ବ୍ୟାପୁଛି ଗାଲୁଆ, ସତର୍କତା ଜରୁରି

ସମ୍ପ୍ରତି ଦିଲ୍ଲୀ ଏନ୍‌ସିଆର୍‌ ସମେତ ବିଭିନ୍ନ ରାଜ୍ୟରେ ମମ୍ପସ୍‌ ବା ‘ଗାଲୁଆ’ ରୋଗ ବଢ଼ିବାରେ ଲାଗିଛି। ସରକାରୀ ସୂଚନା ମୁତାବକ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏଥିରେ ଆକ୍ରାନ୍ତ ହୋଇଥିବା ପୀଡ଼ିତଙ୍କ ସଂଖ୍ୟା ୧୫,୬୩୭ରେ ପହଞ୍ଚିଥିଲା। ବିଶେଷ କରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ ରାଜସ୍ଥାନକୁ ଏହି ରୋଗର ପେଣ୍ଠସ୍ଥଳୀ ଭାବେ ବିବେଚନା କରାଯାଉଥିବା ବେଳେ ଏବେ ସଂଖ୍ୟା ଦୃଷ୍ଟିରୁ ଦିଲ୍ଲୀ ହିଁ ଶୀର୍ଷରେ ରହିଛି।

ମମ୍ପସ୍‌ ହେଉଛି ଏକ ଅତ୍ୟନ୍ତ ସଂକ୍ରମଣଶୀଳ ରୋଗ ଯାହା ଆମର ଲାଳଗ୍ରନ୍ଥିର ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ବିଶେଷ କରି ଆମ କାନମୁଣ୍ଡା ତଳେ ରହିଥିବା ‘ପାରୋଟିଡ୍‌’ ଗ୍ରନ୍ଥିକୁ ଭୂତାଣୁମାନେ ସଂକ୍ରମିତ କରିଥା’ନ୍ତି। କୌଣସି ଆକ୍ରାନ୍ତର କାଶ, ଛିଙ୍କରୁ ବା କଥା କହିଲା ବେଳେ ବାହାରୁଥିବା ଜଳୀୟକଣା ସାହାଯ୍ୟରେ ଏହା ବ୍ୟାପିଥାଏ। ଏହାଦ୍ବାରା କାନମୁଣ୍ଡା ପାଖ ଗାଲ ଫୁଲିଯିବା ସହ ପୁରୁଷଙ୍କର ଅଣ୍ଡକୋଷ ଓ ମହିଳାଙ୍କର ଗର୍ଭାଶୟ ମଧ୍ୟ ଫୁଲିଯାଇଥାଏ। ଜଣେ ମମ୍ପସ୍‌ ଭୂତାଣୁ ସଂସ୍ପର୍ଶରେ ଆସିବାର ୧୬ରୁ ୧୮ ଦିନ ପରେ ରୋଗର ଲକ୍ଷଣ ଜଣାପଡ଼ିଥାଏ; ରୋଗ ସଂକ୍ରମଣର ଅବଧି ୧୨ରୁ ୨୫ ଦିନ। ପ୍ରଥମେ ପ୍ରଥମେ ଜ୍ବର, ମୁଣ୍ଡବିନ୍ଧା, ଅରୁଚି ଲାଗିବା ପରି ଅନିର୍ଦ୍ଦିଷ୍ଟ ଲକ୍ଷଣମାନ ଦେଖାଦେଇଥାଏ। କିଛିଦିନ ଭିତରେ ମୁହଁର ହନୁହାଡ଼ ପାଖକୁ ରହିଥିବା ପାରୋଟିଡ୍‌ ଗ୍ରନ୍ଥି ଫୁଲିବା ସହ ମୁହଁ ମଧ୍ୟ ଫୁଲିଥାଏ। ବେଳେ ବେଳେ ଆକ୍ରାନ୍ତଠାରେ ସାମାନ୍ୟ ଲକ୍ଷଣ ବା ଆଦୌ ଲକ୍ଷଣ ଦେଖାଦେଇନଥାଏ।

ମମ୍ପସ୍‌ ଏକ ଅତ୍ୟନ୍ତ ସଂକ୍ରମଣଶୀଳ ରୋଗ ଯାହା ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ବିଶେଷ କରି ଆମ କାନମୁଣ୍ଡା ତଳେ ଥିବା ‘ପାରୋଟିଡ୍‌’ ଗ୍ରନ୍ଥିରେ ଏହି ସଂକ୍ରମଣ ହୁଏ, ଯାହା ଗାଲକୁ ଫୁଲାଇ ଦେଇଥାଏ।

ରୋଗର ସଂକ୍ରମଣକୁ ରୋକିବା ପାଇଁ ଆକ୍ରାନ୍ତଙ୍କୁ ପୃଥକ୍‌ ବା ନିଃସଙ୍ଗ କରି ରଖିବା ଉଚିତ। କୌଣସି ଆକ୍ରାନ୍ତର ସନ୍ନିକଟ ହେବା ବା ସେ ବ୍ୟବହାର କରୁଥିବା ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ। କୌଣସି ସାମଗ୍ରୀ ଉପରେ ମମ୍ପସ୍‌ ଭୂତାଣୁ ଘଣ୍ଟା ଘଣ୍ଟା ଧରି ବଞ୍ଚି ରହିବା ସହ ସଂକ୍ରମଣର କ୍ଷମତା ମଧ୍ୟ ରଖିଥାଏ। ଏହି ରୋଗର ପ୍ରତିକାର ସ୍ବରୂପ ଶିଶୁ ଓ ବୟସ୍କମାନେ ନିର୍ଦ୍ଧାରିତ ପ୍ରତିଷେଧକ ଟିକା ନେବା ଦରକାର। ନିୟମିତ ହାତ ଧୋଇବା ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା ଉଚିତ। ରୋଗକୁ ଅଧିକ ବ୍ୟାପିବାକୁ ନଦେବା ଲାଗି ଆକ୍ରାନ୍ତମାନେ କାଶିବା, ଛିଙ୍କିବା ଓ କଥା କହିବା ବେଳେ ମାସ୍କ ପିନ୍ଧିବା ଉଚିତ।

ସମ୍ବନ୍ଧିତ ଖବର