ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଏବେ ବି ଜଳଘେରରେ ଅଛନ୍ତି ୪ ଲକ୍ଷ ୭୨ ହଜାର ଲୋକ

ଭୁବନେଶ୍ୱର: ବର୍ଷାର ପରିମାଣ କମୁଥିବାରୁ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସୁଛି । ରାଜ୍ୟରେ ବନ୍ୟା ବିପଦ ଧୀରେ ଧୀରେ କମୁଛି । ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗୁଛି । ମୋଟାମୋଟି ଭାବେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । କିଛି ଏଭଳି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର | ସେ କହିଛନ୍ତି ଯେ ଛତିଶଗଡ଼ କିମ୍ୱା ଅନ୍ୟ କୌଣସି ପ୍ରମୁଖ ନଦୀର ଉପର ମୁଣ୍ଡରେ ବର୍ଷା ହେଉନାହିଁ । ତେଣୁ ଜଳ ସ୍ତର କମୁଛି । ସ୍ଥିତି ସ୍ଵାଭାବିକ ହେଲାଣି । ତେବେ ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ବନ୍ୟା ସ୍ଥିତି ଆହୁରି ସୁଧୁରିବ । ବୈତରଣୀ ବିପଦ ସଂକେତ ଉପରେ ଅଛି । ବୁଢ଼ାବଳଙ୍ଗ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି । ଆସନ୍ତାକାଲି ବିପଦ ସଂକେତ ଉପରେ ପ୍ରବାହିତ ହେବା ସମ୍ଭାବନା ରହିଛି । ଅନ୍ୟପଟେ ଯୁଗ୍ମ ରିଲିଫ କମିଶନର ପଦ୍ମନାଭ ବେହେରା ସୂଚନା ଦେଇ କହିଛନ୍ତି ଯେ ଉତ୍ତର ଓଡ଼ିଶାରେ ଲଘୁଚାପ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ହାରାହାରି ୧୨୫ ମିମି ଓ ବାଲେଶ୍ୱର ଜିଲ୍ଲାରେ ୯୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି |

ଏଥିପାଇଁ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଉପୁଜିପାରେ | ଆଉ ବାଲେଶ୍ୱରରେ ୨ଟି ଓଡ୍ରାଫ, ୨ଟି ଏନଡିଆରଏଫ ଓ ୪ଟି ଫାୟାର ସର୍ଭିସ ଟିମ ମୁତୟନ କରାଯାଇଛି | ସେହିପରି ମୟୁରଭଞ୍ଜରେ ୧ଟି ଓଡ୍ରାଫ, ୧ଟି ଏନଡିଆରଏଫ ଓ ୪ଟି ଫାୟାର ସର୍ଭିସ ଟିମ ମୁତୟନ କରାଯାଇଛି | ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଏନଡିଆରଏଫର ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ମ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ବିଶେଷ ପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ିନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ କ୍ଷେତ୍ରରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ବନ୍ୟାରେ ୧୮୬୬ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ଟି କଚ୍ଚା ଘର ଭାଙ୍ଗିଛି । ଏବେବି ୭୬୩ ଗାଁ ଜଳମଗ୍ନ ଥିବାବେଳେ ୪ ଲକ୍ଷ ୭୨ ହଜାର ଲୋକ ଜଳଘେରରେ ଅଛନ୍ତି |

ସମ୍ବନ୍ଧିତ ଖବର