ଚୋରି ଓ ଡକାୟତି ଅଭିଯୋଗରେ ୪ କୋର୍ଟ ଚାଲାଣ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ବାଦାମପାହାଡ଼ ପୁଲିସ ମିଳିତ ଭାବେ ବିଭିନ୍ନ ଚୋରି ଓ ଡକାୟତି ମାମଲାରେ ସଂପୃକ୍ତ ୪ ଜଣ ଡକାୟତଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସ୍‌ଡିପିଓ କାର୍ଯ୍ୟାଳୟରେ ଏଏସ୍‌ପି ଏମ୍‌.ଆର ବିଶ୍ବାଳଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡ଼ାମକୁରାଡ଼ି ଗ୍ରାମ ଓ ବାଦାମପାହାଡ଼ ଥାନା ଅଂଚଳରେ ଭିନ୍ନଭିନ୍ନ ଚୋରି ମାମଲା ନେଇ ଥାନାରେ ଅଭଯୋଗ ହୋଇଥିଲା। ରାଇରଙ୍ଗପୁର ଏସ୍‌ଡିପିଓ ରତିକାନ୍ତ ଗିରିଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ, ଗ୍ରାମାଞ୍ଚଳ ଥାନା ଆଇଆଇସି ଏନ୍‌.କେ ମଲ୍ଲିକ, ବାଦାମପାହାଡ଼ ଥାନାଧିକାରୀ ଏ. କେ ଜେନାଙ୍କ ସମେତ ବହଳଦା, ଜାମଦା, ତିରିଂ, ବିଶୋଇ ପ୍ରଭୃତି ଥାନାଧିକାରୀ ମିଳିତ ଭାବେ ତଦନ୍ତ କରିବାକୁ କହିଥିଲେ। ତନାଘନା ପରେ ବାଦାମପାହାଡ଼ ଥାନା ଦେଓଗାଁ ଗ୍ରାମର ଜଗତଜିତ୍ ମହାନ୍ତ, ବାଙ୍ଗିରିପୋଷି ଥାନା ଅସନବଣି ଗ୍ରାମର ନୀଳକଣ୍ଠ ନାଏକ, ରାଇରଙ୍ଗପୁର ଗ୍ରାମାଂଚଳ ଥାନା କେନ୍ଥେଇ ଗ୍ରାମର ଇଜାଦ୍ଦୁଲ ହକ୍ ଏବଂ ପଡୋଶୀ ଝାଡ଼ଖଣ୍ତ ମଞ୍ଜରୀ ଥାନା ଲାଗଡ଼ା ଗ୍ରାମର ମଣ୍ଟୁ ମଣ୍ତଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗତ ୧୨ ହଜାର ୫ ଶହ ଟଙ୍କା ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର