ପୁଣି ଭୂକମ୍ପରେ ଥରିଲା ତୁର୍କୀ: ମୃତ୍ୟୁସଂଖ୍ୟା ୭୫୦୦, ଆହୁରି ବଢ଼ିବ

ଭୟଙ୍କର ହେଉଛି ମାନବୀୟ ସଙ୍କଟ, ଖାଦ୍ୟ ନାହିଁ , ପିଇବାକୁ ପାଣି ନାହିଁ

ଇସ୍ତାନବୁଲ: ତୁର୍କୀ ଏବଂ ସିରିୟାରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ରିେପାର୍ଟ ଲେଖାେହବା େବଳକୁ ୬ ହଜାର ଅତିକ୍ରମ କରିଛି। ସନ୍ଧ୍ୟା ସୁଦ୍ଧା ୭୫୦୦ ଶବ ଉଦ୍ଧାର ହୋଇଛି ଏବଂ ଭଗ୍ନସ୍ତୂପ ତଳେ ହଜାର ହଜାର ଲୋକ ଫସି ରହିଛନ୍ତି। ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଭୂକମ୍ପ ପରବର୍ତ୍ତୀ ସ୍ଥିତି ଅତି ଭୟଙ୍କର ରହିଛି। ତୁର୍କୀରେ ଗତକାଲି ୩ ଥର ଭୂକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଲାଗି ରହିଥିବା ବେଳେ ଆଜି ପୁଣିଥରେ କେନ୍ଦ୍ରୀୟ ତୁର୍କୀରେ ଦୁଇ ଥର ୫.୬ ଓ ୫.୭ ତୀବ୍ରତାର ଭୂକମ୍ପ ‌ଅନୁଭୂତ ହୋଇଛି।

ମହାସଙ୍କଟର ମୁକାବିଲା ପାଇଁ ତୁର୍କୀ ଅନ୍ତର୍ଜାତୀୟ ସହାୟତା ନିମନ୍ତେ ଅନୁରୋଧ କରିଛି ଏବଂ ଭାରତ ସମେତ ୭୦ ରୁ ଅଧିକ ରାଷ୍ଟ୍ର ଏବଂ ୧୪ ଅନ୍ତର୍ଜାତୀୟ ସଂଗଠନ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି। ତୁର୍କୀରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ‌ରେ ବାଧା ସୃଷ୍ଟି ହୋଇଛି। ଭୂକମ୍ପରୁ ବଞ୍ଚିଯାଇଥିବା ଲୋକମାନେ ଏବେ ଭୀଷଣ ଥଣ୍ଡା, ଘନ ଅନ୍ଧାର ଓ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ମ‌ୁନ୍ଦେ ବି ନାହିଁ। ପ୍ରବଳ ଶୀତ ଏବଂ ବରଫ ବର୍ଷା ଅତି ଶୋଚନୀୟ ସ୍ଥିତି ସୃଷ୍ଟି କରିଛି।
ତୁର୍କୀ ରାଷ୍ଟପ୍ରତି ଏର୍ଡୋଗାନ ଆଜି ୧୦ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ଅତ୍ୟଧିକ ଥଣ୍ଡା ଭଗ୍ନ କୋଠା ତଳେ ଫସି ରହିଥିବା ଲୋକମାନଙ୍କ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ୮ ହଜାରରୁ ଅଧିକ ଲୋକଙ୍କୁ ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ତୁର୍କୀ ଏବଂ ସିରିୟାରେ ହଜାର ହଜାର କୋଠା ମାଟିରେ ମିଶି ଯାଇଛି ।

ଭୟଙ୍କର ହେଉଛି ମାନବୀୟ ସଙ୍କଟ
ଖାଦ୍ୟ ନାହିଁ , ପିଇବାକୁ ପାଣି ନାହିଁ
ବରଫ ବର୍ଷା, ଉଦ୍ଧାର କାର୍ଯ୍ୟରେ ବାଧା
ସିରିୟାରେ ୪୦ ଲକ୍ଷରୁ ଅଧିକ ବିପନ୍ନ

ପୂର୍ବରୁ ମାନବୀୟ ସହାୟତା ଉପରେ ନିର୍ଭରଶୀଳ ଥିବା ସିରିୟାରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। ତୁର୍କୀ କେବଳ ଏହାର ଇତିହାସରେ ନୁହେଁ ବରଂ ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସାମ୍ନା କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ସିରିୟା ପୂର୍ବରୁ ସଙ୍କଟରେ ରହିଛି। ସିରିୟାକୁ ଏବେ ଅଧିକ ମାତ୍ରାରେ ମାନବୀୟ ସହାୟତା ଆବଶ୍ୟକ‌। ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ଏବେ ସମୟ ବିରୋଧରେ ଦୌଡ଼ିବାର ସମୟ। ପ୍ରତି ମିନିଟ୍‌ ଏବଂ ପ୍ରତି ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଲୋକଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭାବନା କମିଯାଉଛି। ବିଶେଷ କରି ତୁର୍କୀ ଏବଂ ସିରିୟାର ଯେଉଁ ଅଞ୍ଚଳରେ ଭୂକମ୍ପ ପରଠାରୁ କିଛି ଖବର ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେଥିପାଇଁ ସବୁଠାରୁ ଅଧିକ ଚିନ୍ତିତ ଅଛନ୍ତି।

ତୁର୍କୀରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ୫୪ ହଜାର ଅସ୍ଥା‌ୟୀ ଟେଣ୍ଟ ପ୍ରତିଷ୍ଠା ହୋଇଛି। ୧୦୨,୦୦୦ ବେଡ୍‌ ପଠାଯାଇଛି। ପ୍ରାୟ ୫୪ ହଜାର ଲୋକ ଉଦ୍ଧାର କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି। ତୁର୍କୀ ଅପେକ୍ଷା ସିରିୟାରେ ଉଦ୍ଧାର କାର୍ଯ୍ୟ ଅଧିକ ଚ୍ୟାଲେଞ୍ଜିଂ ହୋଇଛି। ଭୂକମ୍ପରେ ଶତାଧିକ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ସିରିୟାର କେତେକ ଅଞ୍ଚଳ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ଏବଂ ଜାତିସଂଘର ସହାୟତା ସେଠାରେ ପହଞ୍ଚି ପାରୁନି।

ସମ୍ବନ୍ଧିତ ଖବର