ବସ୍ ଦୁର୍ଘଟଣାଗ୍ରସ୍ତ,୯ ଗୁରୁତର

ବସ୍ତା-୨: ବସ୍ତା ଥାନା ୬୦ ନଂବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ। ଏଥିରେ ୯ଜଣ ଗୁରୁତର ହୋଇଥିବା ବେଳେ ୬୦ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ୬୯ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା ଦୁର୍ଘଟଣାଗ୍ରସ୍ତ ଜଗାକାଳିଆ ବସ।

ଗତ ବିଳମ୍ବିତ ରାତିରେ ବସ ଚାଳକ ଜଣକ ହଳଦୀପଦା ପାଖାପାଖି ପହଞ୍ଚିବା ବେଳକୁ ଗାଡ଼ିରୁ ନିୟନ୍ତ୍ରଣ ହରାଇ ରାସ୍ତାରେ ଏପାଖ ସେପାଖ କରିଥିଲେ। ଏହା ଦେଖି କିଛି ଯାତ୍ରୀ ପାଟି କରିଥିଲେ ବି ଜାତୀୟ ରାଜପଥ ମଧ୍ୟଭାଗ ଡ୍ରେନରେ ବସଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୁଣ୍ଡ ଓ ହାତରେ ଶକ୍ତ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ। ଯାତ୍ରୀଙ୍କ ରୋଷର ଶିକାର ହେବା ଭୟରେ ସେ ଗାଡ଼ି ଛାଡ଼ି ସେଠାରୁ ପଳାଇଥିଲେ। ପରେ ଘଟଣାସ୍ଥଳରୁ କଣ୍ଡକ୍ଟର ଓ ହେଲପର ମଧ୍ୟ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଖବର ପାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ୫ ଗୁରୁତରଙ୍କୁ ବାଲେଶ୍ୱର ଓ ୪ ଆହତଙ୍କୁ ବସ୍ତା ଡାକ୍ତରଖାନା ପଠାଇଥିଲେ।

ଅନୁରୂପ ଭାବେ ହଳଦୀପଦାର ୩ କିମି ପୂର୍ବରୁ ମଧ୍ୟ ଗତ ରାତିରେ ଆଉ ଏକ ଦୁର୍ଘଟଣା ଘଟିଥିଲା। କଟକରୁ ମାରୁତି ଓମିନିରେ ଜଣେ ରୋଗୀଙ୍କ ସହିତ ୪ ଜଣ ସମ୍ପର୍କୀୟ ଆସୁଥିବା ବେଳେ ହଳଦୀପଦା ହନୁମାନ ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଓମିନିର ସମ୍ମୁଖ ଭାଗ ଚାପି ହୋଇଯିବାରୁ ଚାଳକ ଫସି ରହିଥିଲେ। ରୋଗୀଙ୍କ ସହିତ ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକ ଉଦ୍ଧାର କରିବା ସହିତ ଚାଳକଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ବସ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ଯାକ ଗାଡ଼ି ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର