ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ମାମଲା: ସତ୍ୟପାଠ ଦାଖଲ ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ

ନିର୍ମାଣ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ହେବ: ହାଇକୋର୍ଟ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ବେଆଇନ ଖନନ ଓ ନିର୍ମାଣ ଅଭିଯୋଗ ସଂକ୍ରାନ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଥିବା ବେଆଇନ ଖନନ ଓ ନିର୍ମାଣ ସଂପର୍କିତ ଅଭିଯୋଗ ଅନୁଧ୍ୟାନ କରିବାପରେ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବ। ଏପରି କାର୍ଯ୍ୟ ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ରହିଛି ବୋଲି ଆବେଦନକାରୀଙ୍କ ଆଶଙ୍କା ରହିଥିବାବେଳେ ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରସଂଗରେ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବ। ବର୍ତ୍ତମାନ ଚାଲିଥିବା ଏପରି ନିର୍ମାଣ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ଚାହିଁଲେ ଏଏସଆଇ କରିପାରିବ ବୋଲି ହାଇକୋର୍ଟ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନକୁ ଆଗୁଆ ଅବଗତ କରି ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ତିନି ଦିନ ପୂର୍ବରୁ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଦିଲ୍ଲୀପ କୁମାର ବରାଳ ଦର୍ଶାଇଥିଲେ ଯେ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ ଓ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ (ଆମେଣ୍ଡମେଣ୍ଟ ଆଣ୍ଡ ଭାଲିଡେସନ୍) ଆକ୍ଟ, ୨୦୧୦ ର ଉଲ୍ଲଂଘନ କରି ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ପୁରାତନ ମନ୍ଦିର ପ୍ରତି ବିପଦ ଦେଖାଦେଇଛି। ଏପରି ନିର୍ମାଣ ଯୋଗୁଁ ମନ୍ଦିରର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଏହି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଅନ୍ୟପକ୍ଷରେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୯ରେ ସୁପ୍ରିମ‌କୋର୍ଟ ମୃଣାଳିନୀ ପାଢୀ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ରାୟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ଦର୍ଶନ ପାଇଁ ଆସୁଥିବା ପ୍ରାୟ ୬୦ ହଜାର ଭକ୍ତଙ୍କ ପାଇଁ ମୌଳିକ ସୁବିଧା ଓ ଅନ୍ୟାନ୍ୟ ପ୍ରସଂଗରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସୁବିଧା ଓ ଅନ୍ୟାନ୍ୟ ବହୁ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ସବୁ ସୁପ୍ରିମକୋର୍ଟ ପ୍ରଦାନ କରିଥିଲେ।

ଏବେ ମଧ୍ୟ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏଥିସହିତ ରାଜ୍ୟ ସରକାର ଓ ନ୍ୟାସନାଲ ମନୁମେଣ୍ଟ ଅଥରିଟି (ଏନଏମଏ) ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ତଥ୍ୟ ବିନିମୟ ଓ ଚିଠି ଆଦାନ ପ୍ରଦାନ ସଂକ୍ରାନ୍ତରେ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନିଷିଦ୍ଧାଞ୍ଚଳରେ ନିର୍ମାଣ, ମରାମତି ଓ ନବୀକରଣ କାର୍ଯ୍ୟ ପାଇଁ ଏନଏମଏ ଅନୁମତି (ନୋ ଅବ୍‌ଜେକ୍ସନ) ଦେଇଥିବା ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହିତ ଏଏସଆଇ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ହୋଇଥିବା ତଥ୍ୟ ବିନିମୟ ଓ ଫେବ୍ରୁଆରି ୨୨ରେ ଏଏସଆଇ ଡିଜିଙ୍କ ଗସ୍ତ ସଂପର୍କିତ ତଥ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ଦେଖା ଦେଇଛି ଓ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବା ଅାବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ବିନ୍ଦୁସାର ସୁବୁଦ୍ଧି ମାମଲା ପରିଚାଳନା କରୁଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଏଏସଆଇ ଡିଜି ଓ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର