ବିଜେଡିର ମିଶ୍ରଣ ପର୍ବ : ମୁକୁନ୍ଦ ସୋଡ଼ିଙ୍କ ଘରବାହୁଡ଼ା

କଣ୍ଟାବାଞ୍ଜିର ଶତାଧିକ କଂଗ୍ରେସ-ବିଜେପି ନେତା ଓ କର୍ମୀ ବିଜେଡିରେ

ଭୁବନେଶ୍ବର : ବିଜେପି ଛାଡ଼ି ପୁଣି ଥରେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡ଼ି ବିଜେଡିରେ ଯୋଗଦେଇଛନ୍ତି। ସୋଡ଼ିଙ୍କ ସମେତ ମାଲକାନଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଦେଢ଼ଶହରୁ ଅଧିକ କଂଗ୍ରେସ ଓ ବିଜେପି ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି।

ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମାଲକାନଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ମୁକୁନ୍ଦ ସୋଡ଼ି, ଭେଙ୍କଟକଲାମ ସରପଞ୍ଚ ଦେବ ମାଡ଼କାମି, ଭେଗନବାଡ଼ା ସମିତି ସଭ୍ୟ ହରିବନ୍ଧୁ ହନ୍ତାଳ, ପଦ୍ମଗିରି ପୂର୍ବତନ ସରପଞ୍ଚ ଅର୍ଜୁନ ମାଡ଼କାମି, ବିଜେପି ନେତା ଶମ୍ବୁୁ ବାଦୋଇ, ଠାକୁର ସରକାର, ମୁଡ଼ା ମାଡ଼କାମି, ସମରେଶ ମଣ୍ଡଳ, ଶ୍ରୀନିବାସ ସରକାର, ସୁବାସ ମଣ୍ଡଳ, କିରଣ୍ମୟୀ ସରକାରଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ଶ୍ରୀ ସୋଡ଼ିଙ୍କ ସମେତ ଜିଲ୍ଲାର ସମସ୍ତ କର୍ମୀଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ କରି କହିଥିଲେ, ଶ୍ରୀସୋଡ଼ି ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସେ ବହୁତ ଖୁସି। ତାଙ୍କ ଯୋଗଦାନ ମାଲକାନଗିରି ଜିଲ୍ଲା ସହ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।

ଏହି ଅବସରରେ ଶ୍ରୀ ସୋଡ଼ି କହିଥିଲେ ବିଚ୍ଛିନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶଗତ କାର୍ଯ୍ୟଧାରାକୁ ଦେଖି ଏବଂ ମାଲକାନଗିରି ଜିଲ୍ଲାର ବିକାଶରେ ଅନୁପ୍ରାଣିତ ହୋଇ ଆଜି ପୁଣିଥରେ ମୁଁ ମୋ ଘରକୁ ଫେରିଛି। ଆଗକୁ ଜଣେ ସକ୍ରିୟ କର୍ମୀ ଭାବରେ ବିଜୁ ଜନତା ଦଳକୁ ଜିଲ୍ଲାରେ କିଭଳି ମଜବୁତ କରାଯିବ, ସେଥିପାଇଁ ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବେ ବୋଲି କହିଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଏମଡି ଆୟୁବ ଖାଁଙ୍କ ନେତୃତ୍ବରେ କଣ୍ଟାବାଞ୍ଜି, ତୁରେଇକେଲା, ମୁରିବାହାଲ ବ୍ଲକ କଂଗ୍ରେସ ଓ ବିଜେପିର ସମିତି ସଭ୍ୟ ଓ ସଭ୍ୟା, ଅନୁସୂଚିତ ଜନଜାତି ପ୍ରତିନିଧିଙ୍କ ସହ ୧୫୦ରୁ ଉର୍ଦ୍ଧ୍ବ କର୍ମୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ବିଜେଡିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲା ସଭାପତି ମାନସ ମାଡ଼କାମି, ରାଜ୍ୟ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଜିଲ୍ଲା ସଂଯୋଜକ ପ୍ରକାଶ ମହାନ୍ତି, କୃଷକ ସେଲ୍ ଜିଲ୍ଲା ସଭାପତି ସୁବାସ ବାନାର୍ଜୀ, ବିଜେଡି ନେତା ଡାନିଏଲ ପୋଟଲା, ଜିଲ୍ଲା ସଂପାଦକ ଅଶୋକ ପାଲ, ଯୁବ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୁଦ୍ର ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର