ମା’ ଆସୁଛନ୍ତି: ଦ୍ବାରକାନଗରରେ ବିରାଜିବେ ଦେବୀ

ପୁରୁଣା ଷ୍ଟେସନ ବଜାର

ଭୁବ‌ନେଶ୍ବର: ଗତବର୍ଷ ବାରଣାସୀ ଗଙ୍ଗାଘାଟ ତୋରଣ କରି ରାଜଧାନୀରେ ପ୍ରଶଂସା ସାଉଁଟିଥିବା ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ସମିତି ଚଳିତ ବର୍ଷ ମଧ୍ୟ ପୁଣି ଏକ ପୌରାଣିକ କଥାବସ୍ତୁର ଅବତାରଣ କରୁଛି। ଏଥର ସାଗରବେଷ୍ଟିତ ଦ୍ବାରିକାନଗରୀରେ ଦେବୀ ବିରାଜମାନ କରିବେ। ମଣ୍ଡପ ଦ୍ବାରିକାନଗରୀର ନକଲରେ ନିର୍ମାଣ ହେଉଥିବା ବେଳେ ତୋରଣ କୋଲକାତା ୱେଲ୍‌କମ୍ ଢାଞ୍ଚାରେ କରାଯାଉଛି। ବଙ୍ଗୀୟ ଓ ଓଡ଼ିଆ କାରିଗରମାନେ ଏହି ନିର୍ମାଣ କାମରେ ମାସକ ପୂର୍ବରୁ ଲାଗିପଡ଼ିଛନ୍ତି। ମଣ୍ଡପରେ ବିଷ୍ଣୁଙ୍କ ଅନନ୍ତ ଶୟନ ମୁଦ୍ରା ସହିତ ସମୁଦ୍ରଗର୍ଭରେ ବୁଡ଼ିଯାଇଥିବା ବିଭିନ୍ନ ଅଟ୍ଟାଳିକା ଓ ସାମୁଦ୍ରିକ ଜୀବଜନ୍ତୁଙ୍କ ନକଲ ଶୋଭାପାଇବ। ମଣ୍ଡପ ଓ ତୋରଣ ଦୈର୍ଘ୍ୟ ୧୫୪ ଫୁଟ୍‌ ଓ ଉଚ୍ଚତା ୪୦ ଫୁଟ୍‌ ହେବ।

ଏଥର ପୂଜା ବଜେଟ୍ ୬୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ମା’ଙ୍କ ଚାନ୍ଦିମେଢ଼ ଅନ୍ୟତମ ଆକର୍ଷଣ ସାଜିବ। ସେହିଭଳି ମା’ ମହିଷାମର୍ଦ୍ଦିନୀ ଦୁର୍ଗା ସୁନାର ବିଭିନ୍ନ ଅଳଙ୍କାରରେ ବିଭୂଷିତା ହେବେ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି। ସବୁବର୍ଷ ଭଳି ପୂଜା ବିଧି ପାଳିତ ହେବ। ସପ୍ତମୀ ତିଥିଠାରୁ ଅଷ୍ଟମୀ ଯାଏ ମା’ଙ୍କ ନିକଟରେ ଚରୁ ଅନ୍ନ ଭୋଗଲାଗି କରାଯିବ। ଦଶମୀରେ ଦହିପଖାଳ ଲାଗିହେବ ଏବଂ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ। ପୂଜାରେ ପାରମ୍ପରିକ ବିଧି ପାଳନ କରାଯିବା ଭଳି ଭସାଣିରେ ବି ପାରମ୍ପରିକ ବାଦ୍ୟ ବାଜିବ। ସୁରକ୍ଷା ଓ ଭିଡ଼କୁ ଆଖିରେ ରଖି ୫୦ରୁ ଅଧିକ ସିସି କ୍ୟାମେରା ଲଗାଯିବ ଏବଂ ସେସବୁକୁ କମିସନରେଟ୍ ପୁଲିସର କ୍ୟାମେରା ସହ ଅନ୍‌ଲାଇନ୍‌ରେ ସଂଯୋଗ କରାଯିବା ପାଇଁ ଯୋଜନା କରାଯାଇଛି। ପୂଜାକୁ ପ୍ରଦୂଷଣମୁକ୍ତ କରିବାକୁ ସବୁପ୍ରକାର ଚେଷ୍ଟା କରାଯାଉଛି। ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ପୂରା ବନ୍ଦ କରାଯାଇଛି।

ସ୍ବତନ୍ତ୍ର ଭାବେ ମହିଳା ସ୍ବେଚ୍ଛାସେବୀ ନିୟୋଜିତ
ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳା ଶ୍ରଦ୍ଧାଳୁମାନେ ଯେଭଳି ମା’ଙ୍କୁ ଶୃ୍ଙ୍ଖଳା ଓ ସୁରକ୍ଷାର ସହ ଦର୍ଶନ କରିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ପୁରୁଷ ଓ ମହିଳାଙ୍କୁ ମିଶାଇ ୨୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ମହିଳା ସ୍ବେଚ୍ଛାସେବୀମାନେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରତି ଯେତିକି ଯତ୍ନବାନ ହେବେ, ବରିଷ୍ଠ ନାଗରିକମାନଙ୍କୁ ସେତିକି ସହଯୋଗ କରିବେ। ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯିବ। ସନ୍ଧ୍ୟା ବେଳେ ଭିଡ଼ରେ ସମସ୍ତ ସ୍ବେଚ୍ଛାସେବୀ ଦର୍ଶକଙ୍କୁ ସହଯୋଗ କରିବାକୁ ସଜାଗ ରହିବେ।
ଗଣେଶ ପ୍ରସାଦ ସାହୁ, ସଭାପତି

ଭସାଣିରେ ରାଜସ୍ଥାନ ଅଘୋରି ନୃତ୍ୟ ଓ ମୁମ୍ବାଇ ଢୋଲ
ଏଥର ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ୪ ଦିନ ଲାଗି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ବର ଓ କଟକର ନାମୀଦାମୀ କଳାକାରମାନେ ଏଥିରେ ଯୋଗ ଦେବେ। ଭସାଣ ଉତ୍ସବରେ ପାରମ୍ପରିକ ବାଦ୍ୟଯନ୍ତ୍ର ବାଜିବ। ରାଜସ୍ଥାନର ଅଘୋରି ନୃତ୍ୟ ଓ ମୁମ୍ବାଇ ‌ଢୋଲ ଭସାଣିରେ ସ୍ବତନ୍ତ୍ର ଆକର୍ଷଣ ହେବ।
ଦୀପକ କୁମାର ଜେନା, ସମ୍ପାଦକ

ସମ୍ବନ୍ଧିତ ଖବର