ଭୁବନେଶ୍ବରରେ ଦୁର୍ଗାପୂଜା: ରାମକୃଷ୍ଣ ମଠରୁ ଆରମ୍ଭ, ଭାଗବତ ଟୁଙ୍ଗିରେ ପ୍ରଥମ ମୃଣ୍ମୟୀ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର: ଭୁବନେଶ୍ବରରେ ବିଜୟା‌ ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର ପରଂପରା ବହୁ ପ୍ରାଚୀନ। ବହୁ ପୂର୍ବରୁ ଚାଳଘରେ ଆରମ୍ଭ ହୋଇଥିଲା ପୂଜା। ପ୍ରାକ୍‌ ସ୍ବାଧୀନତା କାଳରୁ, ଅର୍ଥାତ୍ ରାଜଧାନୀ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ପୁରୁଣା ଭୁବନେଶ୍ବରର ବିଭିନ୍ନ ସାହିରେ ଦୁର୍ଗାପୂଜା ହୋଇଆସୁଛି। ରାଜଧାନୀରେ ଦୁର୍ଗାପୂଜା ୧୯୩୬ ମସିହାରେ ରାମକୃଷ୍ଣ ମଠ ପ୍ରଥମେ ଆରମ୍ଭ କରିଥିଲା ବୋଲି କୁହାଯାଏ। ମଠର ବଙ୍ଗୀୟ ଅନ୍ତେବାସୀମାନେ ସେଠାରେ ଦୁର୍ଗାପୂଜା କରିଥିଲେ। ସେମାନଙ୍କୁ ଦେଖି ପୁରୁଣା ଭୁବନେଶ୍ବରର କିଛି ସାହିରେ ଭାଗବତ ଟୁଙ୍ଗୀରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଚିତ୍ର ବଦଳି ଯାଇଛି। ବେଶ୍‌ କିଛି ବର୍ଷ ହେଲା ଏହି ପୂଜାରେ ପୁରୁଣା ଭୁବନେଶ୍ବରର ଆଧିପତ୍ୟ ଆଉ ନାହିଁ। ପୁରୁଣା ଭୁବନେଶ୍ବରରୁ ଆରମ୍ଭ ହୋଇଥିଲେ ହେଁ ଜାକଜମକ ଓ ସାଜସଜ୍ଜାରେ ରାଜଧାନୀର ଅନ୍ୟାନ୍ୟ କମିଟି ଦ୍ବାରା ହେଉଥିବା ଦୁର୍ଗାପୂଜା ଏହାଠାରୁ ବେଶ୍ ଆ‌ଗରେ ଅଛନ୍ତି।

ପୁରୁଣା ଭୁବନେଶ୍ବର ଅଞ୍ଚଳର ମୁରବି କାଶିନାଥ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ, ରାମକୃଷ୍ଣ ମଠରେ ପ୍ରଥମେ ବଙ୍ଗୀୟ ଅନ୍ତେବାସୀମାନେ ଏହି ପୂଜା ଆରମ୍ଭ କରିଥିଲେ। ନବମୀ ତିଥିରେ ସ୍ଥାନୀୟ ଅଞ୍ଚଳର ଶୁଦ୍ଧପୂତ କୁମାରୀମାନଙ୍କୁ ଏହି ପୂଜା ପାଇଁ ମଠ ପକ୍ଷରୁ ଡକାଯାଉଥିଲା। ୧୯୩୬ ମସିହାରେ ମଠରେ ଆରମ୍ଭ ହୋଇଥିବା ଏହି ପୂଜାକୁ ଦେଖି ବ୍ରାହ୍ମଣସାହି ଭାଗବତ ଗୃହରେ ଦଶହରା ପୂଜା ଆରମ୍ଭ ହୋଇଥିଲା। ଏହାର ୨ବର୍ଷ ପରେ ଜମେଶ୍ବରପାଟଣା ସାହି ଭାଗବତ ଗୃହରେ ଏହି ପୂଜାର ଆୟୋଜନ ହେଲା। ଏଥିରେ ବଣିଆସାହି ଓ ଅନ୍ୟ ସାହି ଲୋକମାନେ ସାମିଲ ହେଉଥିଲେ। କିନ୍ତୁ ପରେ ବଣିଆସାହି ତରଫରୁ ଅଲଗା ପୂଜାର ଆୟୋଜନ କରାଗଲା। ସେତେବେଳେ ଭାଗବତ ଟୁଙ୍ଗୀରେ ହେଉଥିବା ଏହି ପୂଜାରେ ମା’ଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଥିଲା। ତେବେ ହାଟସାହିର ମୁରବିମାନଙ୍କ କହିବା କଥା, କିଛି ବର୍ଷ ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାପାମା’ଙ୍କ ମନ୍ଦିର ନିକଟରେ ପ୍ରଥମେ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହେଲା। ବିଧି ଅନୁସାରେ ପ୍ରଥମେ ଏଠାରେ ହରପାର୍ବତୀଙ୍କୁ ପୂଜା କରାଯାଇଥିଲା। ଏହା ପ୍ରାୟ ୧୯୫୧ ମସିହାର କଥା। ତେବେ ପରବର୍ତ୍ତୀ କାଳରେ ଏହି ୪ ସାହିର ମୁରବିମାନେ ଦେବୀ ମଣ୍ଡପ ତିଆରି କରି ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କଲେ।

ଜମେଶ୍ବର ପାଟଣାସାହିର ସଭାପତି ପ୍ରସନ୍ନ କୁମାର ସ୍ବାଇଁ କହନ୍ତି, ପ୍ରାୟ ୧୯୪୭ କିମ୍ବା ୧୯୪୮ମସିହାରୁ ସାହିର ଭାଗବତ ଗୃହରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରାଯାଉଥିଲା। ୧୯୫୧/୫୨ ମସିହା ପରେ ପୁରୁଣା ଭୁବନେଶ୍ବରରେ ସ୍ବତନ୍ତ୍ର ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ସୁନ୍ଦରପଦା ଅଞ୍ଚଳର ମୁରବି ରାମକୃଷ୍ଣ ପରିଡ଼ା କହନ୍ତି, ରାଜଧାନୀ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ କେବଳ ପୁରୁଣା ଭୁବନେଶ୍ବରରେ ଦୁର୍ଗାମେଢ଼ ହେଉଥିଲା। ଏମିତିକି ନୂଆ ରାଜଧାନୀ ନିର୍ମାଣ ହେବାର ବହୁ ବର୍ଷ ପର୍ଯ୍ୟନ୍ତ ବି ଅନ୍ୟ କେଉଁଠି ଦୁର୍ଗାପୂଜା ନଥିଲା। ତେଣୁ ଲୋକେ ଦଶହରାରେ କଟକ ଯାଉଥିଲେ କିମ୍ବା ପୁରୁଣା ଭୁବନେଶ୍ବରରେ ବୁଲାବୁଲି କରୁଥିଲେ। ତେବେ ଏବେ ସେଦିନ ଆଉ ନାହିଁ। ପ୍ରାୟ ୨୦-୨୨ବର୍ଷ ହେଲା ରାଜଧାନୀର ବିଭିନ୍ନ ଅଞ୍ଚଳରେ ମହା ଆଡ଼ମ୍ବରରେ ଦୁର୍ଗାପୂଜା ହେଉଛି। ସହିଦନଗର, ନୂଆପଲ୍ଲୀ, ରସୁଲଗଡ଼, ଝାରପଡ଼ା, ପୁରୁଣା ଷ୍ଟେସନ ବଜାର, ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ହେଉଥିବା ଦଶହରା ଯାତ୍ରାରେ ପ୍ରବଳ ଭିଡ଼ ହେଉଛି। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସୁଦୃଶ ତୋରଣ ପାଇଁ ସ୍ଥାନାଭାବ ହେତୁ ଅନ୍ୟମାନେ ବିଶାଳ ତୋରଣ କରି ପୂଜା ପ୍ରତିଯୋଗିତାରେ ଆଗରେ ରହୁଛନ୍ତି ବୋଲି ଶ୍ରୀ ପରିଡ଼ା କହନ୍ତି। ସେମିତି ବରିଷ୍ଠ ପୂଜକ ସନ୍ତୋଷ ରଥ କହନ୍ତି, ପୁରୁଣା ଭୁବନେଶ୍ବରରେ ସ୍ଥାନ ଅଭାବରୁ ତୋରଣ ହୋଇପାରୁନି। ହେଲେ ଏଠାରେ ପୂଜା ଅତି ନିଷ୍ଠାର ସହିତ କରାଯାଏ।

ସମ୍ବନ୍ଧିତ ଖବର