୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ତୀର୍ଥଯାତ୍ରାରୁ ବାପଝିଅଙ୍କ ମହାଯାତ୍ରା

ପତ୍ନୀ, ଶ୍ବଶୁର, ଶାଶୂ ଗୁରୁତର

ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧/ମଞ୍ଜୁରୀରୋଡ: ଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି କାର୍‌ ଯୋଗେ ଏକ ପରିବାର ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ବାପଝିଅଙ୍କର ମୃତ୍ୟୁ ଘଟିଛି। ରବିବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ୧୬ ନଂବର ଜାତୀୟ ରାଜପଥର ଯଶୋଟିକିରି ହାଇସ୍କୁଲ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ପରିବାରର ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ଆସାନସୋଲ୍‌ ଅଞ୍ଚଳର ଶୁଭାଶିଷ ଗାଙ୍ଗୁଲିଙ୍କ ପରିବାର ଏକ ମାରୁତି ୱାଗନର୍‌ (ଏମପି୨୦ଜେଡଏ-୪୬୨୩) ଯୋଗେ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଜି ଘରକୁ ଫେରୁଥିଲେ। ଶୁଭାଶିଷ ନିଜେ କାର୍‌ ଚଳାଉଥିବା ବେଳେ ଗାଡ଼ିରେ ତାଙ୍କ ପତ୍ନୀ ଅର୍ପିତା (୩୨), ୪ ବର୍ଷର ଶିଶୁକନ୍ୟା କୋଏଲ, ଶ୍ବଶୁର ନିମାଇଁ ଗାଙ୍ଗୁଲି (୬୭) ଓ ଶାଶୂ ରାକ୍ଷୀ (୬୨) ବସିଥିଲେ।

ଶୁଭାଶିଷଙ୍କ ଆଖି ଲାଗିଯିବାରୁ ଯଶୋଟିକିରି ହାଇସ୍କୁଲ ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାଜପଥ କଡ଼ ଡିଭାଇଡର୍‌ରେ ଥିବା ଲୁହାବାଡ଼ରେ ଜୋର୍‌ରେ ଧକ୍କା ହୋଇଥିଲା। ଫଳରେ କାର୍‌ରେ ଥିବା ୫ ଜଣଯାକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଶୁଭାଶିଷ ଓ ଶିଶୁକନ୍ୟା କୋଏଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରିଥିବା ବେଳେ ପଶ୍ଚିମବଙ୍ଗରୁ ମୃତାହତଙ୍କ ପରିଜନ ଭଦ୍ରକରେ ପହଞ୍ଚିଛନ୍ତି। ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଥିଲା।

ସମ୍ବନ୍ଧିତ ଖବର