ମିଶ୍ରଣ ପର୍ବ ପୂର୍ବରୁ ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି: ପାଣି ମାଗିବାରୁ ପିଟିଲେ

ରାୟଗଡ଼ା/ମୁନିଗୁଡା/ଅମ୍ବାଦଳା: ପାଣି ମାଗିବାରୁ ଗୋଡ଼ାଇଗୋଡ଼ାଇ ପିଟିଲେ। ମୋବାଇଲ୍‌ ବି ଭାଙ୍ଗିଦେଲେ। ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ ଅଧୀନ ମୁନିଗୁଡ଼ା ବ୍ଲକ୍‌ ରଘୁବାରୀ ଗାଁ’ରେ ବିଜେଡି ନେତା ଏମିତି ଗୁଣ୍ଡାଗର୍ଦ୍ଦି କରିଛନ୍ତି। ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଦାସଙ୍କ ଉପସ୍ଥିତିରେ ଘଟଣା ଘଟିଥିଲେ ହେଁ ଦୁହେଁ ନିରବଦ୍ରଷ୍ଟା ସାଜିଥ‌ିଲେ। ମୁନିଗୁଡ଼ା ବ୍ଲକ୍‌ ପାଲକାପଡ଼ା ଗାଁରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ତେଣୁ ମନ୍ତ୍ରୀ ଶ୍ରୀ ସାରକା ଯୋଗଦେବାକୁ ଯାଉଥିବା ବେଳେ ରଘୁବାରୀ ଗାଁରେ ମହିଳାମାନେ ହାଣ୍ଡି, ଗରା ଧରି ରାସ୍ତା ଅବରୋଧ କରିଥିଲେ। ପାଣି ‌ଯୋଗାଇ ଦେବାକୁ ଅଡ଼ି ବସିଥିଲେ। ମନ୍ତ୍ରୀ ଏମିତି ହଟହଟା ହେବାର ଦୃଶ୍ୟକୁ ମୋବାଇଲ୍‌ରେ କଏଦ କରୁଥିଲେ ଗାଁର ଯୁବକ ହରେକୃଷ୍ଣ ବେହେରା। ଏଥିରେ ଅମ୍ବାଦଳା ଗାଁର ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଉତ୍‌କ୍ଷିପ୍ତ ହୋଇ ହରେକୃଷ୍ଣଙ୍କ ମୋବାଇଲ୍‌ ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ବି‌ଜେଡି ନେତାଙ୍କ ଏହି କାଣ୍ଡର ଭିଡିଓ ଭାଇରାଲ୍‌ ହୋଇଛି। ଘଟଣା ସମୟରେ ମନ୍ତ୍ରୀ ଗାଡ଼ିରେ ବସିଥିଲେ ବି ଆଦୌ ହସ୍ତକ୍ଷେପ କରିନଥିଲେ।

ସୂଚନାଯୋଗ୍ୟ, ରଘୁବାରୀ ଗାଁରେ ତିନିବର୍ଷ ତଳେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା। ତେବେ ଆଜିଯାଏ ଲୋକେ ଏଥିରୁ ସୁଫଳ ପାଉନାହାନ୍ତି। ପାଣି ପାଇଁ ଲୋକଙ୍କୁ ପ୍ରତିଦିନ ହଟହଟା ହେବାକୁ ପଡୁଛି। ଅନ୍ୟପଟେ ଆକ୍ରମଣ ସଂକ୍ରାନ୍ତରେ ହରେକୃଷ୍ଣ ଅମ୍ବାଦଳା ଥାନାରେ ଏତଲା ଦେଇଥିବା ଜଣାପଡିଛି। ଏତେ ସବୁ ଘଟିବା ପରେ ବି ମନ୍ତ୍ରୀ ଶ୍ରୀ ସାରକାଙ୍କୁ ବହୁସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ମିଶ୍ରଣ ପର୍ବରେ କୁହାଯାଇଥିଲା। ଏହି ଅବସରରେ ରଘୁବାରୀ ଓ ଡିମିରିଗୁଡ଼ା ପଞ୍ଚାୟତର ପଚାଶରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ମୁନିଗୁଡ଼ା ବ୍ଲକର ବରିଷ୍ଠ ନେତା ଧୀରେନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୌଶଲ୍ୟା, ଜଗନ୍ନାଥ ପ୍ରସାଦ, ଦେବୀ ପ୍ରସାଦ ମୁଖାର୍ଜୀ, ସୀମାଞ୍ଚଳ ପାତ୍ର, ସୀମାଞ୍ଚଳ ରଣା, ସୁବାସ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର