ପୀଡ଼ିତାର ମୃତଦେହ ଦେଖିଥିଲେ ୧୦ଦିନ ପର୍ଯ୍ୟନ୍ତ ଖାଇପାରି ନଥାନ୍ତ; ଜିଲ୍ଲାପାଳ ଏଭଳି କହିଥିବା ନେଇ ଗମ୍ଭୀର ଆରୋପ ଲଗାଇଲେ ପୀଡ଼ିତାଙ୍କ ଭାଉଜ

ଲ‌କ୍ଷ୍ନୌ: ହାଥରାସ୍ ପ୍ରଶାସନ ଶେଷରେ ଗଣମାଧ୍ୟମକୁ  ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ଅନୁମତି ଦେଇଛି।  ପୀଡ଼ିତାଙ୍କ ପରିବାରକୁ ଗଣମାଧ୍ୟମ ପ୍ରତିନିଧି ଭେଟିବା ପରେ ଅନେକ ଗୁମର ଖୋଲିଛି ।  ପୀଡ଼ିତାଙ୍କ ଭାଉଜ ଗଣମାଧ୍ୟମ ଆଗରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଜିଲ୍ଲାପାଳ ତାଙ୍କ ଘରକୁ ଆସି କିଭଳି ବ୍ୟବହାର କରିଥିଲେ ଏବଂ ମୃତଦେହ ଦେଖିବାକୁ ନଦେବାର କ’ଣ କାରଣ ଜଣାଇଥିଲେ, ସେ ବିଷୟରେ ପୀଡ଼ିତାଙ୍କ ଭାଉଜ ଜଣାଇଛନ୍ତି।

ତାଙ୍କ କହିବା ମୁତାବକ, ଜିଲ୍ଲାପାଳ ଆମ ସହ ଅଭଦ୍ରାମିର ସହ କଥା ହୋଇଥିଲେ। ତୁମ ଝିଅ ସହ ଦୁଷ୍କର୍ମ ହୋଇଥିବାରୁ ତୁମକୁ କ୍ଷତିପୂରଣ ମିଳିଛି, କିନ୍ତୁ କରୋନାରେ ମୃତ୍ୟୁବରଣ କରିଥିଲେ ତୁମକୁ ସେ ସୁବିଧା ମିଳିନଥାନ୍ତା ବୋଲି କହିଥିଲେ। ଯେତେବେଳେ ଅ‌ାମେ ଶେଷଦର୍ଶନ କରିବାକୁ କାହିଁକି ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଥିଲୁ, ଜିଲ୍ଲାପାଳ ବ୍ୟବଚ୍ଛେଦ ପରେ ମୃତ ଦେହରେ ଅବସ୍ଥା କ’ଣ ହୁଏ ଜାଣିଛ ବୋଲି ଆମକୁ ପ୍ରଶ୍ନ କରିଥିଲେ। ଏହାପରେ ଉତ୍ତରରେ କହିଥିଲେ ଯେ, ହାତୁଡ଼ିରେ ମୃତକର ହାଡ ଭାଙ୍ଗି ଦିଆଯାଇଥାଏ। ସେଭଳି ଅବସ୍ଥାରେ ତୁମେ ତୁମ ଝିଅକୁ ଦେଖିପାରିନଥାନ୍ତ| ଯଦି ଦେଖିଥାନ୍ତ ତେବେ ୧୦ ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇ ପାରି ନଥାନ୍ତ |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଗଣମାଧ୍ୟମକୁ ସତ କହିଦେବୁ ବୋଲି ଆମକୁ ବାହାରକୁ ଛଡ଼ା ଯାଉନଥିଲା। ଏବେ ଆମେ ନାର୍କୋ ଟେଷ୍ଟ କରିବୁ ନାହିଁ। ଜିଲ୍ଲାପାଳଙ୍କ ନାର୍କୋ ଟେଷ୍ଟ୍ କରାଯିବା ଉଚିତ୍ ବୋଲି କହିବା ସହ ସିବିଆଇ ତଦନ୍ତ ଦାବିକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର