ଗେଲ୍‌ ଇଣ୍ଡିଆ ଗ୍ୟାସ୍‌ ସବ୍‌ଷ୍ଟେସନ୍‌ରେ ବିସ୍ଫୋରଣ, ୨ଘଣ୍ଟା ପାଇଁ ଆତଙ୍କ ଖେଳିଗଲା

ବଅଁରପାଳ : ବଅଁରପାଳ ବ୍ଲକ୍ ପିଙ୍ଗୁଆଠାରେ ଥିବା ଗେଲ୍‌ ଇଣ୍ଡିଆ କମ୍ପାନିର ସବ୍‌ ଷ୍ଟେସନ୍‌ ପରିସରରେ ଗ୍ୟାସ୍ ପାଇପ୍‌ ଫାଟିଯିବାରୁ ଆତଙ୍କ ଖେଳି ଯାଇଛି। ଫଳରେ ସେହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଲୋକେ କୌଣସି ଅଘଟଣ ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନା ମୁତାବକ, ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ଏଠାରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହା ଶୁଣି କର୍ମଚାରୀମାନେ ଦୌଡ଼ି ଷ୍ଟେସନ୍‌ ବାହାରକୁ ଚାଲି ଆସିଥିଲେ। ପରେ ଗ୍ୟାସ୍ ପାଇପ ଫାଟି ଯାଇଥିବା ଜାଣିବାକୁ ମିଳିଥିଲା। ୨ଘଣ୍ଟାର ଉଦ୍ୟମ ପରେ ବି ଗ୍ୟାସ୍ ଲିକ୍ ବନ୍ଦ ହୋଇପାରି ନଥିଲା। ଗ୍ରାମବାସୀ ଏହା ଜାଣି ଭୟଭୀତ ହେବା ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅନୁଗୁଳ ଓ ବଅଁରପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଲିକ୍ ବନ୍ଦ କରିଥିଲେ।

ଖବରପାଇ ଉପଜିଲ୍ଲାପାଳ ବୈତୁରା ଦୀପ, ଏସ୍‌ଡିପିଓ ରମାକାନ୍ତ ମହାଳିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହିତ ଷ୍ଟେସନ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଏହାର କାରଣ ସମ୍ପର୍କରେ ପଚରାଉଚରା କରିଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଥରେ ଏପରି ଗ୍ୟାସ୍ ଲିକ୍‌ ହୋଇଥିଲା। ଜନବସତି ପାଖରେ ଥିବାରୁ ଭୟ ସୃଷ୍ଟି ହୋଇଛି। କାହା ଛତ୍ରଛାୟାରେ ବିନା ସୁରକ୍ଷାରେ ଗେଲ୍‌ ଏହି ଷ୍ଟେସନ୍‌ ଚଳାଉଛି ତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର