ମାମଲାରେ ଛନ୍ଦି ହୋଇଛନ୍ତି ୩୪୮ ପୁଲିସବାବୁ: ମାତ୍ର ୧୦୭ ଜଣ ଗିରଫ

ଢିଲା ତଦନ୍ତ, ଦାଖଲ ହେଉନି ଚାର୍ଜସିଟ୍‌

କଟକ: ରାଜ୍ୟରେ ପୁଲିସ ବାବୁଙ୍କ ଅପରାଧୀ ଭଳି ଆଚରଣ ଓ ଔଦ୍ଧତ୍ୟ ସାଧାରଣ ଜନତାଙ୍କୁ ଆତଙ୍କିତ କଲାଣି। ଗଲା ୭ ବର୍ଷ ଭିତରେ ୩୪୮ ଜଣ ପୁଲିସ ବାବୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁହେବା ଘଟଣା ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆଇନଶୃଙ୍ଖଳା ଜଗିବା ଦାୟିତ୍ବରେ ଥିବା ପୁଲିସବାବୁ କେତେ ଯେ ବିଶୃଙ୍ଖଳିତ ହୋଇପଡ଼ିଲେଣି, ଏହି ମାମଲା ସଂଖ୍ୟା ହିଁ ତାହା ସ୍ପଷ୍ଟ କରୁଛି। ଏହାଠାରୁ ଆହୁରି ଦୁର୍ଭାଗ୍ୟଜନକ ଘଟଣା ହେଉଛି, ପୁଲିସ ବିରୋଧରେ ରୁଜୁ ହୋଇଥିବା ମାମଲାରୁ ମାତ୍ର ୧୦୭ ଜଣ ପୁଲିସବାବୁଙ୍କୁ ତଦନ୍ତକାରୀ ଅଧିକାରୀ ଗିରଫ କରିଛନ୍ତି। ଅବଶିଷ୍ଟ ୨୪୧ ଜଣଙ୍କୁ ଆଇନର ଲମ୍ବା ହାତ ଛୁଇଁ ପାରିନାହିଁ । ଏହି ୭ ବର୍ଷ ଭିତରେ ମାତ୍ର ଦୁଇ ଜଣ ପୁଲିସ ଅଫିସରଙ୍କ ମାମଲାର ଶୁଣାଣି ଅଦାଲତରେ ଶେଷ ହୋଇଥିଲା। ସେହି ଦୁଇ ଜଣ ବି କୋର୍ଟରୁ ନିର୍ଦ୍ଦୋଷରେ ଖଲାସହେବା ଘଟଣା ପୁଲିସ ବିରୋଧରେ ପୁଲିସ କରିଥିବା ତଦନ୍ତର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଉଛି।

ଓଡ଼ିଶା ପୁଲିସରେ ଅପରାଧିକ ଆଚରଣ ଦେଖାଉଥିବା ଦାଗୀ ଅଫିସରଙ୍କ ପୂର୍ବ ରେକର୍ଡ ଯଦି ଦେଖାଯାଏ ତେବେ ୨୦୨୦ରେ ୭୩ଟି ଅପରାଧିକ ମାମଲା ପୁଲିସ ବାବୁଙ୍କ ବିରୋଧରେ ରୁଜୁ ହୋଇଛି। ଏଥିରେ ୧୦ଟି ମାମଲାରେ ଚାର୍ଜସିଟ୍ ହୋଇଥିବାବେଳେ ଗୋଟିଏ ମାମଲାରେ ଫାଇନାଲ୍ ରିପୋର୍ଟ। ମାତ୍ର ୧୩ ଜଣ ପୁଲିସ ବାବୁଙ୍କୁ ଗିରଫ କରାଯାଇଛି। ୨୦୧୯ରେ ୫୨ଟି ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୪ଟିରେ ଚାର୍ଜସିଟ୍ ହୋଇଥିଲା। କେହି ଗିରଫ ହୋଇ ନଥିଲେ। ୨୦୧୮ରେ ୧୯ଟି ମାମଲା, ଗୋଟିଏ ଚାର୍ଜସିଟ ଓ ୪ଟି ଫାଇନାଲ୍ ରିପୋର୍ଟ ହୋଇଛି। ମାତ୍ର ୪ ଜଣଙ୍କୁ ଗିରଫ କରାଯାଇଛି। କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ୨୦୧୭ରେ ୪୪ଟି ମାମଲା, ୨୩ଟି ଚାର୍ଜସିଟ୍, ୧୮ଟି ଫାଇନାଲ୍ ରିପୋର୍ଟ ଦାଖଲ ହୋଇଛି। କେହି ଗିରଫ ହୋଇନାହାନ୍ତି। ୨୦୧୬ରେ ୬୪ଟି ମାମଲା ହୋଇଥିବାବେଳେ ୩୫ ଜଣ ଗିରଫ, ୨୮ଟି ଚାର୍ଜସିଟ୍ ହୋଇଥିବା ବେଳେ ଦୋଷୀ ସାବ୍ୟସ୍ତ ଶୂନ। ୨୦୧୫ରେ ୯୫ଟି ମାମଲା ରୁଜୁ ହୋଇଛି। ମାତ୍ର ୩୯ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୫୫ ଜଣ ଗିରଫ ହୋଇଛନ୍ତି। ୨ଟି ମାମଲାରେ ବିଚାର ଶେଷ ହୋଇଛି। ସେହି ଦୁଇ ଜଣ ବି କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏମିତି ଚାଲିଛି ପୁଲିସ ବିରୋଧରେ ପୁଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା।

ହାଇକୋର୍ଟ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ଏଭଳି ପୁଲିସ ବିରୋଧୀ ମାମଲାରେ ପୀଡ଼ିତ ମାନବାଧିକାର କମିସନଙ୍କ ନିକଟକୁ ଗଲେ କିଛି ଫାଇଦା ମିଳୁନାହିଁ। କେବଳ କ୍ଷତିପୂରଣ ମିଳୁଛି। କମିସନ କେବଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ନିର୍ଦ୍ଦେଶ ଦେଉଛନ୍ତି। ପୁଲିସ ବିରୋଧରେ ଦଣ୍ଡ ବ୍ୟବସ୍ଥା ହୋଇପାରୁ ନାହିଁ। ହାଇକୋର୍ଟ, ଜିଲ୍ଲା କୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ପୁଲିସ ବିଭାଗର ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ଏକ ନିରପେକ୍ଷ ସଂସ୍ଥା ଗଠନ ପାଇଁ ଅନେକଥର ପୁଲିସ ବିଭାଗରେ ଦାବି ଉପସ୍ଥାପନ କରାଯାଇଛି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ପୁଲିସକୁ ଲୋକେ ଆଦୌ ବିଶ୍ବାସକୁ ନେଇପାରୁ ନାହାନ୍ତି।

ଅନ୍ୟପଟେ ଅବସରପ୍ରାପ୍ତ ପୁଲିସ ଡିଜି ଗୋପାଳ ନନ୍ଦ ଏଭଳି ଘଟଣାକୁ ଚିନ୍ତାଜନକ ବୋଲି କହିଛନ୍ତି। ଏଭଳି ଘଟଣା ପୂର୍ବରୁ ବି ଘଟି ଆସିଛି। ପୁଲିସ ବିରୋଧରେ ଆସୁଥିବା ଏ ପ୍ରକାର ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚରେ ରୁଜୁ ହେବା ଆବଶ୍ୟକ। ଯାହାଫଳରେ ନିରପେକ୍ଷତା ସୁନିଶ୍ଚିତ କରାଯାଇପାରିବ। ପୁଲିସ ଟ୍ରେନିଂ ସ୍କୁଲରେ ପୁଲିସ ଅଧିକାରୀଙ୍କୁ କେବଳ ଚାକିରି ଆରମ୍ଭ ନୁହେଁ, ଚାକିରି ସମୟରେ ବିଭିନ୍ନ ସମୟରେ କାଉନସେଲିଂ କରିବାର ବ୍ୟବସ୍ଥା ରହିଛି। ପୁଲିସକୁ ନିଜ କ୍ଷମତାର ଉପଯୁକ୍ତ ବ୍ୟବହାର, ନାଗରିକଙ୍କ ପ୍ରତି ଦାୟିତ୍ବ, ଆଚରଣ ସମ୍ପର୍କରେ କାଉନସେଲିଂ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଡିସେମ୍ବର ୧ ତାରିଖରେ କ୍ରାଇମବ୍ରାଞ୍ଚ ୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସବୁଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଥିଲା। ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଫେରାର୍‌ ଥିବା ଅଭିଯୁକ୍ତ ଆକାଶ ମହୁରିଆଙ୍କୁ ୨୦୧୭ ଜାନୁଆରି ୩୦ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନା ପୁଲିସ ରାସ୍ତାରୁ ଟେକି ନେଇ ହତ୍ୟା କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର