ବଜେଟ୍‌ ଅଧିବେଶନ ଶେଷ: ୪ ଦିନ ଆଗରୁ ସରିଗଲା

ଭୁବନେଶ୍ୱର, : ପଞ୍ଚଦଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୧ ତାରିଖରେ ଶେଷ ହୋଇଛି। ୫ ତାରିଖରେ ଶେଷ ହେବାକୁ ଥିବା ଏହି ଅଧିବେଶନକୁ ଚାରି ଦିନ ଆଗରୁ ବନ୍ଦ କରିଦିଆଯାଇଛି। ଗତକାଲି ବାଚସ୍ପତି ବିଧାନସଭାରେ ଏ ନେଇ ଘୋଷଣା କରିବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ଥିଲା ଶେଷ ବଜେଟ୍‌ ଅଧିବେଶନ। ମାର୍ଚ୍ଚ ୨୦ ତାରିଖରୁ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିଲା। ମାର୍ଚ୍ଚ ୨୩ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ ହୋଇଥିଲା। ତେବେ ୩୧ ତାରିଖ ସୁଦ୍ଧା ବଜେଟ୍‌ ପାରିତ ହେବା ସମ୍ଭବ ହୋଇ ନ ଥିବାରୁ ଏପ୍ରିଲ୍‌ ମାସ ଖର୍ଚ୍ଚ ତୁଲାଇବା ପାଇଁ ମାର୍ଚ୍ଚ ୩୧ ତାରିଖରେ ଏକ ଲେଖାନୁଦାନ ବିଧେୟକ ଉପସ୍ଥାପନ କରାଯାଇ ଗୃହର ଅନୁମୋଦନ ନିଆଯାଇଥିଲା। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମେ’ ୧୧ରୁ ଆରମ୍ଭ ହୋଇ ମେ’ ୧ ତାରିଖ ପର୍ଯ୍ୟନ୍ତ ଚାଲିଲା। ଦୁଇଟି ଯାକ ପର୍ଯ୍ୟାୟରେ ମୋଟ୍‌ ୨୬ଟି କାର୍ଯ୍ୟଦିବସ ରହିଥିଲା। ଏପ୍ରିଲ୍‌ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହୋଇଥିଲା। ଅଧିବେଶନ ସମୟରେ ୨୩ଟି ବାର୍ଷିକ ରିପୋର୍ଟ ଓ ବିଭିନ୍ନ କମିଟିର ୪୬ଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ବ୍ୟୟମଞ୍ଜୁରୀ ବିଲ୍‌ ସମେତ ମୋଟ୍‌ ୮ଟି ବିଲ୍‌ ଉପସ୍ଥାପନ ହୋଇ ପାରିତ ହୋଇଥିଲା। ଗୃହରେ ୬ ଜଣ ପୂର୍ବତନ ସଦସ୍ୟ ଓ ୨ ଜଣ ପୁଲିସ୍‌ କର୍ମଚାରୀଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା।

ସମ୍ବନ୍ଧିତ ଖବର