୨୬ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ: ଏମ୍‌ସିଏଲ ପ୍ରକଳ୍ପରେ ଜମି ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ନିର୍ଦ୍ଦେଶ

କଟକ : ସରକାରୀ ପ୍ରକଳ୍ପ ପାଇଁ ଜମି ହରାଇ ୧୯୯୬ରୁ ପୁନର୍ବାସ ଓ ଥଇଥାନ ଯୋଜନାରେ ଚାକିରି ଲାଗି ଅପେକ୍ଷା କରି ରହିଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଂଗରେ ପଦକ୍ଷେପ ନେବାକୁ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକା ଭଳି ସ୍ଥିତିରେ ଜମି ହରାଇଥିବା ଦୁଇ ବ୍ୟକ୍ତିଙ୍କ ନାତିଙ୍କୁ ଏମସିଏଲ୍ ପୂର୍ବରୁ ଚାକିରି ଦେଇଥିବା ବେଳେ ଆବେଦନକାରୀଙ୍କ କ୍ଷେତ୍ରରେ ମଧ୍ୟ ସାମନ ନୀତି ଅନୁସରଣ କରି ନିଯୁକ୍ତି ପ୍ରଦାନ କରାଯିବ।। ୬ ମାସ ଭିତରେ ଆବେଦନକାରୀଙ୍କୁ ନିଯୁ୍କ୍ତି ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୬ରୁ ଚାକିରି ପାଇଁ ଆବେଦନକାରୀ ଅପେକ୍ଷା କରି ରହିଥିବା ବେଳେ ଏବେ ତାଙ୍କୁ ପ୍ରାୟ ୫୨ ବର୍ଷ ବୟସ। ଏବେ ବି ସେ ୮ ବର୍ଷ ସେବା ‌ଦେଇ ପାରିବେ ବୋଲି ହାଇକୋର୍ଟ କହିବା ସହିତ ନିଯୁକ୍ତି ପ୍ରଦାନ ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁନୀଲ କୁମାର ଦାଶଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏମସିଏଲ ପାଇଁ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା। ଆବେଦନକାରୀଙ୍କ ଜେଜେ ବାଳମୁକୁନ୍ଦ ଦାଶଙ୍କ ୯୧୮ ଡିସିମିଲ ଜମି ଏଥି ପାଇଁ ଅଧିଗ୍ରହଣ କରାଯାଇଥିବା ବେଳେ ୧୯୯୫, ମାର୍ଚ୍ଚ ୨୫ରେ ନାତିକୁ ଚାକିରି ପ୍ରଦାନ ପାଇଁ ଶ୍ରୀ ଦାଶ ଦରଖାସ୍ତ ଦାଖଲ କରିଥିଲେ। ୧୯୯୬, ଜାନୁଆରି ୨ରେ ଝାରସୁଗୁଡା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସବ୍‌-କମିଟି ବୈଠକରେ ବାଳମୁକୁନ୍ଦ ଦାଶଙ୍କ ନାତି ସୁନୀଲଙ୍କୁ ପୁନର୍ବାସ ଓ ଥଇଥାନ ଯୋଜନାରେ ନିଯୁକ୍ତି ପ୍ରଦାନ ସପକ୍ଷରେ ସୁପାରିସ କରାଯାଇଥିଲା। ୨୦୦୪ ଓ ୨୦୦୬ରେ ପୁନର୍ବାସ ଓ ଥଇଥାନ କମିଟି ଓ ପରବର୍ତ୍ତୀ ସମୟରେ ସମ୍ବଲପୁର ଆରଡିସି ମଧ୍ୟ ସୁନୀଲଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଜମି ହରାଇ ସମାନ ଅବସ୍ଥାରେ ଥିବା ଅନ୍ୟ ଦୁଇ ବ୍ୟକ୍ତିଙ୍କ ନାତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ସୁନୀଲଙ୍କୁ କିନ୍ତୁ ଏଥିରୁ ବଞ୍ଚିିତ କରାଯାଇଥିଲା। କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ବିରୋଧରେ ସୁନୀଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର