ତକତପୁର ଟିଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

୫.୨୯ କୋଟି ଖର୍ଚ୍ଚ କରିବା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ

ଭୁବ‌ନେଶ୍ବର : ମୟୂରଭଞ୍ଜ ତକତପୁର ଟିଟିଆଇରେ ଅତ୍ୟାଧୁନିକ ୱେଲ୍ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୫.୨୯ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ ଏବଂ କେମ୍ପି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଭିତରେ ଆଜି ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏଥିରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟର ନିର୍ଦେଶକ ରେଘୁ ଜି ଓ କେମ୍ପି ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଅଜୟ ତ୍ରିଖା ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।

ଏହି ଉତ୍କର୍ଷ କେନ୍ଦ୍ରରେ ରୋବୋଟ ୱେଲ୍ଡିଂ, ଲେସର୍ ୱେଲ୍ଡିଂ, ପାଇପ ୱେଲ୍ଡିଂ ଓ ହେବି ଫାବ୍ରିକେସନ୍ ୱେଲ୍ଡିଂ ଭଳି ଅତ୍ୟାଧୁନିକ ୱେଲ୍ଡିଂ ଉପକରଣ ରହିବ। ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିଶ୍ବ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଅତ୍ୟାଧୁନିକ ଅଣବିନାଶକ ପରୀକ୍ଷଣ ଉପକରଣ ଉପଲବ୍ଧ ହେବ। ପରିବେଶ ସୁରକ୍ଷା ପାଇଁ ଧୂଆଁ ନିଷ୍କାସନ ବ୍ୟବସ୍ଥା ସମ୍ବଳିତ ଆଧୁନିକ ସ୍ଥିର ବୈଦ୍ୟୁତିକ ଅବକ୍ଷେପକ ମଧ୍ୟ ସ୍ଥାପନ କରାଯିବ। ଜିଲ୍ଲାରୁ ଶିଳ୍ପ ଜଗତ ପାଇଁ ଆବଶ୍ୟକ ହେଉଥିବା କୁଶଳୀଙ୍କୁ କେନ୍ଦ୍ର ପ୍ରସ୍ତୁତ କରିବ। କେମ୍ପି ଓଡ଼ିଶାର ଆଇଟିଆଇ ଓ ପଲିଟେକନିକ୍‌ର ୧୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କର ତାଲିମ କେନ୍ଦ୍ରରେ ଏକ ମାସ ଅବଧିର ତାଲିମ ଦିଆଯିବ। ପ୍ରଶିକ୍ଷାର୍ଥୀଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ କେମ୍ପିର ବୈଷୟିକ ବିଶେଷଜ୍ଞମାନେ ଟିଟିଆଇ ତକତପୁରରେ ୧୫ମାସର ତାଲିମ ପ୍ରଦାନ କରିବେ। ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଉପ ନିର୍ଦେଶକ, ଅଜୟ କୁମାର ପଣ୍ଡା, ସୁଯୋଗ୍ୟ ମିଶ୍ର ଓ ସୁମନ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର