ବିଜେଡିରେ ମିଶି ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ଜର୍ଜ ତିର୍କୀ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରେ ନିଷ୍ପତ୍ତି!

ରାଜଗାଙ୍ଗପୁର : ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ପରିଚିତ ଜର୍ଜ ତିର୍କୀ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ବେଶ୍ କିଛିଦିନ ହେଲା ଖୁବ୍ ଆଲୋଚନା ଚାଲିଛି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରେ ତାଙ୍କର ବିଧିବଦ୍ଧ ବିଜେଡି ପ୍ରବେଶ ବିଷୟରେ ନିଷ୍ପତ୍ତି ହେବ। ଏପରିକି, ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏହି ଆଲୋଚନାରୁ ଜଣାପଡ଼ିଛି।

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାର ଦାବିନେଇ କିଛିଦିନ ତଳେ ରାଉରକେଲାରେ ଆୟୋଜିତ ଏକ ସଭାରେ ଯୋଗଦେବା ପରଠୁ ଜର୍ଜ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଛି। ଜର୍ଜଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ ଜିଲ୍ଲା ବିଜେଡି ଦାୟିତ୍ବରେ ଥିବା ନେତାମାନଙ୍କ ସହିତ ଜର୍ଜଙ୍କର ନିୟମିତ ଆଲୋଚନା ଚାଲିଛି। କେବଳ ସେତିକି ନୁହେଁ, ବିଜେଡିରେ ପ୍ରବେଶ କରିବା ବେଳେ ଜର୍ଜ କୌଣସି ସର୍ତ୍ତ ରଖି ନାହାନ୍ତି। ତେବେ ବିଜେଡି ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ​ରୁ ପ୍ରାର୍ଥୀ କରିବା ପ୍ରସଙ୍ଗରେ ଚିନ୍ତା କରୁଥିବା ବି ଶୁଣିବାକୁ ମିଳୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଲୋକସଭା ନିର୍ବାଚନରେ ଜିଲ୍ଲା ସହିତ ନିୟମିତ ଯୋଗାଯୋଗ ନଥିବା, ଭୋଟରଙ୍କ ପାଖରେ ବିଶେଷ ପରିଚିତ ନଥିବା ତଥା କୌଣସି ପ୍ରଭାବ ନଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ବିଜେପିର ଜୁଏଲ ଓରାମ ୫,୦୦,୦୫୬ ଭୋଟ୍‌ ପାଇଥିବାବେଳେ ସୁନୀତା ପାଇଥିଲେ ୨,୭୬,୯୯୧ ଭୋଟ୍‌। ବିଜେପିର ଭୋଟ୍‌ ୧୧.୭୬ % ବଢ଼ିଥିବାବେଳେ ବିଜେଡିର ୬.୬୫% କମିଥିଲା। ଅନ୍ୟପକ୍ଷରେ, ସେତେବେଳେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜର୍ଜ ୨,୬୮,୨୧୮ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ଭୋଟ୍‌ ମାତ୍ର ୨.୩୦% କମିଥିଲା। ସେତିକି ଭୋଟ୍‌ ଜର୍ଜ କେବଳ ନିଜ ଶକ୍ତି ବଳରେ ହାସଲ କରିଥିଲେ ବୋଲି କହିଲେ ଭୁଲ୍‌ ହେବନାହିଁ। ନିର୍ବାଚନ ପରେ ଜର୍ଜ ଜିଲ୍ଲା କଂଗ୍ରେସର ନେତୃତ୍ବ ଓ ସଂଗଠନ ଉପରେ ବେଶ୍‌ ବର୍ଷିଥିଲେ। ଜିଲ୍ଲାର ନେତାମାନେ ତାଙ୍କୁ ଆଦୌ ସାହାଯ୍ୟ କରି ନଥିବା, ଏପରିକି ସୁନ୍ଦରଗଡ଼ ଓ ରାଉରକେଲାର କଂଗ୍ରେସ ନେତାମାନେ ଦଳ ବିରୋଧରେ ଯାଇ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ସେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ। ଏଭଳି ନେତୃତ୍ବ ଓ କର୍ମୀଙ୍କୁ ନେଇ କୌଣସି ଦଳ ଆଗେଇ ପାରିବ ନାହିଁ ବୋଲି କଡ଼ା ଶବ୍ଦରେ ଘୋଷଣା କରି ସେ ଶେଷରେ କଂଗ୍ରେସ ଛାଡ଼ିଥିଲେ। ଏସବୁ ଦୃଷ୍ଟିରୁ ଜର୍ଜଙ୍କ ବିଜେଡିରେ ଯୋଗଦାନ ନେଇ ଆଲୋଚନା ହେଉଛି।

ଏହାପଛରେ ଆଉ ଏକ କାରଣ ହେଉଛି ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଖ୍ରୀଷ୍ଟିୟାନଙ୍କ ଭୋଟ୍‌ହାର। ଖ୍ରୀଷ୍ଟିୟାନ୍‌ ଭୋଟର ପାରମ୍ପରିକ ଭାବେ ପ୍ରାୟତଃ କଂଗ୍ରେସକୁ ସମର୍ଥନ କରି ଆସିଛନ୍ତି। ନିଜର ଚିହ୍ନଟ ଭୋଟରଙ୍କ ସହିତ ଏହି ଖ୍ରୀଷ୍ଟିୟାନ ଭୋଟରଙ୍କୁ ନିଜ ପଟକୁ ଆଣି ପାରିଲେ ବିଜେଡିର ବିଜୟ ସମ୍ଭାବନା ଉଜ୍ଜଳ ହୋଇ ପାରିବ ବୋଲି ବିଚାର କରାଯାଉଛି। ବିଶେଷକରି, ବୀରମିତ୍ରପୁର (ବିଜେପି), ତଳସରା (ବିଜେପି) ଓ ରାଜଗାଙ୍ଗପୁର (କଂଗ୍ରେସ) ଭଳି ଆଦିବାସୀ ତଥା ଖ୍ରୀଷ୍ଟିୟାନ ବହୁଳ ବିଧାନସଭା ଆସନରେ ମଧ୍ୟ ବିଜେଡି ଉପକୃତ ହେବାର ସମ୍ଭାବନା ରହିଛି। ଏହି କାରଣରୁ ବି ଜର୍ଜଙ୍କ ଭଳି ଖ୍ରୀଷ୍ଟିୟାନ ସଂପ୍ରଦାୟର ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବାଲାଗି ବିଜେଡି ସ୍ଥିର କରିଛି ବୋଲି ଆଲୋଚନା ହେଉଛି।

ଉଲ୍ଲେଖନୀୟ କଥା ହେଉଛି, ବୀରମିତ୍ରପୁର ବିଧାନସଭା ଆସନରୁ ଜର୍ଜ ୪ ଥର ବିଜୟ ଲାଭ କରି ବିଧାନସଭାକୁ ଯାଇଥିଲେ। ଏହି ଆସନରୁ ଗତ ନିର୍ବାଚନରେ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ କଂଗ୍ରେସ ଟିକେଟରେ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର