ବ୍ୟବସାୟୀଙ୍କ ଘରୁ ଡକାୟତି ମାମଲା: ୩୧ ଲକ୍ଷ ସହ ୪ ବାଇକ୍, ୬ ମୋବାଇଲ ଉଦ୍ଧାର, ୪ ଗିରଫ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଗତ ୩୦ ତାରିଖ ରାତିରେ ବ୍ୟବସାୟୀ ଦିନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୁଲିସ୍। ୩୧ ଲକ୍ଷ ଟଙ୍କା, ୪ ବାଇକ୍ ଓ ୬ ମୋବାଇଲ୍ ଉଦ୍ଧାର କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଧର୍ମଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ଜୁଆଡ଼, ଯୁଗେନ ପଟେଲ ଓ କୈଳାସ ହାତୀ।

ସେମାନଙ୍କୁ ଗିରଫ କରାଯାଇ ମୋଟ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା, ୪ଟି ବାଇକ୍, ୬ଟି ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଚୋରିରେ ବ୍ୟବହୃତ ଗୋଟିଏ କେମିକାଲ ବୋତଲକୁ ପୁଲିସ୍‌ ଜବତ କରିଛି। ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଦୁର୍ବୃତ୍ତ ଫେରାର୍ ଥିବା ପୁଲିସ୍ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ରାତିରେ ଶ୍ରୀ ଅଗ୍ରୱାଲଙ୍କ ଘରକୁ ପଶି ଡକାୟତମାନେ କେମିକାଲ ପ୍ରୟୋଗ କରିବା ସହ ବ୍ୟବସାୟୀଙ୍କ ମା’ ଓ ଭଉଣୀ ଶୋଇଥିବା କୋଠରିରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ଭର୍ତ୍ତି ୨ଟି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ତାଙ୍କ ଭଉଣୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ବର୍ତ୍ତମାନ ଫେରାର ଥିବା ୨ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଅନ୍ୟ ଚୋରି ସାମଗ୍ରୀ ମିଳିବାର ଆଶାଥିବା ଏସ୍‌ପି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ୍‌ ଅଧିକାରୀ ଧିରଜ କୁମାର ଚୋପଦାର, ଧର୍ମଗଡ଼ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ଓ ବିନୋଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର