ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଶ୍ରଦ୍ଧାଞ୍ଜଳି

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଵର୍ଗତ ପୂର୍ବତନ କୁଳପତି ପ୍ରଫେସର ଆଇ ରାମାବ୍ରହ୍ମମଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏକ ରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସ୍ବର୍ଗତ ପୂର୍ବତନ କୁଳପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଭରପ୍ରାପ୍ତ କୁଳସଚିବ ତଥା ଫାଇନାନ୍ସ ଅଫିସର ପ୍ରଫେସର ନୃସିଂହ ଚରଣ ପଣ୍ଡା, ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ମେଶ୍ରାମ, ଶିକ୍ଷାବିତ୍ ଉପଦେଷ୍ଟା ପ୍ରଫେସର ସୁଧେନ୍ଦୁ ମଣ୍ଡଳ; ଉପଦେଷ୍ଟା ପ୍ରଶାସକ ପ୍ରଫେସର ବିଭାଷ ଚନ୍ଦ୍ର ଝା; ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପାଳିତା, ପ୍ରଫେସର ବାଗଚୀ ଓ ପ୍ରଫେସର ହେମରାଜ ମୀନା; ଆସୋସିଏଟ୍ ପ୍ରଫେସର ଡ. କପିଳା ଖେମୁଣ୍ଡୁଙ୍କ ସମେତ ସମସ୍ତ କର୍ମଚାରୀ ପ୍ରଫେସର ରାମବ୍ରହ୍ମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦିବଂଗତ ଆତ୍ମାଙ୍କୁ ସମ୍ମାନ ଜଣାଇ ଦୁଇ ମିନିଟ୍ ନୀରବତା ଅବଲମ୍ବନ କରାଯାଇଥିଲା।

ଏହି ଅବସରରେ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବ୍ଲେଣ୍ଡେଡ ମୋଡରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଫେସର ରାମବ୍ରହ୍ମମ ଜଣେ କର୍ମଠ ବ୍ୟକ୍ତି, ଜଣେ ପ୍ରକୃତ ମାର୍ଗଦର୍ଶକ ଓ ନେତା, ଜଣେ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଜଣେ ମହାନ ସାମାଜିକ ଚିନ୍ତକ ଏବଂ ନୀତି ନିର୍ମାତା ଥିଲେ। ସେ ଯଥାସମ୍ଭବ ଚେଷ୍ଟା କରିଥିଲେ ଏବଂ ତାଙ୍କ ଅଳ୍ପ ସମୟ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟକୁ ବିକଶିତ କରିବା ପାଇଁ ବହୁତ ଯୋଜନା କରିଥିଲେ । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ସ୍ୱର୍ଗତ ପ୍ରଫେସର ରାମାବ୍ରହ୍ମମଙ୍କ ସହ ବିତାଇଥିବା ସ୍ମରଣୀୟ ସମୟକୁ ସେ ମନେ ପକାଇଥିଲେ । ସେ ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ଥିବା ପୂର୍ବତନ କୁଳପତିଙ୍କ ସ୍ୱପ୍ନକୁ ତାଲିକାଭୁକ୍ତ କରିବା ପାଇଁ ଘୋଷଣା କରିଥିଲେ ଏବଂ ତାଙ୍କର ଅଧୁର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପ୍ରକୃତ ଭାବନା ସହିତ କାର୍ଯ୍ୟ କରିବୁ, ଯାହା ତାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପ୍ରତି ମହାନ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।

ପ୍ରଫେସର ରାମବ୍ରହ୍ମମ ଜଣେ ଦୂରଦର୍ଶୀ କୁଳପତି ତଥା ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ରାଜନୀତି ବିଜ୍ଞାନୀ ଥିଲେ ବୋଲି ପ୍ରଫେସର ମଣ୍ଡଳ କହିଥିଲେ। ପ୍ରଫେସର ରାମବ୍ରହ୍ମମଙ୍କ ଅକାଳ ବିୟୋଗରେ ବିଶ୍ୱବିଦ୍ୟାଳୟ ଜଣେ ପ୍ରକୃତ ନେତାଙ୍କୁ ହରାଇଲା ବୋଲି ସେ ମତ ବ୍ୟକ୍ତ କରିଥିଲେ । ପ୍ରଫେସର ପଳିତା ପୂର୍ବତନ କୁଳପତି ଯୋଗଦେବା ଦିନଠାରୁ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ପଣ୍ଡା ପୂର୍ବତନ କୁଳପତିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ବିଶ୍ୱବିଦ୍ୟାଳୟ ସମୁଦାୟକୁ ଆହ୍ଵାନ ଦେଇଥିଲେ।

ପ୍ରଫେସର ରାମବ୍ରହ୍ମମଙ୍କ ଚିନ୍ତାଧାରା ତାଲିକାଭୁକ୍ତ ହେବ ଏବଂ ଆମେ ଏହି ଧାରାରେ କାର୍ଯ୍ୟ କରିବୁ ବୋଲି ପ୍ରଫେସର ଝା ପ୍ରତିକ୍ରିୟା ରଖିଥିଲେ। ଏହା ବିଶ୍ୱବିଦ୍ୟାଳୟର ଏକ ଅପୂରଣୀୟ କ୍ଷତି ବୋଲି ଡ. ମେଶ୍ରାମ କହିଥିଲେ । ପ୍ରଫେସର ମୀନା, ଡ. ଖେମୁଣ୍ଡୁ, ଡ. ଗୁପ୍ତା, ଡ. ରାମେନ୍ଦ୍ର କୁମାର ପାଢ଼ୀ, ଡ. କାକୋଲି ବାନାର୍ଜୀ, ଡ. ପ୍ରଦୋଷ କୁମାର ସ୍ବାଇଁ, ଡ. ଦିଲୀପ ପଟ୍ଟନାୟକ, ଡ. ଫଗୁନାଥ ଭୋଇ ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ସ୍ଵର୍ଗତ ପ୍ରଫେସର ରାମାବ୍ରହ୍ମମଙ୍କ ସହ ଅତିବାହିତ କରିଥିବା ସ୍ମୃତିକୁ ମନେ ପକାଇଥିଲେ।
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ରାମବ୍ରହ୍ମମ ୦୬ ଡିସେମ୍ବର ୨୦୧୯ରେ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ୨୮ ଜୁଲାଇ ୨୦୨୧ରେ ତାଙ୍କର ଦେହାନ୍ତ ହୋଇଥିଲା । ପୂର୍ବତନ କୁଳପତି ସ୍ୱର୍ଗତ ପ୍ରଫେସର ରାମବ୍ରହ୍ମମଙ୍କ ସ୍ମୃତିରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପ୍ରଫେସର ଆଇ ରାମବ୍ରହ୍ମମ ସ୍ମୃତି ବ୍ୟାଖ୍ୟାନର ଆୟୋଜନ ଆରମ୍ଭ କରାଯିବ ଏବଂ ପ୍ରଫେସର ରାମାବ୍ରହ୍ମମଙ୍କ ବିଷୟ ରାଜନୀତି ବିଜ୍ଞାନରେ ନୂତନ ପିଜି ପାଠ୍ୟକ୍ରମ ଆରମ୍ଭ କରିବାକୁ ବିଶ୍ୱବିଦ୍ୟାଳୟ ଆରମ୍ଭ କରିବ ବୋଲି ପ୍ରସ୍ତାବ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର