ଟ୍ରକ୍‌ରୁ କୋଇଲା ଚୋରି କରି ପଥର ମିଶ୍ରଣ କରୁଥିଲେ, ୨ ଅଭିଯୁକ୍ତ ଗିରଫ

ବାମରା : ଛତିଶଗଡ଼ ରାଜ୍ୟରୁ ବାମରା ବ୍ଲକ ସ୍ଥିତ ଜୟ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଜେଏସ୍‌ପିଏଲ୍‌) ପ୍ଲାଣ୍ଟକୁ ଆସୁଥିବା କୋଇଲା ବୋଝେଇ ଟ୍ରକରୁ କୋଇଲା ଚୋରି କରିବା ଅଭିଯୋଗରେ ପୁଲିସ ଟ୍ରକ ମାଲିକ ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ତନ୍ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ବେଲାପଡ଼ା ଜେଜେଏସ୍‌ପିଏଲ୍‌ ପ୍ଲାଣ୍ଟ ପାଇଁ ଛତିଶଗଡ଼ ରାଜ୍ୟ ଆମ୍ବିକାପୁର ଅଞ୍ଚଳରୁ ଉଚ୍ଚମାନର କୋଇଲା ଆସିଥାଏ। ଉକ୍ତ କୋଇଲା ପରିବହନ ପାଇଁ ଛତିଶଗଡ଼ର ଏକ ଟ୍ରାନ୍ସପୋର୍ଟ କମ୍ପାନିକୁ ନିୟୋଜିତ କରାଯାଇଛି। ମାତ୍ର ଟ୍ରକ୍‌ଟି ଆମ୍ବିକାପୁରରୁ ବାହାରିବା ପରେ ଟ୍ରକ୍‌ ମାଲିକ ରାଏଗଡ଼ଠାରେ ଟ୍ରକ୍‌ରୁ କୋଇଲା ବାହାର କରି ସେଥିରେ କଳା ପଥର ଓ ମାଟି ମିଶାଇ ଦେଉଥିଲେ। ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ମଧ୍ୟ ସେହିଭଳି ୨ଟି ଅପମିଶ୍ରିତ କୋଇଲା ବୋଝେଇ ଟ୍ରକ ପ୍ଲାଣ୍ଟକୁ ଆସିଥିଲା। ବେଲାପଡା ଜେଜେଏସ୍‌ପିଏଲ୍‌ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଏ ନେଇ ସନ୍ଦେହ ହେବାରୁ ସେମାନେ ଗୋବିନ୍ଦପୁର ଥାନାକୁ ଜଣାଇଥିଲେ। ଅଭିଯୋଗ ପାଇ ଥାନା ଅଧିକାରୀ ଅଜୟ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍‌ର ଡ୍ରାଇଭର ଓ ହେଲପରକୁ ଅଟକ ରହି ତଦନ୍ତ ଆରମ୍ଭ କରିଥିଲେ। ଟ୍ରକରୁ କିଛି ନମୁନା ଯାଞ୍ଚ ପାଇଁ ସମ୍ବଲପୁରକୁ ପଠାଯାଇଥିବା ବେଳେ ତା’ର ରିପୋର୍ଟ ଆସିବା ପରେ ଗୁରୁବାର ଉଭୟ ଟ୍ରକର ଡ୍ରାଇଭର ଝାରଖଣ୍ଡର ଜାଫରୁଦ୍ଦିନ ହଜାମ (୩୫) ଓ ଉତ୍ତର ପ୍ରଦେଶର ମମତାଜ ଆନସାରୀ (୨୬) ଙ୍କୁ ଗିରଫ କରି କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା।

ଅନ୍ୟ ପଟେ କୋଇଲା ଚୋରିର ମୁଖ୍ୟ ଅଭିଯୁକ୍ତ ଟ୍ରକ ମାଲିକ ଛତିଶଗଡ଼ ରାଜ୍ୟ ଆମ୍ବିକାପୁରର ଅଭିଷେକ ଅଗ୍ରୱାଲ ଓ ବିଶାଳ ସିଂଙ୍କ ନାଁରେ ମଧ୍ୟ ଦଫା ୪୦୭ ଓ ୪୨୦ ଆଇପିସିରେ ମାମଲା ରୁଜୁ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର