ବିଶୃଙ୍ଖଳ ଆଚରଣ ମହଙ୍ଗା ପଡ଼ିଲା: ଉମେଶ ଶରଣ ନିଲମ୍ବିତ, ସେକ୍ ସବିର ହୁସେନଙ୍କୁ କାରଣ ଦର୍ଶାଅ ନୋଟିସ୍‌

ରାଉରକେଲା: ଜିଲ୍ଲା କଂଗ୍ରେସ ଭବନ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କ ଆଖି ସାମ୍‌ନାରେ ପ୍ରଥମେ ଠେଲାପେଲା, ତା’ପରେ ହାତାହାତି ଓ ଶେଷରେ ତଳେ ଗଡ଼ାପଡ଼ା ହୋଇ ସାରା ରାଜ୍ୟରେ ପରିହାସର ପାତ୍ର ହୋଇଥିବା ରାଉରକେଲାର ଦୁଇଜଣ କଂଗ୍ରେସ ନେତାଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ତଦନ୍ତ ପରେ ଆଜି ଭୁବନେଶ୍ବରସ୍ଥ ରାଜ୍ୟ କଂଗ୍ରେସ ଭବନରେ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ବୈଠକ କମିଟିରେ ଗତ ୧୩ ତାରିଖ ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଘଟିଥିବା ଉପରୋକ୍ତ ଘଟଣ ସଂପର୍କରେ ଆଲୋଚନା କରାଯାଇଥିଲା।

ପରେ ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତାଙ୍କୁ କାହିଁକି ନିଲମ୍ବନ କରା ନଯିବ, ସେ ବିଷୟରେ ମତ ରଖିବାଲାଗି ତାଙ୍କୁ ୧୫ ଦିନ ସମୟ ଦିଆ ଯାଇଛି। ସେହିପରି ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପୂର୍ବତନ ଅଧ୍ୟକ୍ଷ ସେକ୍ ସବିର ହୁସେନଙ୍କ ବିରୋଧରେ କାହିଁକି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂପର୍କରେ ୧୫ ଦିନ ଭିତରେ ଉତ୍ତର ଦେବାଲାଗି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯେଉଁ କଂଗ୍ରେସ ନେତା ଓ କର୍ମୀମାନେ ଫେସ୍‌ବୁକ ଓ ସେହିଭଳି ଅନ୍ୟ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳର ଶୀର୍ଷ ନେତା ଓ ଦଳର ଭାବମୂର୍ତିକୁ କ୍ଷୂର୍ଣ୍ଣ କରିବାଭଳି ମତ ଓ ଟିପ୍ପଣୀ ଦେଇ ଦଳକୁ ନିନ୍ଦିତ କରୁଛନ୍ତି, ସେମାନେ ସେଥିରୁ ବିରତ ରହିବାଲାଗି ଶୃଙ୍ଖଳା କମିଟି ବୈଠକରେ ସତର୍କ କରା ଯାଇଥିଲା। ଆଗକୁ ଯଦି ଏଭଳି ଘଟଣା ଘଟେ, ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଉଲ୍ଲେଖନୀୟ ଯେ ରାଉରକେଲା ଜିଲ୍ଲା କଂଗ୍ରେସରେ ‌ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଛି। ଅତିକମ୍‌ରେ ୩ଟି ଗୋଷ୍ଠୀ ଏବେ ସକ୍ରିୟ ରହିଛନ୍ତି। ପଦ ହାତେଇବା ଓ ବିଭିନ୍ନ କାର୍ଯ୍ୟକ୍ରମର ଆଗରେ ବସିବାକୁ ଏ ନେତାମାନଙ୍କ ମଧ୍ୟରେ ଖୋଲା ପ୍ରତିଯୋଗିତା ଚାଲିଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ହଟାଇବାକୁ ଗତ ୮ରେ ଭୁବନେଶ୍ବରରେ ଏକ ସଭା ଆୟୋଜନ କରା ଯାଇଥିଲା। ତା’ର ନେତୃତ୍ବ ନେଇଥିଲେ ବିଧାୟକ ମହମ୍ମଦ ମୋକିମ୍‌ ଓ ରଣଜିତ ବିଶ୍ବାଳ। ଏହି ସମ୍ମିଳନୀକୁ ବିରୋଧ କରି ତଥା ଶରତ ପଟ୍ଟନାୟକଙ୍କ ସମର୍ଥନରେ ୧୩ ତାରିଖରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ପୂର୍ବତନ ରାଜ୍ୟ ସମ୍ପାଦକ ରବି ରାୟ, ରାଜ୍ୟ ସମ୍ପାଦକ ପ୍ରବୋଧ ଦାସ, ଜିଲ୍ଲା ଯୁବ ସଭାପତି ଜ୍ଞାନେନ୍ଦ୍ର ଦାଶ ଓ ସଭାନେତ୍ରୀ ନିରୂପମା ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଆଗ ଧାଡିରେ ଖାଲି ପଡିଥିବା ଏକ ସିଟ୍‌ରେ ବସିଥିଲେ ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସବିର ହୁସେନ୍‌। ଏହାକୁ କଡା ପ୍ରତିବାଦ କରିଥିଲେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଉମେଶ ଶରଣ। ସେ ଶ୍ରୀ ହୁସେନଙ୍କୁ ପଛ ଧାଡିରେ ବସିବାକୁ କହିଥିଲେ। ଏହାକୁ କେନ୍ଦ୍ରକରି ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଠେଲାପେଲା ସହ ମୁଥ ମରାମରି ପର୍ଯ୍ୟନ୍ତ ବଢ଼ିଥିଲା। ଉପସ୍ଥିତ ବରିଷ୍ଠ ନେତାମାନଙ୍କର ବୁଝାସୁଝା କିଛି କାମ କରି ନଥିଲା। ଗଣମାଧ୍ୟମର କ୍ୟାମେରା ଆଗରେ ଦୁଇ ନେତା ଠେଲାପେଲା ହୋଇ ତଳେ ପଡିଯାଇଥିଲେ ଓ ତା’ପରେ ମଧ୍ୟ ଗଡାପଡା ହୋଇ ପରସ୍ପରକୁ ଲାତ ଓ ମୁଥ ମାରି ଚାଲିଥିଲେ। ଏସବୁ ପ୍ରାୟ ୧୫ ମିନିଟ୍‌ ଧରି ଚାଲିଥିଲା। ସ୍ଥିତି ଶାନ୍ତ ନପଡ଼ିବାରୁ ନେତାମାନେ ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରି ପାର୍ଟି କାର୍ଯ୍ୟାଳୟରୁ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର