୭୫ ବର୍ଷର ନିର୍ବାଚନ ଇତିହାସରେ ପ୍ରଥମ: ମତଦାନ ପୂର୍ବରୁ ଜବତ ହେଲାଣି ୪୬୫୦ କୋଟି

ଦିନକୁ ଜବତ ହେଉଛି ୧୦୦ କୋଟି, ଅର୍ଥରାଶି ସହିତ ମଦ ଓ ଡ୍ରଗ୍ସ ଜବତ

ଭୁବନେଶ୍ବର/ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ହେଲେ ଏପର୍ଯ୍ୟନ୍ତ ମତଦାନ ଆରମ୍ଭ ହୋଇନାହିଁ। କିନ୍ତୁ ଜବତ ହେଲାଣି ୪୬୫୮କୋଟି ଟଙ୍କା ମୂଲ୍ୟର ସାମଗ୍ରୀ। ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ଏହା ହେଉଛି ସର୍ବାଧିକ। ଏପରିକି ୨୦୧୯ ସାଧାରଣ ନିର୍ବାଚନ ସମୟରେ ଯେତିକି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା ତାହାକୁ ବି ବର୍ତ୍ତମାନ ସୁଦ୍ଧା ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ଅତିକ୍ରମ କରିସାରିଲାଣି। ୨୦୧୯ ନିର୍ବାଚନ ବେଳେ ମୋଟ୍ ୩୪୭୫ କୋଟି ଟଙ୍କା ଜବତ ହୋଇଥିଲା। ଏଥର ଭୋଟ୍ ପଡ଼ିବା ପୂର୍ବରୁ ଏତେ ଟଙ୍କା ଜବତ ହୋଇଥିବା ବେଳେ ଭୋଟ ସରିବା ସମୟରେ ଏହି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଯେ ମାର୍ଚ୍ଚ ପହିଲାରୁ ଦିନକୁ ହାରାହାରି ୧୦୦ କୋଟି ଟଙ୍କା ମୂଲ୍ୟର ଅର୍ଥରାଶି ଓ ସାମଗ୍ରୀ ଜବତ ହେଉଛି। କେବଳ ଟଙ୍କା ନୁହେଁ ପ୍ରଚୁର ମଦ, ନିଶା ଦ୍ରବ୍ୟ, ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଓ ମାଗଣାରେ ବଣ୍ଟା ହେଉଥିବା ସାମଗ୍ରୀ ବି ଜବତ ହେଲାଣି। ଜବତ ସାମଗ୍ରୀ ମଧ୍ୟରେ ୪୫ ପ୍ରତିଶତ ହେଉଛି ଡ୍ରଗ୍ସ ଓ ଅନ୍ୟ ନିଶା ସାମଗ୍ରୀ।

ଓଡ଼ିଶାରେ ନିର୍ବାଚନ ବିଜ୍ଞପ୍ତି ଜାରି ହୋଇନଥିଲେ ମଧ୍ୟ ନଗଦ ୧କୋଟି ୪୭ଲକ୍ଷ ଟଙ୍କା ଜବତ ହୋଇସାରିଲାଣି। ମାର୍ଚ୍ଚ ୧ରୁ ଏପ୍ରିଲ ୧୩ ମଧ୍ୟରେ ରାଜ୍ୟରେ ନଗଦ ଟଙ୍କାକୁ ମିଶାଇ ୧୦୭କୋଟି ୧୩ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ ହୋଇସାରି‌ଲାଣି। ତେବେ ଜବତ ଟଙ୍କା ଓ ସାମଗ୍ରୀ କ୍ଷେତ୍ରରେ ରାଜସ୍ଥାନ ଶୀର୍ଷରେ ରହିଛି। ସେଠାରେ ୭୭୮ କୋଟି ଜବତ ହୋଇଥିବା ବେଳେ ଗୁଜରାଟରେ ୬୦୫ କୋଟି ଏବଂ ତାମିଲନାଡ଼ୁରେ ୪୬୦ କୋଟି ଜବତ ହୋଇଛି। ତାଲିକାରେ ଓଡ଼ିଶାର ସ୍ଥାନ ୧୫ରେ ରହିଛି। ଓଡ଼ିଶାରେ ଜବତ ୧୦୭ କୋଟି ମଧ୍ୟରେ ରହିଛି ନଗଦ ୧ କୋଟି ୪୭ ଲକ୍ଷ ଟଙ୍କାର ଅର୍ଥରାଶି। ଏହାସହିତ ୧୬ କୋଟି ଟଙ୍କାର ମଦ, ୩୯ କୋଟି ଟଙ୍କାର ଡ୍ରଗ୍ସ ଏବଂ ୬ କୋଟି ୪୬ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ମଧ୍ୟ ଜବତ କରାଯାଇଛି। ପ୍ରାୟ ୪୪ କୋଟି ଟଙ୍କାର ମାଗଣାରେ ବଣ୍ଟା ଯିବାକୁ ଥିବା ଉପହାର ସାମଗ୍ରୀ ଜବତ କରାଯାଇଛି।

ଦିନକୁ ଜବତ ହେଉଛି ୧୦୦ କୋଟି
ଅର୍ଥରାଶି ସହିତ ମଦ ଓ ଡ୍ରଗ୍ସ ଜବତ
ଓଡ଼ିଶାରେ ୧୦୭ କୋଟି ଜବତ

ଭାରତର ନିର୍ବାଚନ କମିସନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚଢ଼ଉ ବେଳେ ଜବତ ହେଉଥିବା ଅର୍ଥରାଶି ଓ ସାମଗ୍ରୀ ଏଥର ରେକର୍ଡ କରିବ। ୨୦୧୯ ନିର୍ବାଚନରେ ଯେତେ‌ ଜବତ ହୋଇଥିଲା, ଏଥର ତା ଠାରୁ ଢେର ଅଧିକ ରହିବ। ଏଥର ବର୍ତ୍ତମାନ ସୁଦ୍ଧା ୨୦୬୯ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ବେଳେ ୨୦୧୯ରେ ଏହି ପରିମାଣ ଥିଲା ୧୨୮୦ କୋଟି। ଏଥର ଜବତ ସାମଗ୍ରୀ ମଧ୍ୟରେ ରହିଛି ନଗଦ ନଗଦ ୩୯୫ କୋଟି ଟଙ୍କା, ୪୯୦ କୋଟି ଟଙ୍କାର ମଦ, ୨୦୬୯ କୋଟି ଟଙ୍କାର ଡ୍ରଗ୍ସ, ୫୬୨ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ୧୧୪୨ କୋଟି ଟଙ୍କାର ଉପହାର (ପ୍ରଲୋଭନ) ସାମଗ୍ରୀ। ୧୩ ଏପ୍ରିଲ ସୁଦ୍ଧା ୪୬୫୮ କୋଟି ୧୬ ଲକ୍ଷ ଟଙ୍କ‌ାର ସାମଗ୍ରୀ ଜବତ ହେଲାଣି। କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଏବେଠାରୁ ଏତେ ସାମଗ୍ରୀ ଜବତ ହେବା ଚିନ୍ତାର ବିଷୟ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯାଞ୍ଚ ଟିମ୍ ଅଧିକ ସଜାଗ ରହିବାକୁ କୁହାଯାଇଛି।

କମିସନ ସୂତ୍ରରୁ ପ୍ରକାଶ ଯେ ସାରା ଦେଶରେ ୩କୋଟି ୫୮ଲକ୍ଷ ୨୯ହଜାର ଲିଟର ମଦ ଜବତ ହୋଇଥିବା ବେଳେ ଓଡ଼ିଶାରୁ ୧୩ଲକ୍ଷ ୨୪ହଜାର ଲିଟର ମଦ ଜବତ ହୋଇଛି। ଯାହାର ମୂଲ୍ୟ ୧୬କୋଟି ୨୧ଲକ୍ଷ ଟଙ୍କା। କେବଳ ମଦ ନୁହେଁ, ଗଞ୍ଜେଇ,ବ୍ରାଉନସୁଗାର, ହିରୋଇନ୍ ସମେତ ବିଭିନ୍ନ ଡ୍ରଗ୍ସ ବି ବିପୁଳ ପରିମାଣରେ ଜବତ ହୋଇଛି। ଓଡ଼ିଶାରୁ ୩୯କୋଟି ଟଙ୍କାର ନିଶା ସାମଗ୍ରୀ ଜବତ ହୋଇଛି। ନିର୍ବାଚନ ପାଇଁ ସାରା ଦେଶରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଥିବା ବେଳେ ଏହି ସମୟରେ ଚୋରା ଚାଲାଣ ହେଉଥିବା ସୁନା, ରୁପା ଭଳି ବହୁ ମୂଲ୍ୟବାନ ଧାତୁ ବି ଜବତ ହୋଇଛି। ସାରା ଦେଶରେ ୫୬୨କୋଟି ଟଙ୍କାର ମୂଲ୍ୟବାନ ଧାତବ ସାମଗ୍ରୀ ଜବତ ହୋଇଥିବା ବେଳେ ଓଡ଼ିଶାରେ ୬କୋଟି ୪୬ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ସାମଗ୍ରୀ ମାଗଣାରେ ବାଣ୍ଟନ୍ତି। ଏହାକୁ ଧରିବାକୁ ଅଧିକ ଧରପଗଡ଼ କରାଯାଉଛି। ଏଥିରେ ସାରା ଦେଶରେ ୧୧୪୨କୋଟି ଟଙ୍କାର ମାଗଣା ବଣ୍ଟା ହେବାକୁ ଥିବା ସାମଗ୍ରୀ ଜବତ କରାଯାଇଛି। ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୪୩କୋଟି ୯୬ଲକ୍ଷ ଟଙ୍କାର ମାଗଣା ବଣ୍ଟା ହେବାକୁ ଥିବା ସାମଗ୍ରୀ ଜବତ ହୋଇଛି।

ମୋଟ୍ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏବେ ସୁଦ୍ଧା ନଗଦ ୩୯୫କୋଟି ୩୯ଲକ୍ଷ ଟଙ୍କା ଜବତ ହୋଇଛି। ଏଥିରେ ୨୩ଟି ରାଜ୍ୟରେ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଥିବାବେଳେ ଓଡ଼ିଶାରେ ୧କୋଟି ୪୭ଲକ୍ଷ ଟଙ୍କା ଜବତ ହୋଇଛି। ତାମିଲନାଡ଼ୁରେ ସର୍ବାଧିକ ୫୩କୋଟି ୫୮ଲକ୍ଷ ଟଙ୍କା ଜବତ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଯେ ନାଗାଲାଣ୍ଡ, ଲଦାଖ, ଲାକ୍ଷାଦୀପ, ପୁଡୁଚେରୀରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଜବତ ହୋଇନି। ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ସ୍କ୍ବାଡ୍ ମଧ୍ୟ‌ରେ ଉପଯୁକ୍ତ ସମନ୍ବୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ନିର୍ବାଚନ ବେଳେ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କୁ ସହାୟତା କରିଥିବା ଅଭିଯୋଗରେ ୧୦୬ ଜଣ ସରକାରୀ କର୍ମଚରୀ/ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଅନିୟମିତତା ଉପରେ ନଜର ରଖିବା ସହିତ ଚଢ଼ଉ ପାଇଁ ସାରା ଦେଶରେ ୫୯ ହଜାର ଫ୍ଳ‌ାଇଂ ସ୍କ୍ବାଡ୍ ଗଠନ କରାଯାଇଛି। ସେମାନଙ୍କୁ ସହାୟତା କରୁଛନ୍ତି ୭୩୪ ରାଜ୍ୟସ୍ତରୀୟ ନୋଡାଲ ଅଫିସର, ୬୩୯୮ ଜଣ ଜିଲ୍ଲା ସ୍ତରୀୟ ନୋଡା‌ଲ ଅଫିସର ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍। ଗତବର୍ଷ ବିଧାନସଭା ନିର୍ବାଚନ ବେ‌ଳେ ଏହି ବ୍ୟବସ୍ଥା ଫଳପ୍ରଦ ହୋଇଥିଲା। ସେମାନେ ୨୦୧୪ କୋଟିର ଅର୍ଥ ଓ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ଚଢ଼ଉ କରୁଥିବା ସଂସ୍ଥାମାନଙ୍କ ମଧ୍ୟ‌ରେ ରହିଛନ୍ତି ଆୟକର ବିଭାଗ, କଷ୍ଟମ ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏନ୍‌ସିବି, ଅର୍ଦ୍ଧ ସାମରିକ ବାହିନୀ, ରାଜ୍ୟ ପୁଲିସ, ରାଜ୍ୟ ଅବକାରୀ ତଥା ପରିବହନ ବିଭାଗ।

ସୂଚନାଯୋଗ୍ୟ ଯେ ନିର୍ବାଚନ ତାରିଖ ଘୋଷଣା ବେଳେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଥିଲେ ଯେ ସ୍ବଚ୍ଛ, ନିରପେକ୍ଷ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ସବୁ ପ୍ରକାର ସମ୍ଭବ ପଦକ୍ଷେପ ନିଆଯିବ। କୌଣସି ପ୍ରକାର ଦୁର୍ନୀତି ହେଉ କି ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ/ ପ୍ରାର୍ଥୀଙ୍କ ଉପହାର ବଣ୍ଟନ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ସାତଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜୁନ ପହିଲାରେ ହେବ।

ସମ୍ବନ୍ଧିତ ଖବର