନ୍ଧିଚୋରି ସହ ନଣ୍ଡା ନାଁରେ ମହିଳାଙ୍କୁ ଅସଦାଚରଣ କରିବା ଭଳି ସଂଗିନ୍‌ ଅଭିଯୋଗ ବି ରହିଛି।

ସୂଚନା ମୁତାବକ, ଗତ ମାର୍ଚ୍ଚ ୨୬ ତାରିଖ ରାତିରେ ନଣ୍ଡା ତମାଣ୍ଡୋ ଥାନା ଶ୍ରୀପତିବିହାରର ପ୍ରଦୀପ ପଣ୍ଡାଙ୍କ ଘରେ ପଶି ତାଙ୍କ ସ୍କୁଟି ନେଇଯାଇଥିଲା। ଏନେଇ ତମାଣ୍ଡୋ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଏହି ମାମଲାରେ ଏପ୍ରିଲ୍‌ ୩ ତାରିଖରେ ପୁଲିସ ନଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୮ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଦସ୍ତାବିଜକୁ ଆଧାର କରି କୋର୍ଟ ନଣ୍ଡାକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ଏଏସ୍‌ଆଇ ସଂଯୁକ୍ତା ବେହେରା ମାମଲାର ତଦନ୍ତ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ସହକାରୀ ପିପି ବିଜୟ କୁମାର ବାରିକ ମାମଲା ପରିଚାଳନା କରୁଥିଲେ। ତଦନ୍ତ ଅଧିକାରୀ ନଣ୍ଡାର ଆପରାଧିକ ଇତିହାସ ଯାଞ୍ଚ କଲା ବେଳେ ଜାଣିବାକୁ ପାଇଥିଲେ ଯେ ସେ ଜଣେ କୁଖ୍ୟାତ ଅପରାଧୀ।

ପୁରୀ ଜିଲ୍ଲା ଅସ୍ତରଙ୍ଗର ନଣ୍ଡା ଓ ତା’ର ଶଳା ନାଲୁ ୨୦୧୨ ମସିହାରୁ ରାଜଧାନୀରେ ଲୁଟ୍‌ପାଟ କରି ପୁଲିସ ନିଦ ହଜାଇ ଦେଇଥିଲେ। ଦିନରେ ରେକି କରି ନଣ୍ଡା ବିଭିନ୍ନ ଘରକୁ ଟାର୍ଗେଟ୍‌ କରୁଥିଲା। ବିଶେଷକରି ଯେଉଁ ଘରେ ପୁରୁଷ ରହୁନଥିଲେ, ନଣ୍ଡା ସେହି ଘରକୁ ଟାର୍ଗେଟ୍‌ କରି ରାତିରେ କବାଟ ଝରକା ତାଡ଼ି ପଶିଯାଉଥିଲା। ଏକାକୀ ଥିବା ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରୁଥିଲା ଏବଂ ଅସଦାଚରଣ କରୁଥିଲା। ପ୍ରତିବାଦ କଲେ ସେ ମହିଳାଙ୍କୁ ରକ୍ତାକ୍ତ କରୁଥିଲା। ଖଣ୍ଡଗିରି, ଭରତପୁର, ତମାଣ୍ଡୋ ଥାନା ଅଞ୍ଚଳରେ ନଣ୍ଡା ବେଶି କାଣ୍ଡ କରିଛି। ପୁଲିସ ତାକୁ ବାରମ୍ବାର କୋର୍ଟ ଚାଲାଣ କରୁଥିଲେ ବି ସେ ଜାମିନ‌ରେ ଆସି ପୁଣି ଅପରାଧ ଘଟାଉଥିଲା।

ସମ୍ବନ୍ଧିତ ଖବର