ବିଜେପି ଟାର୍ଗେଟ୍‌ରେ ଭଦ୍ରକ ଲୋକସଭା ଆସନ

୫ଟି ବିଧାନସଭା ଆସନ ଅକ୍ତିଆର ପାଇଁ ଚାଲିଛି ନକ୍ସା ପ୍ରସ୍ତୁତି

ଭଦ୍ରକ: ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଜେଡି ଲଗାତର ବିଜୟୀ ହୋଇ ଆସୁଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଥିଲା। କିଛି ଦଳୀୟ ଭୁଲ୍‌ ନିଷ୍ପତ୍ତି ପାଇଁ ଅଭିମନ୍ୟୁ ସେଠୀ ୨୪ ହଜାର ୮୦୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ମଂଜୁଲତା ମଣ୍ଡଳଙ୍କଠାରୁ ପରାଜିତ ହୋଇଥିଲେ। ବିଜେପିର କିଛି ନେତାଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିକୁ ୨୦୧୯ ନିର୍ବାଚନରେ ଭଦ୍ରକ ଲୋକସଭା ସିଟ୍ ହରାଇବାକୁ ପଡ଼ିଥିଲା ବୋଲି କୁହାଗଲା।

ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କିଭଳି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବ, ସେଇ ଲକ୍ଷ୍ୟରେ କାମ କରୁଛି। ନିକଟରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିଥିଲେ ଏବଂ ବିଜୟ ନେଇ ବିଜେପି ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଆଗାମୀ ନିର୍ବାଚନରେ ବିଜେପି କିପରି ସର୍ବାଧିକ ଲୋକସଭା ଆସନ ହାତେଇବ, ତାହା ଉପରେ ଜିଲ୍ଲାୱାରୀ ତର୍ଜମା କରାଯାଇଛି। ଭଦ୍ରକ ଲୋକସଭା ଆସନ ବିଜେପି ନିଜ ଦଖଲକୁ କିପରି ନେବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟ କେମିତି ବିଜେପି ଦଖଲକୁ ଯିବ, ସେଥିପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ସେହିପରି କିଛିଦିନ ତଳେ କେନ୍ଦ୍ର ବନ୍ଦର, ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶାନ୍ତନୁ ଠାକୁର ଭଦ୍ରକ ଆସିଥିଲେ। ତାଙ୍କର ତିନିଦିନିଆ ଭଦ୍ରକ ଗ୍ରସ୍ତ ବେଳେ ସେ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ପରିଦର୍ଶନ କରିବା ସହ ଦଳୀୟ ନେତା ଓ କର୍ମୀମାନଙ୍କ ସହ ବୈଠକ କରିଛନ୍ତି।

ଦଳୀୟ ଗୋଷ୍ଠୀ କନ୍ଦଳକୁ ଦୂର କରିବା ନେଇ ଉଦ୍ୟମ ହେଉଛି। ଖୁବ୍‌ଶୀଘ୍ର ଜିଲ୍ଲାସ୍ତରୀୟ ବୈଠକ ଡକାଯିବା ନେଇ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଦଳର କର୍ମୀ ଓ ନେତାଙ୍କୁ ବିଜେପି ନିଜ ଆଡ଼କୁ ଆକୃଷ୍ଟ କରିବା‌ ପାଇଁ ଉଦ୍ୟମ କରୁଛି। ଆଗାମୀ ଦିନରେ ବିଜେପି କାହାକୁ‌ ଲୋକସଭା ପ୍ରାର୍ଥୀ କରିବ, ସେନେଇ ନିଷ୍ପତ୍ତି ନିଆଯାଇ ନଥିବା ବେଳେ ସଂଗଠନକୁ କିଭଳି ଅଧିକ ମଜବୁତ କରାଯିବ, ସେ ଦିଗରେ ଅଧିକ‌ ଗୁରୁତ୍ବ ଦିଆଯାଉଛି। କେବଳ ଲୋକସଭା ଆସନ ଉପରେ ଯେ ଗୁରୁତ୍ବ ଦିଆଯାଉଛି ତାହା ନୁହେଁ, ଚାନ୍ଦବାଲି ନିର୍ବାଚନମଣ୍ଡଳୀ ସହ ବାସୁଦେବପୁର, ଭଣ୍ଡାରି ପୋଖରୀ ଓ ଭଦ୍ରକ ବିଧାନସଭା କ୍ଷେତ୍ର ଉପରେ ମଧ୍ୟ ବିଜେପି ଆଖି ରଖିଛି। ବାସୁଦେବପୁର ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ବିଜେପିର ସ୍ଥିତି ଅନ୍ୟ ବିଧାନସଭା କ୍ଷେତ୍ରଠାରୁ ଦୁର୍ବଳ ରହିଥିବା ବେଳେ ସେଠାରେ ଦଳକୁ ଉପରକୁ ନେବା ପାଇଁ ଉଦ୍ୟମ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର