ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ: ଲାଗିଥିବା ଫଳକ ହଟେଇଦେଲେ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ବିବାଦ ଲାଗିରହିଛି। ଏହା ବେଆଇନ ବୋଲି ଅଭିଯୋଗ କରି ଭକ୍ତ, ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତଥାପି ଜିଲ୍ଲାପ୍ରଶାସନର ପ୍ରଚ୍ଛନ୍ନ ସହଯୋଗରେ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଖନନ ଓ ନିର୍ମାଣ ଜାରି ରଖିଛି। ଏହାକୁ କେନ୍ଦ୍ରକରି ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଆଜି ଠିକା ସଂସ୍ଥା ନିର୍ମାଣସ୍ଥଳରୁ ଲାଗିଥିବା ଫଳକ ହଟାଇନେବା ଚର୍ଚ୍ଚାର ବିଷୟ ପାଲଟିଛି। ଶୁଣିବାକୁ ମିଳିଛି, ଆସନ୍ତାକାଲି ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳ ପରିଦର୍ଶନରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଫଳକ ହଟାଇ ଦିଆଯାଇଥିବା ନେଇ ଆଲୋଚନା ହେଉଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ଜାରି ରହିଛି। ଏ ଉପରେ କୌଣସି ଅନୁମତି ମିଳିନଥିଲେ ବି ନିୟମକୁ ଉଲ୍ଲଂଘନ କରି ଶ୍ରୀମନ୍ଦିରରେ ୧୦୦ ମିଟର ପରିଧିରେ ପ୍ରାୟ ୩୦ରୁ ୫୦ ଫୁଟ ଗର୍ତ୍ତ ଖୋଳି ଏଭଳି ନିର୍ମାଣ ଜାରି ରହିଥିବା ଅଭିଯୋଗ ହୋଇଛି। ଯାହାର ପ୍ରମାଣ ବି ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଛି। ଏହା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଥିବା ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଅଭିଯୋଗ କରି ଆସୁଛନ୍ତି। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ବି ଅଭିଯୋଗ ହୋଇଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ଜାରି ରହିଛି। କେଉଁ ସ୍ଥାନରେ କେଉଁ କାମ କରାଯାଉଥିଲା ତାହାର ଫଳକ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଯେଉଁଥିରେ ଶୌଚାଳୟ ସହ ଦାନ କିଓସ୍କୋ, ଇଲେକ୍ଟ୍ରିକାଲ ରୁମ୍‌ ସହ ଅନ୍ୟାନ୍ୟ କାମର ଫଳକ ଲାଗିଥିଲା। ସେସବୁକୁ ଆଜି ହଟାଇ ଦିଆଯାଇଛି। ଯାହାକି, ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଆଜି ହଠାତ୍‌ ଏଭଳି ଫଳକକୁ ହଟାଇ ଦିଆଯିବା ବିଭିନ୍ନ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି। ଆସନ୍ତାକାଲି ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ଆସୁଥିବାରୁ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପଶ୍ଚିମଦ୍ୱାର, ଶ୍ରୀମନ୍ଦିର କାର୍ଯ୍ୟାଳୟ, ଦକ୍ଷିଣଦ୍ୱାର, ପୂର୍ବ-ଦକ୍ଷିଣ ଦ୍ୱାର କୋଣରେ ଖନନ ସ୍ଥଳରେ ବାଲି ପୋତି ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା ଚର୍ଚ୍ଚାର ପରିସରକୁ ଆସିଥିଲା।

ସମ୍ବନ୍ଧିତ ଖବର