ବନ୍ଦ ଡାକରା ଦେଲେ ମାଓବାଦୀ: ରାସ୍ତା କାଟିଲେ, ପୁଲିସ ଉପରେ ଆକ୍ରମଣ

ମାଲକାନଗିରି: ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରକୁ ବିରୋଧ କରି ପଡ଼ୋଶୀ ଛତିଶଗଡ଼ରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ଆସନ୍ତାକାଲି (ମେ ୨୬)ର ବନ୍ଦ ପାଳନକୁ ସମର୍ଥନ କରି ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନ‌ରେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି। ବିଜାପୁର ଜିଲ୍ଲାର ପିଡ଼ିଆରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୧୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗ୍ରାମବାସୀ ପ୍ରାଣ ହରାଇଥିବା ବ୍ୟାନର ଓ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି। ଶିଳ୍ପସଂସ୍ଥାର ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅଞ୍ଚଳର ଜଳ, ଜଙ୍ଗଲ ସହ ଜମିକୁ ଅକ୍ତିଆର କରୁଛନ୍ତି। ବିରୋଧ କଲେ ନରସଂହାର କରିବାକୁ ପଛାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି।

ଜନଯୁଦ୍ଧକୁ ତୀବ୍ରତର କରିବାକୁ ମାଓବାଦୀ ଆହ୍ବାନ ଦେବା ପରେ ଆଜି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପ‌ଟେ କମ୍ବିଂ ଅପରେସନକୁ ଗତିରୋଧ କରିବାକୁ ସୁକମା ଏବଂ ଦନ୍ତେଵାଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ରାସ୍ତା କାଟି ଦେଇଛନ୍ତି। ସୁକମା ଜିଲ୍ଲାର ଭେଜ୍ଜି ଠାରେ ପୁଲିସ ଉପରକୁ ଗୁଳି ଚଳାଇଛନ୍ତି। ଏଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି। ସେହିପରି ବିଜାପୁର ଜିଲ୍ଲାରେ ମଧ୍ୟ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନକୁ ଜୋର୍‌ଦାର କରିଛନ୍ତି। ପ୍ରାୟ ୨୦୦୦ ଯବାନ ଘଞ୍ଚ ଜଙ୍ଗଲ ଏବଂ ସନ୍ଦିଗ୍ଧ ଠିକଣାରେ ଅପରେସନ ଜାରି ରଖିଛନ୍ତି। ଗୁଇନ୍ଦା ବିଭାଗ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖି ତୁରନ୍ତ ସୂଚନା ଦେଉଛି। ହିଂସା ଘଟାଇ ମାଓବାଦୀ ମାଲକାନଗିରି ଜିଲ୍ଲାରେ ପଶିବାର ସମ୍ଭାବନା ରହିଛି। ତେଣୁ ମାଲକାନଗିରି ଜିଲ୍ଲା ପୁଲିସ ମଧ୍ୟ ସତର୍କ ରହିଛି। ଆବଶ୍ୟକସ୍ଥଳେ ତୁରନ୍ତ ଅପେରସନ୍‌ ଆରମ୍ଭ କରିବାକୁ ଯବାନଙ୍କୁ ପ୍ରସ୍ତୁତ କରି ରଖାଯାଇଛି। ଜିଲ୍ଲାର ସୀମାକୁ ସିଲ୍‌ କରି ଯାନବାହାନ ଯାଞ୍ଚ ଚାଲିଛି।

ସମ୍ବନ୍ଧିତ ଖବର