ଚୌଦ୍ବାରରେ ଟସର ସୂତା ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ

ଚୌଦ୍ବାର: କଟକ ଜିଲ୍ଲାର ଚୌଦ୍ବାର ଥାନା ଅନ୍ତର୍ଗତ ବାଣୀପଦା ପଞ୍ଚାୟତର ଗୋପାଳପୁର ଶିଳ୍ପା‌ଞ୍ଚଳରେ କେନ୍ଦ୍ର ଖଦି ଓ ଗ୍ରାମଉଦ୍ୟୋଗ ଆୟୋଗ ପକ୍ଷରୁ ଏକ ଟସର (ସିଲ୍କ ସୂତା) ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟସର ସୂତା ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିଥିଲେ।

ଗୋଟିଏ ପଟେ ଚୌଦ୍ବାର ଶିଳ୍ପାଞ୍ଚଳ ଶ୍ରୀହୀନ ହୋଇପଡ଼ିଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କ ଦ୍ବାରା ଏହି ଶିଳ୍ପ ଅନୁଷ୍ଠାନ ଆଗାମୀ ଦିନରେ ଖୋଲିବା ଫଳରେ ବହୁ ପରିବାର ଏଥିରେ ନିଯୁକ୍ତି ପାଇପାରିବେ ବୋଲି ଆଶା କରାଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ କେନ୍ଦ୍ର ଖଦି ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ବିନୟ କୁମାର ସକ୍ସେନା ଓ୍ବେବିନାର ମାଧ୍ୟମରେ ଏହି ଉତ୍ପାଦିତ ସିଲ୍କ ସୂତା ଯୋଗୁଁ ରାଜ୍ୟରେ ସିଲ୍କ ଶାଢି ଉତ୍ପାଦନକାରୀଙ୍କ ପାଇଁ କଂଚାମାଲର ଅଭାବ ରହିବ ନାହିଁ ବୋଲି କହିଥିଲ।

ଅନ୍ୟମାନଙ୍କ ମଧ୍ୟରେ ଖଦି ଗ୍ରାମ୍ୟ ଉଦ୍ୟୋଗର ସିଇଓ ପ୍ରୀତି ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ, ଆୟୋଗର ଓଡିଶା ମୁଖ୍ୟ ସମୀର କୁମାର ମହାନ୍ତି, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଉତ୍ପାଦନ କେନ୍ଦ୍ରରେ ଆଠଗଡ଼ ନୂଆପାଟଣାରେ ଥିବା ଆଦର୍ଶ ଖଦି ଉତ୍ପାଦକ ସଂଘ ଦ୍ବାରା ପରିଚାଳନାରେ ସହଯୋଗ କରାଯିବା ସହ ୩୦ ଜଣଙ୍କର ନିଯୁକ୍ତି ସୁଯୋଗ ସୃଷ୍ଟି ରହିଥିବା ସୂଚନା ମିଳିଛି। ଅନ୍ୟମାନଙ୍କ ମାଧ୍ୟମରେ ଚୌଦ୍ବାର ମଣ୍ତଳ ବିଜେପିର ସଭାପତି କୈଳାସ ଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ପ୍ରଶାନ୍ତ ହୋତା, ଜିଲ୍ଲା ପ୍ରତିନିଧି ବୈରାଗୀ ଚରଣ ପ୍ରଧାନ, ଯୁବନେତା ଅଜିତ ସୁବୁଦ୍ଧିରାୟ, ହଂସ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର