ବିବାଦରେ କ୍ରାଇମବ୍ରାଞ୍ଚର ସିନ୍ ରିକ୍ରିଏସନ୍: ଏଭିଡେନ୍ସ ଆକ୍ଟ୍‌-୨୭ର ଖୋଲା ଉଲ୍ଲଂଘନ

କଟକ: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି। କିନ୍ତୁ ଏଥିରେ ଯେଉଁ ଚିତ୍ର ସାମନାକୁ ଆସିଛି, ସେଥିରେ ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଧାରା ୨୭ର ଖୋଲା ଉଲ୍ଲଂଘନ ହୋଇଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ଜାତି ଜାଲିଆତି ଅଭିଯୋଗ ରହିଥିବା ପୁଲିସ ଡିଏସପି ରମେଶ ଦୋରାଙ୍କୁ ଗୋଟିଏ ତଦନ୍ତ ଟିମ୍‌ର ମୁଖ୍ୟ କରାଇ କ୍ରାଇମବ୍ରାଞ୍ଚ ବିବାଦରେ ଥିବା ବେଳେ ଏବେ ଆଜିର ସିନ ରିକ୍ରିଏସନ୍ ଘଟଣା ତଦନ୍ତକୁ ଏକପ୍ରକାର ପ୍ରହସନରେ ପରିଣତ କରାଯାଉଥିବା କୁହାଯାଉଛି। ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ଧାରା ୨୭ ଅନୁଯାୟୀ, ଅଭିଯୁକ୍ତ ସିନ୍ ରିକ୍ରିଏସନ୍ ସ୍ବତଃ ପ୍ରବୃ୍ତ୍ତ ଭାବେ କରେ। କିନ୍ତୁ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ଗୋପାଳର ହାତକୁ ଧରି ବିଭିନ୍ନ ଅଙ୍ଗଭଙ୍ଗୀ ସମ୍ପର୍କରେ ବତାଇ ଯେଭଳି ସିନ୍ ରିକ୍ରିଏସନ କରାଉଥିଲେ, ତାହାର କୌଣସି ମୂଲ୍ୟ ଅଦାଲତରେ ନାହିଁ ବୋଲି ଅନେକ ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି।

ନବ ଦାସଙ୍କୁ ସର୍ବ ସମ୍ମୁଖରେ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି କରିଥିବା କୁହାଯାଉଥିଲେ ବି ଏଯାଏ ଏହି ଦୃଶ୍ୟ ଦେଖିଥିବା କୌଣସି ସାକ୍ଷୀ କ୍ରାଇମବ୍ରାଞ୍ଚ ପାଖରେ ନାହାନ୍ତି। ଯେଉଁ ଭିଡିଓ ଭାଇରାଲ୍ ହେଉଛି, ଏଥିରେ ଗୋପାଳ ନବ ଦାସଙ୍କ କାର୍ ନିକଟକୁ ଯାଉଥିବା ବେଳେ ଗୁଳି ଫୁଟାଇବାର କୌଣସି ଫୁଟେଜ୍ ବର୍ତ୍ତମାନ ସୁଦ୍ଧା ନାହିଁ। କେତେବେଳେ ଗୋପାଳକୁ ମାନସିକ ରୋଗୀ ଦର୍ଶାଯାଉଛି ତ କେତେବେଳେ ୨୨ ପୃଷ୍ଠାର ହାତ ଲେଖା କାଗଜ ଝାରସୁଗୁଡ଼ା ଏୟାରପୋର୍ଟ ପାଇଖାନା ଟାଙ୍କୀରୁ ଗୋପାଳର ବୋଲି କହି କ୍ରାଇମବ୍ରାଞ୍ଚ ଜବତ କରିଥିବା ଦାବି କରୁଛି। ଏ ସବୁର ସତ୍ୟାସତ୍ୟକୁ ନେଇ ସନ୍ଦେହ ବଢୁଛି। ଘଟଣାର ୧୦ ଦିନ ପରେ କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦେଇ ପାରିନାହିଁ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅପରାଧିକ ମାମଲାରେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରେ ଥିବା ବେଳେ ସ୍ବାଧୀନ ସାକ୍ଷୀଙ୍କ ସାମନାରେ ସେ ଘଟଣା ସମ୍ପର୍କରେ ନିଜର ବୟାନ ସ୍ବତଃ ପ୍ରବୃତ୍ତ ଭାବେ ରଖିବ। ବିନା କୌଣସି ଇଙ୍ଗିତରେ ନିଜେ ଘଟଣାସ୍ଥଳକୁ ପୁଲିସକୁ ବାଟ କଢାଇ ନେବ ଏବଂ ସଂପୂର୍ଣ୍ଣ ଘଟଣାକ୍ରମକୁ ପୁନଃ ପ୍ରଦର୍ଶିତ କରିବ। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ଉଦ୍ଧାର କରି ପୁଲିସର ଜିମା ଦେବ। ଏହାର ଭିଡିଓ ରେକର୍ଡ କରାଯିବ। ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ଧାରା ୨୭ରେ ଏ ସବୁ ସମ୍ପର୍କରେ ଉଲ୍ଲେଖ ରହିଛି। କିନ୍ତୁ ଗୋପାଳର ମଙ୍ଗଳବାର ଦିନ ହୋଇଥିବା ସିନ୍ ରିକ୍ରିଏସନ ସମୟରେ କ୍ରାଇମବ୍ରାଞ୍ଚ ଟିମର ହାବଭାବ ବଡ଼ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଗୋପାଳ ସବୁ କିଛି କରୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ତଦନ୍ତର ଫଳାଫଳକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର