ବସି ବସି ଆସିଲେ ପୋଲିଂ ଅଧିକାରୀ, ଭୋଟ ଦେଲେନି ୧୧ ଗ୍ରାମର ଲୋକେ

କଥା ଦେଇ ରଖିଲାନି ପ୍ରଶାସନ, ଜବାବ ଦେଲେ ଲୋକେ

ଦେବଗଡ଼: ଶନିବାର ସମ୍ବଲପୁର ଲୋକସଭା ଅନ୍ତର୍ଗତ ଦେବଗଡ଼ ବିଧାନସଭା ପାଇଁ ମତଦାନ ହୋଇଥିଲା। ତେବେ, ଦେବଗଡ଼ ଜିଲ୍ଲାର ଦୁଇଟି ବ୍ଲକରେ ଭିନ୍ନ ଭିନ୍ନ ସମସ୍ୟା ନେଇ ୧୧ଟି ଗ୍ରାମର ଲୋକେ ଭୋଟ ବର୍ଜନ କରିଛନ୍ତି। ବାରକୋଟ ବ୍ଲକର ରାଇତାବାହାଳ ପଂଚାୟତ‌ର ୭ଟି ଗ୍ରାମ ଏବଂ ତିଲେଇବଣି ବ୍ଲକର କଂସର ପଂଚାୟତର ୪ଟି ଗ୍ରାମର ଲୋକେ ଭୋଟ ଦାନରୁ ବିରତ ରହିଛନ୍ତି। ଏମିତି କି ବୁଥରେ ପୋଲିଂ ଅଧିକାରୀମାନେ କେବଳ ବସିବସି ଫେରିଛନ୍ତି। ମତଦାନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିବା ବେଳେ ପୂର୍ବରୁ ପ୍ରଶାସନିକ ଅବହେଳାରୁ ସମ୍ପୃକ୍ତ ଗ୍ରାମରେ ତାହା ବିଫଳ ହୋଇଛି। ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ରାଇତାବାହାଳ ପଂଚାୟତ‌ର ଚାରିମଞ୍ଚା ଗ୍ରାମରେ କରାଯାଇଥିବା ୩୩୮ନମ୍ବର ବୁଥରେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୫ ଟା ମଧ୍ୟରେ ଗୋଟିଏ ବି ଭୋଟ ପଡ଼ି ନ ଥିବା ଜଣାପଡ଼ିଛି। ୪ ଡେସିମିଲ ଘରଡିହ ଓ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ଦାବି କରି ରାଇତାବାହଲ ପଞ୍ଚାୟତର ଚାରିମଞ୍ଚା, ହରିହରପୁର, ଗଣନାଥପୁର,‌ ଗୋଠମଡା, ଭଗବତପୁର, ରତନପୁର, ସୁନାମୁଣ୍ଡା ତଥା ୭ଟି ଗ୍ରାମର ଭୋଟରମାନେ ଭୋଟବର୍ଜନ କରିଛନ୍ତି। ବୁଥରେ ପୋଲିଂ ଟିମ, ସୁରକ୍ଷା କର୍ମୀ ସହିତ ସକାଳ ୭ଟାରୁ ଭୋଟ ଗ୍ରହଣ ପାଇଁ ବସି ରହିଥିଲେ। ହେଲେ କେହି ଜଣେ ବି ଭୋଟ ଦେବାକୁ ଆସି ନଥିଲେ। ୪ ଡେସିମିଲ ଘରଡ଼ିହ ଓ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଉକ୍ତ ବୁଥର ଦୁଇଟି ୱାର୍ଡର ୫୪୦ ଜଣ ଭୋଟର ଭୋଟ ଦାନରୁ ବିରତି ରହିଥିଲେ। ସଂପୃକ୍ତ ୭ଟି ଗ୍ରାମର ବାସିନ୍ଦା ଭୂମିହୀନ ଥିବାବେଳେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି।

ପ୍ରକାଶଥାଉ କି,ଏହି ୭ ଗ୍ରାମର ଲୋକେ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ବାରା ବିସ୍ଥାପିତ ହୋଇଥିଲେ। ସେହିପରି ତିଲେଇବଣି ବ୍ଲକର କଂସର ପଂଚାୟତର ଖଜୁରୀଖମଣ, ଭଙ୍ଗା‌ମୁଣ୍ଡା, ତୈଳଭାଙ୍ଗୁଣୀ, ଜଗଦଲା, ବିରିଆମ, ଲଇଣ୍ଡା, ହିରନ ଓ ବାଲିଆମ ତଥା ୮ଗ୍ରାମର ବାସିନ୍ଦା ରାସ୍ତା, ସ୍ବାସ୍ଥ୍ୟ, ବିଜୁଳି ଭଳି ମୌଳିକ ସମସ୍ୟାର ସମାଧାନ ଦାବି କରିଥିଲେ। ଏନେଇ ସେମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଶୁକ୍ରବାର ଏହି ୮ ଗ୍ରାମର ଲୋକେ ବିରିଆମ-ଖଜରୁଖମଣ ଛକ ଠାରେ ରାସ୍ତାରୋକ କରିବା ସହିତ ଧାରଣାରେ ବସିଥିଲେ। ଜିଲ୍ଲାପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଶନିବାର ସେହି ୮ ଗ୍ରାମରୁ ୧୮୫ ନମ୍ବର ବୁଥରେ ୪ ଗ୍ରାମ ବିରିଆମ, ଲଇଣ୍ଡା, ହିରନ ଓ ବାଲିଆମର ଲୋକେ ଭୋଟ ବର୍ଜନ କରିଛନ୍ତି। ଏଠାରେ ମଧ୍ୟ ପୋଲିଂ ଟିମ, ସୁରକ୍ଷା କର୍ମୀ ସହିତ ସକାଳ ସାତଟାରୁ ଭୋଟ ଗ୍ରହଣ ପାଇଁ ବସି ରହିଥିବା ବେଳେ କେହି ଜଣେ ବି ଭୋଟର ଭୋଟଦେଇନଥିଲେ। ଉକ୍ତ ୪ ଗ୍ରାମବାସୀମାନଙ୍କୁ ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯାଇଥିଲା। କିନ୍ତୁ ସେମା‌ନଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଭୋଟ ଦେବେ‌ ନାହଁ ବୋଲି ଗ୍ରାମବାସୀ ଜିଦ ଧରିଥିଲେ।

ସମ୍ବନ୍ଧିତ ଖବର