ବଙ୍ଗାଳିଗୁଡାରେ ବିଜୁଳି ଆଲୁଅ ସାତ ସପନ

ରାମନାଗୁଡା : ପ୍ରତି ଗ୍ରାମଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ଲୋକେ ଯେଭଳି ଅନ୍ଧାରରେ ନରହିବେ ସେଥିପ୍ରତି ଗୁୁରୁତ୍ୱ ଦିଆଯାଉଛି। ତେବେ ବର୍ତମାନ ବି ଏଭଳି କିଛି ଗାଁ ରହିଛି ଯେଉଁଠି ଲୋକେ ଡିବିରି ଆଲୁଅରେ କାଳାତିପାତ କରୁଛନ୍ତି। ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ବଙ୍ଗାଳିଗୁଡା ଗ୍ରାମବାସୀ। ସ୍ୱାଧୀନତାର ଦୀର୍ଘ ୭୧ବର୍ଷ ପରେ ମଧ୍ୟ ଏହି ଗାଁରେ ବିଦ୍ୟୁତ ସେବା ପହଞ୍ଚି ପାରୁନଥିବାରୁ ଗ୍ରାମବାସୀ ବହୁ ହଇରାଣ ହେଉଛନ୍ତି।

ରାମନାଗୁଡା ମୁଖ୍ୟ ରାସ୍ତାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି ବଙ୍ଗାଳିଗୁଡା ଗାଁ। ପାରିଖିତି ପଞ୍ଚାୟତ ଅଧୀନରେ ରହିଥିବା ଏହି ଗାଁରେ ବର୍ତମାନ ସୁଦ୍ଧା ବିଦ୍ୟୁତ ସେବା ପହଞ୍ଚି ପାରିନି। ଫଳରେ ଦୀର୍ଘ ବର୍ଷ ହେଲା ଡିିବିରି ଆଲୁଅରେ ଗ୍ରାମବାସୀ ଜୀବନ ବିତାଉଛନ୍ତି। ଏହି ଗ୍ରାମରେ ସୌରା ଓ କନ୍ଧ ଆଦିବାସୀ ସଂପ୍ରଦାୟର ୧୫ଟି ପରିବାରର ୭୦ରୁ ଊର୍ଧ୍ୱ ଜଣ ବସବାସ କରୁଛନ୍ତି। ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଗାଁର କିଛି ଲୋକ ଛୋଟ ସୋଲାର ଲ୍ୟାମ୍ପ କିଣି ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଗୋଟିଏ ବଲବ ଓ ମୋବାଇଲ ଚାର୍ଜ ହେଉଛି। ତେବେ ଅନ୍ୟ ପରିବାର ଡିବିରି ଆଲୁଅ ଉପରେ ନିର୍ଭର କରୁଛନ୍ତି। ତେବେ ଡିବିରି ଜଳାଇବା ପାଇଁ ଆବଶ୍ୟକ ପରିମାଣର କିରାସିନି ମିଳୁନଥିବାରୁ ହଇରାଣ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।

ସମସ୍ତ ଗାଁକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। ତେବେ ବଙ୍ଗାଳିଗୁଡା ଗ୍ରାମରେ ଦୀର୍ଘ ବର୍ଷ ପରେ ମଧ୍ୟ ବିଦ୍ୟୁତ ସେବା ପହଞ୍ଚି ନପାରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ଗାଁରେ ବିଦ୍ୟୁତ ସେବା ପହଞ୍ଚିବ ବୋଲି ଜାଣିବା ପରେ ୩ମାସ ତଳେ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ବିଦ୍ୟୁତ ଖୁଣ୍ଟ ପୋତିଛନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ଗାଁରେ ଏହି ସେବା ଅପହଞ୍ଚ ହୋଇ ରହିଛି। ଶୀଘ୍ର ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗୋପାଳ କଣ୍ଡାଗରି, ପୁନିଆ ପାତିକା, ଇତାତୁ କାଡ୍ରାକା, ଦୁବୁଡା ପାତିକା, ନାଗେଶୁ ମୁଟିକା ପ୍ରମୁଖ ଦାବି କରିଛନ୍ତି। ଏସଂପର୍କରେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ପଚାରିବାରୁ ମାର୍ଚ ମାସ ଶେଷ ସୁଦ୍ଧା ଏହି ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର