କୁଣ୍ଡା ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ରାୟଗଡ଼ା: କୁଣ୍ଡା ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଏହି ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ପୁଲିସ। ଏସଡିପିଓ ଆକାଶ ସାହୁଙ୍କ ନେତୃତ୍ୱରେ ପୁଲିସ ଚଢ଼ାଉ କରି କୁଟ୍ରାଗଡ଼ ନିକଟରୁ ଏକ ଟ୍ରକକୁ ଜବତ କରିଛି। ଟ୍ରକରେ କୁଣ୍ଡା ବସ୍ତା ଲୋଡ ହୋଇଥିବା ବେଳେ ବସ୍ତା ଭିତରେ ବ୍ୟାପକ ଗଞ୍ଜେଇ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୧୭ ବସ୍ତା ଗଞ୍ଜେଇ ଜବତ ହୋଇଛି। ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ମାଫିଆମାନେ ଗଞ୍ଜେଇ ସଂଗ୍ରହ କରି ପ୍ୟାକିଂ କରିବା ପରେ ଆଜି ସକାଳେ କୁଣ୍ଡା ବସ୍ତା ଭିତରେ ପ୍ୟାକିଂ କରି ଟ୍ରକ ଯୋଗେ ବାହାରକୁ ପଠାଉଥିଲେ। କୌଣସି ସୂତ୍ରରୁ ଖବର ପାଇବା ପରେ ଏସଡିପିଓ ଶ୍ରୀ ସାହୁ  ଟିମ୍ ସହ ଚଢ଼ାଉ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ଉପକଣ୍ଠରୁ ଆଜି ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ମାମଲରେ ଦୁଇଜଣଙ୍କୁ ଅଟକ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଆସୁଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଭୁବନେଶ୍ବର ଉପକଣ୍ଠସ୍ଥ ଗୋଡ଼ିପଡ଼ା ଚେକଗେଟ୍ ନିକଟରେ ଏନସିବି ପକ୍ଷରୁ ଉକ୍ତ ଟ୍ରକକୁ ଅଟକାଯାଇଥିଲା। ଏହାପରେ ଉକ୍ତ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ଟ୍ରକ୍ ଚାଳକ ଓ ହେଲପରକୁ ଅଟକ ରଖି ଏନସିବି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର