କାର୍‌ ସହ ବ୍ରାଉନ୍‌ସୁଗାର୍‌ ଜବତ, ୩ ଗିରଫ

ବାଇକ୍‌, ୧୭ହଜାର ଟଙ୍କା, ୭୫ ଗ୍ରାମ ବ୍ରାଉନ୍‌ସୁଗାର୍‌, ୩ଟି ମୋବାଇଲ୍‌ ଜବତ

ଗୋପ : ରବିବାର ଦିନ ନିମାପଡ଼ା–ଗୋପ ରାସ୍ତାର ବିଶରପୁରଠାରେ ଗୋପ ପୁଲିସ ଏକ ଧଳା ଇଣ୍ତିଗୋ ଗାଡ଼ି ଜବତ କରିବା ସହ ଏଥିରୁ ୭୫ ଗ୍ରାମ ବ୍ରାଉନ୍‌ସୁଗାର୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗାର୍‌ର ମୂଲ୍ୟ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗୋପ ଥାନାଧିକାରୀ ସୁନିଲ ପ୍ରଧାନଙ୍କ ଠାରୁ ପ୍ରକାଶ ଯେ, ଏକ ଧଳା କାର୍‌ରେ ବ୍ରାଉନ୍‌ସୁଗାର ଚୋରାଚାଲାଣ ହେଉଥିବା ନେଇ ପୁଲିସକୁ ଠୋସ୍‌ ସୂଚନା ମିଳିଥିଲା। ସୂଚନା ଆଧାରରେ ଇନ୍ସପେକ୍ଟର ଭାସ୍କର ମାଣିଆ, କୁନାଲ କୁମାର,ଏଏସ୍‌ଆଇ ସୁକାନ୍ତ ଦାସ, ଏଏସ୍‌ଆଇ ଗହୁରୁଦ୍ଦିନ୍ ଖାନ୍, ଜହୁର ଖାନଙ୍କୁ ନେଇ ଗଠିତ ଏକ୍‌ ସ୍ବତନ୍ତ୍ର ଟିମ୍‌ ବିଶରପୁରଠାରେ ଏହି କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏଥିରେ ୭୫ ଗ୍ରାମ ବ୍ରାଉନ୍‌ସୁଗାର୍‌, ଏକ ଓଜନ ମେସିନ ଜବତ କରାଯାଇଥିଲା।

ଏତଦ୍‌ବ୍ୟତୀତ କାର୍‌କୁ ଏକ ବାଇକ୍‌ରେ ଏସକର୍ଟ କରି ନେଉଥିବା ଯୁବକକୁ ମଧ୍ୟ ପୁଲିସ ଧରିବା ସହ ତାଙ୍କ ବାଇକ୍‌ଟିକୁ ଜବତ କରିଥିଲା। ଯାଞ୍ଚବେଳେ ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୭ ହଜାର ୫୦ ଟଙ୍କା, ୩ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କୋଣାର୍କ ଥାନା ଅନ୍ତର୍ଗତ ମାଙ୍ଗରଗୋରଡ଼ିର ଦିଲୀପ ପ୍ରଧାନ(ଗୋପୀ),କୋଣାର୍କ ଜୁଣେଇ ଗ୍ରାମର ଦିଲୀପ କାଣ୍ତି(ଦିଲୁ),କୋଣାର୍କ ଅନସରା ଗ୍ରାମର ପ୍ରଭାତ ସେଠ୍। ସମସ୍ତ ଅଭିଯୁକ୍ତଙ୍କ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର