ଘସିପୁରାରେ ବଦ୍ରି ସମର୍ଥକ ରକ୍ତମୁଖା: ସୌମ୍ୟଙ୍କ ସମର୍ଥକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବଦ୍ରି ବାବୁ ପୁଣି ହିଂସାପଥ ଆପଣାଇଲେ: ସୌମ୍ୟ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ସୀମା ଲଂଘିଛି। ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଏହାକୁ ସହ୍ୟ କରିନପାରି ପରାଜୟ ଭୟରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ସମର୍ଥକ ରକ୍ତମୁଖା ହୋଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କର ଜଣେ ସମର୍ଥକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ବସନ୍ତ ଚକ୍ର (୪୫)ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଶ୍ରୀ ଚକ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ କେନ୍ଦ୍ରକରି ସାଇଁକୁଳ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ପାଇଁ ଶ୍ରୀ ପଟ୍ଟନାୟକଙ୍କ ସମର୍ଥକମାନେ ବିଧାୟକ ବଦ୍ରିନାରାୟଣଙ୍କୁ ଦାୟୀ କରିବା ସହ ତାଙ୍କ ଇଙ୍ଗିତରେ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମରେ ଶ୍ରୀ ପଟ୍ଟନାୟକଙ୍କ ପ୍ରତି ଜନ ସମର୍ଥନ ବଢ଼ୁଛି। ଏହାକୁ ବଦ୍ରିଙ୍କ ସମର୍ଥକମାନେ ସହ୍ୟ କରିପାରୁ ନଥିଲେ। ଆଜି ସନ୍ଧ୍ୟା ସାଢ଼େ ୮ଟାବେଳେ ଶ୍ରୀ ପଟ୍ଟନାୟକଙ୍କ ସମର୍ଥକ ବସନ୍ତ ଓ ତାଙ୍କର ଦୁଇଜଣ ସହଯୋଗୀ ନିଜ କୁକୁଡ଼ା ଫାର୍ମ ଆଗରେ ଚେୟାର ପକାଇ ବସିଥିଲେ। ଶାସକ ବିଜେଡି ପ୍ରାର୍ଥୀ ବଦ୍ରିଙ୍କ ସମର୍ଥକ ଲିକୁ ଜେନା, ମନୁଆ ଦାସ, ଦୀପକ କୁମାର ଜେନା, ପବନା ବେହେରା, ବିଭୂତି ବେହେରା ଓ ଟିଟି ଜେନା ପ୍ରମୁଖ ଦୁଇଟି ଗାଡ଼ିରେ ଆସି ସେଠାରେ ପହଞ୍ଚିଥିଲେ। କିଛି ବୁଝିବା ପୂର୍ବରୁ ବସନ୍ତଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ। ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗାଡ଼ି ପୂରାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ଗୋଲକବିହାରୀ ଜେନା ଓ ଅନ୍ୟଜଣେ ସହଯୋଗୀ ତାଙ୍କୁ ଟାଣି ଆଣିବା ସହ ଡାକ ପକାଇବାରୁ ଗ୍ରାମବାସୀ ଦୌଡ଼ି ଆସିଥିଲେ। ଗ୍ରାମବାସୀଙ୍କୁ ଦେଖି ସମ୍ପୃକ୍ତ ଯୁବକମାନେ ଗାଡ଼ି ନେଇ ଫେରାର ହୋଇଯାଇଥିଲେ।

ସାଇଁକୁଳ ଡାକ୍ତରଖାନାରେ ଉତ୍ତେଜନା
ବଦ୍ରି ବାବୁ ପୁଣି ହିଂସାପଥ ଆପଣାଇଲେ: ସୌମ୍ୟ

ଗ୍ରାମବାସୀ ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ମୁହଁ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକଙ୍କ ବହୁ ସଂଖ୍ୟାରେ ସମର୍ଥକ ସାଇଁକୁଳ ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ରାମଚନ୍ଦ୍ରପୁର ଥାନା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି। ଏ ସମ୍ପର୍କରେ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ଘସିପୁରାରୁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେବା ପରଠାରୁ ହିଂସାବିହୀନ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଜିର ଘଟଣା ତାଙ୍କୁ ମର୍ମାହତ କରିଛି। ବଦ୍ରିବାବୁ ପୁଣି ତାଙ୍କର ସେହି ଚିରାଚରିତ ହିଂସାତ୍ମକ ପନ୍ଥା ଆପଣାଇଲେଣି। ଏ କ୍ଷେତ୍ରରେ ପୁଲିସଠାରୁ ସେ ନ୍ୟାୟ ପାଇବେ ବୋଲି ଆଶା ରଖି ନାହାନ୍ତି। ମୋର ସମର୍ଥକମାନେ ଭୟଭୀତ ନହୋଇ ଆସନ୍ତା ୨୫ ତାରିଖରେ ଶାନ୍ତିପୂର୍ଣ୍ଣ ଘସିପୁରା ଗଠନ ପାଇଁ ବିପୁଳ ପରିମାଣରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି। ସେହିପରି କୌଣସି ହିଂସାତ୍ମକ କାର୍ଯ୍ୟକଳାପ ନକରିବାକୁ ଶ୍ରୀ ପଟ୍ଟନାୟକ ନିଜ ସମର୍ଥକଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର