ମହଙ୍ଗା ବିଦ୍ୟୁତ୍ ପଛରେ ଷଡ଼୍‌ଯନ୍ତ୍ର: ଗ୍ରିଡ୍‌କୋର ମଧ୍ୟସ୍ଥି ଭୂମିକା ନେଇ ପୁଣି ପ୍ରଶ୍ନ ଉଠିଲା

ଭୁବନେଶ୍ବର, ୭/୨ (ଇମିସ): ଆସନ୍ତା ୧୩ ତାରିଖରୁ ୨୦୨୩-୨୪ ବର୍ଷ ଲାଗି ବିଦ୍ୟୁତ୍ ଶୁକ୍ଳ ଧାର୍ଯ୍ୟ ପାଇଁ ଜନଶୁଣାଣି ହେବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ଆଗ ଧାଡ଼ିର ବିଦ୍ୟୁତ୍ ବିଶେଷଜ୍ଞମାନେ ବିଦ୍ୟୁତ୍ କିଣା-ବିକା ପ୍ରକ୍ରିୟାରେ ପୁଣି ଥରେ ଗ୍ରିଡ୍‌କୋର ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଲେଣି। କାହିଁକି ଓ କେଉଁ ପରିସ୍ଥିତିରେ ଗ୍ରିଡ୍‌କୋ ଉତ୍ପାଦନକାରୀଙ୍କ ଠାରୁ ବିଦ୍ୟୁତ୍ ଆଣୁଛି ଓ ଆବଣ୍ଟନ କଂପାନିମାନଙ୍କୁ ଦେଉଛି; ସର୍ବୋପରି ପ୍ରତିବଦଳରେ ଗ୍ରିଡ୍‌କୋର ସମସ୍ତ ଖର୍ଚ୍ଚ ଉପଭୋକ୍ତା କାହିଁକି ବହନ କରୁଛନ୍ତି, ଏହି ନିଷ୍ପତ୍ତିକୁ ସେମାନେ ଗ୍ରହଣ କରିବାକୁ ନାରାଜ। ଏହି ମହଲର ଯୁକ୍ତି ହେଉଛି, ଓଡ଼ିଶା ବିଦ୍ୟୁତ୍ ସଂସ୍କାର ଆଇନ, ୧୯୯୫ରେ ବିଦ୍ୟୁତ୍ କ୍ରୟ ପ୍ରକ୍ରିୟାରେ ଗ୍ରିଡକୋର ଏଭଳି ମଧ୍ୟସ୍ଥତା ଭୂମିକା କିଛି ନିର୍ଦିଷ୍ଟ ସମୟ ଅବଧି ବା ବର୍ଷ ପାଇଁ ଥିଲା। କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ,୨୦୦୩ ପ୍ରଣୀତ ହେବା ପରେ ଏହାର ଆଉ କୌଣସି ପ୍ରାସଙ୍ଗିକତା ନାହିଁ। ହେଲେ ସେ ସମୟରେ ଯେହେତୁ ବିଦ୍ୟୁତ୍ ପରିବହନ ଦାୟିତ୍ବ ଗ୍ରି଼ଡକୋ ତୁଲାଉଥିଲା,ଏଣୁ ରାଜ୍ୟ ସରକାର ୨୦୦୫ ଯାଏ ଗ୍ରିଡ୍‌କୋର ମଧ୍ୟସ୍ଥତା ଭୂମିକାକୁ ବଳବତ୍ତର ରଖିବାକୁ ବାଧ୍ୟ ହୋଇଥିଲେ। ହେଲେ ବିଦ୍ୟୁତ୍ ପରିବହନ ଗ୍ରିଡକୋଠାରୁ ଅଲଗା ହେବାର ଇତିମଧ୍ୟରେ ୧୮ ବର୍ଷ ବିତିଗଲାଣି। ଏହା ପରେ କାହିଁକି ଓ କାହା ସ୍ବାର୍ଥରେ ଗ୍ରିଡ୍‌କୋର ବାର୍ଷିକ ମୋଟ ରାଜସ୍ବ ଆବଶ୍ୟକତା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆେୟାଗଙ୍କ ନିକଟରେ ଦାଖଲ ହେଉଛି ଓ ଆୟୋଗ ଏହାକୁ ଅନୁମୋଦନ କରୁଛନ୍ତି, ତାହା ବୁଝିହେଉନାହିଁ।

ଏହାଦ୍ବାରା ଗ୍ରିଡ୍‌କୋର ସବୁ ଖର୍ଚ୍ଚ ଓ କ୍ଷତି ଉପଭୋକ୍ତା ବହନ କରି ଆସୁଛନ୍ତି, ଯାହା ବିଦ୍ୟୁତ୍ ଆଇନର ପରିପନ୍ଥୀ ଅଟେ। ଆହୁରି ବଡ଼ କଥା ହେଲା, ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିର ଅନେକ କାରଣ ମଧ୍ୟରୁ ଏହା ପ୍ରମୁଖ ବୋଲି ମଧ୍ୟ କୁହାଯାଇପାରେ। ଗତବର୍ଷ ଜନଶୁଣାଣି ସମୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଦ୍ୟୁତ୍ ମୂଲ୍ୟ ଧାର୍ଯ୍ୟ ପ୍ରକ୍ରିୟାରେ ଗ୍ରିଡ଼୍‌କୋ ଭୂମିକା ନେଇ ଆପତ୍ତି ଉଠାଇଥିଲେ। ଆୟୋଗ କିନ୍ତୁ ସେତେବେଳେ ଏହାକୁ ଗ୍ରହଣ କଲେ ନାହିଁ। ରାଜ୍ୟ ସରକାର ମଧ୍ୟ ଏହି ସଙ୍ଗିନ୍ ପ୍ରସଙ୍ଗ ଉପରେ ନିରବ ରହିଲେ। ହେଲେ ଏଥର ଶୁଣାଣି ପୂର୍ବରୁ ରାଜ୍ୟର ପ୍ରମୁଖ ବିଶେଷଜ୍ଞମାନେ ଅନୁରୂପ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ ଆରମ୍ଭ କଲେଣି। ଏଥିସହିତ ବିଦ୍ୟୁତ୍ ଦର ବୃଦ୍ଧି ପଛରେ ଯେ ଭୀଷଣ ଷଡ଼ଯନ୍ତ୍ର ଚାଲିଛି, ସେ ନେଇ ସାନି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଗ୍ରିଡ୍‌କୋର ମଧ୍ୟସ୍ଥି ଭୂମିକା ନେଇ ପୁଣି ପ୍ରଶ୍ନ ଉଠିଲା
କ୍ରୟ ଚୁକ୍ତି ଆବଣ୍ଟନ କଂପାନିକୁ ହସ୍ତାନ୍ତର ହେଉନି କାହିଁକି?
ଗ୍ରିଡ୍‌କୋର ଖର୍ଚ୍ଚ ଓ କ୍ଷତି ଉପଭୋକ୍ତା ଭରଣା କରିବେ କାହିଁକି?

୧୯୯୫ ମସିହାରେ ଦେଶର ପ୍ରମୁଖ ରାଜ୍ୟ ଭାବେ ଓଡ଼ିଶା ବିଦ୍ୟୁତ୍ ସଂସ୍କାର କରିଥିଲା। ସୁଲଭ ମୂଲ୍ୟରେ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ମାନର ବିଦ୍ୟୁତ୍ ଯୋଗାଣ ଥିଲା ଏହାର ମୂଳ ଲକ୍ଷ୍ୟ। ହେଲେ ଇତିମଧ୍ୟରେ ୨୮ବର୍ଷ ବିତିଯାଇଥିଲେ ହେଁ ରାଜ୍ୟବାସୀ ବିଦ୍ୟୁତ୍ ସଂସ୍କାରର ପୂର୍ଣ୍ଣ ସୁଫଳ ଅନୁଭବ କରିପାରିଲେ ନାହିଁ। ପାଖାପାଖି କୋଟିଏ ଉପଭୋକ୍ତାଙ୍କ ସାମ୍ନାରେ ବିଦ୍ୟୁତ୍ ସମସ୍ୟା ଆଜି ବି ଗୋଟିଏ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିୟମ ଅନୁସାରେ, ଆସନ୍ତା ଆର୍ଥିକ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଧାରଣ ପାଇଁ ଆୟୋଗ ପ୍ରସ୍ତୁତି କଲେଣି। ଆସନ୍ତା ସପ୍ତାହରୁ ଜନଶୁଣାଣି ଆରମ୍ଭ ହେବ। ଏହା ପୂର୍ବରୁ ବିଶେଷଜ୍ଞମାନେ ବିଦ୍ୟୁତ୍ ଦର ନିର୍ଧାରଣ ପ୍ରକ୍ରିୟାର ସବୁ ଦୋଷ ତ୍ରୁଟିକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମତରେ ୧୯୯୫ ମସିହାରେ ରାଜ୍ୟ ବିଦ୍ୟୁତ୍ ବୋର୍ଡ ଓ ବିଦ୍ୟୁତ୍ ଉତ୍ପାଦନକାରୀ କଂପାନିମଧ୍ୟରେ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ଏଇଥିପାଇଁ ଯେ ସେତେବେଳେ ହୋଇଥିବା ଚୁକ୍ତିନାମା ଅନୁସାରେ, ବିଦ୍ୟୁତ୍ କ୍ରୟ ଚୁକ୍ତି ଗ୍ରିଡ୍‌କୋ ହାତରେ ରଖାଯାଇଥିଲା। ଏଣୁ ଆବଣ୍ଟନ କଂପାନିମାନେ ତୃତୀୟ ପକ୍ଷ ବା ମଧ୍ୟସ୍ଥି (ଗ୍ରି଼ଡ୍‌କୋ) ଠାରୁ ବିଦ୍ୟୁତ୍ କିଣି ଉପଭୋକ୍ତାମାନଙ୍କୁ ଯୋଗାଣ କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏବଂ ଆୟୋଗ ଏ ବ୍ୟବସ୍ଥାରେ ସଂଶୋଧନ ଆଣିନାହାନ୍ତି।
ଅନ୍ୟପକ୍ଷରେ ପରିସଂଖ୍ୟାନକୁ ଟିକିନିଖି ଦେଖିଲେ ଜଣାପଡ଼ୁଛି ଯେ ବିଦ୍ୟୁତ୍‌ର ୟୁନିଟ୍ ପିଛା ମୂଲ୍ୟର ୭୫% କେବଳ ବିଦ୍ୟୁତ୍ କ୍ରୟ ମୂଲ୍ୟ ଅଟେ। ଏଣୁ ବିଦ୍ୟୁତ୍ ଦର ସେବେ ହ୍ରାସ ପାଇବ, ଯେବେ ବିଦ୍ୟୁତ୍ କ୍ରୟ ମୂଲ୍ୟ କମିବ। ଏକଥା ସମସ୍ତେ ଜାଣନ୍ତି। ତଥାପି ବର୍ଷ ବର୍ଷ ଧରି ଗ୍ରିଡ୍‌କୋର ବାର୍ଷିକ ରାଜସ୍ବ ଆବଶ୍ୟକତାକୁ ବେଆଇନ ଭାବେ ଆୟୋଗଙ୍କ ଠାରୁ ଅନୁମୋଦନ କରାଇ ନିଆଯାଉଛି। ଆହୁରି ସରଳ ଭାବେ କହିଲେ, ଷଡ୍‌ଯନ୍ତ୍ରକାରୀ ପୁରୁଣା ବ୍ୟବସ୍ଥାରେ ପରିବର୍ତ୍ତନ ନ ଆଣି ଅର୍ଥାତ୍ ଗ୍ରିଡ୍‌କୋର ସମସ୍ତ ଖର୍ଚ୍ଚକୁ ଯୋଜନା ବଦ୍ଧ ଭାବେ ଉପଭୋକ୍ତାଙ୍କ ମୁଣ୍ଡକୁ ଠେଲି ଚାଲିଛନ୍ତି। ଫଳରେ ୨୦୦୫ ଠାରୁ ଅଦ୍ୟାବଧି ସବୁ ବର୍ଷ ସଂପୃକ୍ତ ସଂସ୍ଥାର ସମସ୍ତ ଖର୍ଚ୍ଚ ଏବଂ କ୍ଷତିର ବୋଝ ଉପଭୋକ୍ତା ମୁଣ୍ଡାଇ ଚାଲିଛନ୍ତି।

ବିଶେଷଜ୍ଞଙ୍କ ଯୁକ୍ତି ହେଲା- ବିଦ୍ୟୁତ୍ କ୍ରୟ ଚୁକ୍ତିକୁ ସାନି ଅନୁଧ୍ୟାନ କରାଯିବାର ସମୟ କେବେଠୁ (୨୦୦୫ରୁ) ଆସିଗଲାଣି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଏହାକୁ ବର୍ଷ ବର୍ଷ ଧରି ଅଣଦେଖା କରି ଆସୁଛନ୍ତି। ଏବେ କିନ୍ତୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉତ୍ପାଦନକାରୀ ଓ ଆବଣ୍ଟନ କମ୍ପାନିଙ୍କ ମଧ୍ୟରେ କ୍ରୟ ଚୁକ୍ତି ତୁରନ୍ତ ପରିବର୍ତ୍ତନ କରାଯିବା ଦରକାର। ଗ୍ରିଡ୍‌କୋ ବଦଳରେ ଏସବୁ କ୍ରୟ ଚୁକ୍ତି ଆବଣ୍ଟନ କମ୍ପାନି ମାନଙ୍କ ସହିତ ହେବା କଥା। ଏହାଦ୍ବାରା ଉତ୍ପାଦନକାରୀ ଓ ଆବଣ୍ଟନ କଂପାନି ସିଧାସଳଖ କିଣାବିକା କରିବେ। କେବଳ ସେତିକି ନୁହେଁ, ଏସବୁ ବିଦ୍ୟୁତ୍ କ୍ରୟ ଚୁକ୍ତିକୁ ନିୟମିତ ବ୍ୟବଧାନରେ ସମୀକ୍ଷା ବା ବିଶ୍ଳେଷଣ କରାଯିବା ସହିତ ଏହାର ଅବଧି ସର୍ବାଧିକ ପାଞ୍ଚବର୍ଷ ହେବା ଉଚିତ୍।

ଏ କ୍ଷେତ୍ରରେ ଗ୍ରିଡ୍‌କୋ ହାତରେ କେବଳ ବିଦ୍ୟୁତ୍ ବ୍ୟବସାୟ ରହିବ। ବିଶେଷଜ୍ଞଙ୍କ କହିବା କଥା ହେଲା, ୧୯୯୫ ମସିହାରେ ଗ୍ରିଡ୍‌କୋ ଭୂମିକା ନେଇ ଯେଉଁ ବ୍ୟବସ୍ଥା ରହିଛି, ତାହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଗଲେ, ଭିନ୍ନ ଏକ ସମସ୍ୟା ମଧ୍ୟ ମୁଣ୍ଡ ଟେକିପାରେ। ଅର୍ଥାତ୍ ଯେବେ ଗ୍ରିଡ୍‌କୋ ହାତରୁ ମଧ୍ୟସ୍ଥତା ଦାୟିତ୍ବ ହଟିଯିବ, ସେବେ ଆବଣ୍ଟନ କମ୍ପାନିମାନଙ୍କ ହାତରେ ଯଦି ବଳକା ବିଦ୍ୟୁତ୍ ରହିଲା, ତାହାର କିଭଳି ଉପଯୋଗ କରାଯିବ? କିନ୍ତୁ ଆମର ବିଦ୍ୟୁତ୍ ବ୍ୟବସ୍ଥାରେ ଏକଥା ସ୍ପଷ୍ଟ ରହିଛି ଯେ ସଂପୃକ୍ତ ସଂସ୍ଥାମାନେ ବଳକା ବିଦ୍ୟୁତ୍‌ ପାଵାର ଏକ୍ସଚେଞ୍ଜରେ ବିକ୍ରି କରିବା ପରେ ଲବ୍ଧ ଅର୍ଥର ୫୦ ପ୍ରତିଶତ ରାଜ୍ୟ ପାଇବ। ଅର୍ଥାତ୍ ଉପଭୋକ୍ତା ଉପକୃତ ହେବେ। ଏଠାରେ ଉଲ୍ଲେଖଥାଉକି, ବିଶେଷଜ୍ଞମାନେ ଗ୍ରିଡକୋ ଭଳି ଷ୍ଟେଟ୍ ଲୋଡ଼୍ ଡେସପାଚ୍ ସେଣ୍ଟର (ଏସ୍‌ଏଲ୍‌ଡିସି) ସଂପର୍କରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ ଏହି ସଂସ୍ଥା ରାଜ୍ୟର ପ୍ରତି ମିନିଟ୍‌ର ବିଦ୍ୟୁତ୍ ସରବରାହ ହିସାବ ରଖିଥାଏ। ଯଦି ଉପଲବ୍ଧ ଶସ୍ତା ବିଦ୍ୟୁତ୍‌କୁ କିଣିବା ଉପରେ ସରକାର ଫୋକସ୍‌ କରନ୍ତି, ତେବେ ଏହି ସଂସ୍ଥା ହିଁ ଏ କ୍ଷେତ୍ରରେ ଅଧିକ ଉପଯୋଗୀ ହୋଇପାରିବ। ହେଲେ ଯେ ପର୍ଯ୍ୟନ୍ତ ଏହି ସଂସ୍ଥାକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇନାହିଁ, ବଜାରରେ ଉପଲବ୍ଧ ଶସ୍ତା ବିଦ୍ୟୁତ୍‌କୁ କିଣିବା କ୍ଷେତ୍ରରେ ଏସ୍‌ଏଲ୍‌ଡିସି ନିଷ୍ପତ୍ତି ନେଇପାରିବ ନାହିଁ। କାରଣ ଓଡ଼ିଶା ପାଵାର ଟ୍ରାନ୍‌ସମିସନ କର୍ପୋରେସନ୍ ଲିମିଟେଡ୍‌ ପରିଚାଳନାରେ ଏହି ସଂସ୍ଥା କାର୍ଯ୍ୟ କରୁଛି। ଅତଏବ ଉପଭୋକ୍ତାଙ୍କ ସ୍ବାର୍ଥରେ ରାଜ୍ୟ ସରକାର ଏବେ ଏସ୍‌ଏଲ୍‌ଡିସିକୁ ଏକ ସ୍ବୟଂଚାଳିତ ସରକାରୀ କଂପାନି ମାନ୍ୟତା ପ୍ରଦାନ କଲେ ଯାଇ ଏହାର ଲାଭ ଉପଭୋକ୍ତା ପାଇପାରିବେ।

ସମ୍ବନ୍ଧିତ ଖବର