ଓସିଏଚ୍‌ସି ବିରୋଧରେ ‘ଧଉଳି ହାଇଟ୍ସ’ ବାସିନ୍ଦାଙ୍କ ବିକ୍ଷୋଭ

୧୨ କୋଟି ନେଇ ଡେଭ୍‌ଲପର୍‌ ଛୁ’, ନିଜ ଘରେ ଭଡ଼ାଟିଆ ଭଳି ରହୁଛନ୍ତି

ଖଣ୍ଡଗିରି: ଓଡ଼ିଶା କୋ-ଅପରେଟିଭ୍ ହାଉସିଂ କର୍ପୋରେସନ୍ ବିରୋଧରେ ‘ଧଉଳି ହାଇଟ୍ସ’ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଅସନ୍ତୋଷ ଚରମରେ ପହଞ୍ଚିଛି। ସ୍ଥିତି ଏଭଳି ହୋଇଛି ଯେ ଆପାର୍ଟମେଣ୍ଟରେ ରହୁଥିବା ୫୨ ପରିବାର ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆପାର୍ଟମେଣ୍ଟ ବାସିନ୍ଦା ଅଭିଯୋଗ କରିଛନ୍ତି, ରାଜଧାନୀରେ ଘର ତୋଳିଦେବାକୁ ସ୍ୱପ୍ନ ଦେଖାଇଥିଲା ଓଡ଼ିଶା ସମବାୟ ଆବାସ ନିଗମ (ଓସିଏଚସି)। ଆଗୁଆ ଟଙ୍କା ନେଇ ଦୁଇ ବର୍ଷ ଭିତରେ ଫ୍ଲାଟ୍‌ ନିର୍ମାଣ କରିବାକୁ ଭରସା ବି ଦେଇଥିଲା। ଭୁବନେଶ୍ୱରରେ ଘର ଖଣ୍ଡେ ପାଇଁ ସ୍ବପ୍ନ ଦେଖୁଥିବା ହିତାଧିକାରୀଙ୍କ ଆଶା ଆଶାରେ ରହିଯାଇଛି। ଫ୍ଲାଟ ନିର୍ମାଣ ଦାୟିତ୍ୱ ନେଇଥିବା ଡେଭ୍‌ଲପର୍ ୧୨କୋଟି ଟଙ୍କା ହାତେଇବା ପରେ ଅଧା କାମ କରି ଫେରାର୍ ହୋଇଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

ଚୁକ୍ତିନାମା ଅନୁଯାୟୀ, ପ୍ରକଳ୍ପଟି ୦.୮୫୯ ଡେସିମିଲି ଉପରେ ବିସ୍ତାର ହୋଇଥିଲା। ଏକ ମନ୍ଦିର, ଜଗିଂ ଟ୍ରାକ୍, ବଗିଚା, ଶିଶୁ ଖେଳ କ୍ଷେତ୍ର, ସୁଇମିଂ ପୁଲ୍, ସ୍ପା, ମସାଜ୍, ସାଧନା, ଟ୍ରିଟେଡ୍ ଜଳ ଯୋଗାଣ ବ୍ୟବସ୍ଥା ଏବଂ ବ୍ୟାଡମିଣ୍ଟନ୍ କୋର୍ଟ ଆଦି ସ୍ୱପ୍ନରେ ପରିଣତ ହୋଇଛି। ସୁବିଧା ପାଇଁ କ୍ଷତିପୂରଣ, କ୍ଷେତ୍ର ହ୍ରାସ ଏବଂ ବିଳମ୍ବିତ ସମ୍ପତ୍ତି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଅଧିକାଂଶ ହିତାଧିକାରୀ ପ୍ରାୟ ୮ ବର୍ଷ ପୂର୍ବେ ମୋଟ ପ୍ରକଳ୍ପ ମୂଲ୍ୟର ୯୫ ପ୍ରତିଶତ ଦେୟ ପ୍ରଦାନ କରିସାରିବା ପରେ ମଧ୍ୟ ତାଙ୍କ ନାମରେ ଫ୍ଲାଟ୍ ହୋଇନାହିଁ। ସେହିପରି ବିଡିଏ ଅନୁମୋଦନ, ଓରେରାରେ ପଞ୍ଜୀକରଣ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଆଇନଗତ ସ୍ବୀକୃତି ମିଳିନାହିଁ। ବାରମ୍ବାର ଫ୍ଲାଟଗୁଡିକ ହସ୍ତାନ୍ତର କରାଯିବାର ପ୍ରତିଶ୍ରୁତି ମିଳିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ତଥାପି ହିତାଧିକାରୀଙ୍କ ଏହି ସମସ୍ୟାର ସାମାଧାନ ହୋଇପାରୁନାହିଁ। ଏପରିକି ଏ ବାବଦରେ ବିଧାନସଭାରେ ୧୧ ଥର ପ୍ରସଙ୍ଗ ଉଠାଯାଇଥିଲେ ମଧ୍ୟ ଫ୍ଲାଟ୍‌ଗୁଡ଼ିକ ହସ୍ତାନ୍ତର ପାଇଁ ତାରିଖ ଘୋଷଣା ହେବା ପରେ ମିଳିନାହିଁ। ଫ୍ଲାଟ୍ ହସ୍ତାନ୍ତର ହୋଇ ନଥିବାରୁ ହିତାଧିକାରୀଙ୍କ ପରିବାର ମାନସିକ ଅଶାନ୍ତି ମଧ୍ୟରେ ଗତି କରୁଛନ୍ତି। ତୁରନ୍ତ ଏହି ସମସ୍ୟା ସାମାଧାନ କରିବା ସହିତ ସମସ୍ତ ମୌଳିକ ସୁବଧା ପ୍ରଦାନ କରି ଫ୍ଲାଟ୍ ହସ୍ତାନ୍ତର କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ରେ ନିଗମ ପକ୍ଷରୁ ତମାଣ୍ଡୋସ୍ଥିତ ବଡ଼ରଘୁନାଥପୁର ମୌଜାରେ ଆବାସିକ ଗୃହ ପ୍ରକଳ୍ପ ଯୋଜନା ହାତକୁ ନିଆ ଯାଇଥିଲା। ଏଥିପାଇଁ ନିଗମ ପକ୍ଷରୁ ଡେଭଲପର୍‌ ଏମ୍ଏସ୍ ମା’ ପ୍ଲାଜା ସହିତ ୨୦୧୩ ଜୁନ୍‌ରେ ଏକ ଚୁକ୍ତିନାମା ହୋଇଥିଲା। ଚୁକ୍ତି ଅନୁଯାୟୀ ମୌଜାରେ ନିଗମର ୩୪ ହଜାର ୬୭୪ ବର୍ଗଫୁଟ ଜମି ରହିଛି। ଏଥିରେ ୫୧ଟି ବାସଗୃହ ନିର୍ମାଣ କରିବା ପାଇଁ ଡେଭଲପର୍ ସହିତ ଚୁକ୍ତି ହୋଇଥିଲା। ୨୦୧୬ ସୁଦ୍ଧା ଧଉଳି ହାଇଟ୍ସର ନିର୍ମାଣ ଶେଷ କରି ଫ୍ଲାଟ୍ ହସ୍ତାନ୍ତର କରିବା ନେଇ ଏହି ଚୁକ୍ତି ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ କାମ ତ ସରିଲା ନାହିଁ, ହେଲେ ଫ୍ଲାଟ୍‌ଗୁଡ଼ିକର ଅସ୍ଥାୟୀ ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଫ୍ଲାଟ୍, ଗ୍ୟାରେଜ, ସୁବିଧା ଏବଂ ଆନୁପାତିକ ଜମି ଅଂଶ ବିକ୍ରୟ ପାଇଁ ଏକ ‘ଅପୂରଣୀୟ ଚୁକ୍ତି’ ବ୍ୟକ୍ତିଗତ ବଣ୍ଟନ ଏବଂ ଓସିଏଚସି ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହେଲା।

ସମ୍ବନ୍ଧିତ ଖବର