ଭଲ ଖବର: ୭୭୧ ଶବଦାହ କଲାଣି ‘ସମ୍ବଳ’

ସମ୍ବଲପୁର: ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ଶବ ସତ୍କାରରେ ସମ୍ବଲପୁର ସ୍ବେଚ୍ଛାସେବୀ ସଂଗଠନ ‘ସମ୍ବଳ’ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜି ସୁଦ୍ଧା ଏହି ସଂଗଠନ ୬୦୧ ଜଣ ଅପରିଚତ ବ୍ୟକ୍ତି ଓ ୧୭୦ ଜଣ ଅସହାୟ ବ୍ୟକ୍ତିଙ୍କ ସହିତ ମୋଟ ୭୭୧ ଜଣ ଶବ ଦାହକରି ସମାଜସେବା କ୍ଷେତ୍ରରେ ବିରଳ ରେକର୍ଡ ସୃଷ୍ଟି କରିଛି। ‘ସମ୍ବଳ’ ପ୍ରଥମେ ୫ ନଭେମ୍ବର ୨୦୧୧ରେ ପ୍ରଥମ ଅଜଣା ଶବ ସତ୍କାର ଆରମ୍ଭ କରିଥିଲା। ବିଶେଷ କରି ବୁର୍ଲା ଡାକ୍ତରଖାନା, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଥାଏ। ସଡ଼କ ଦୁର୍ଘଟଣା, ଟ୍ରେନ୍‌ରେ କଟିଯାଇଥିବା ବହୁ ବ୍ୟକ୍ତିଙ୍କ ଶବ ବି ବୁର୍ଲା ଡାକ୍ତରଖାନାକୁ ଆସିଥାଏ। ସଂପୃକ୍ତ ବ୍ୟକ୍ତିଙ୍କ ଶବ ନେବା ପାଇଁ କେହି ଦାବିଦାର ନବାହାରିଲେ ପୁଲିସ ଶବଦାହ ପାଇଁ ‘ସମ୍ବଳ’ ଅନୁଷ୍ଠାନକୁ ଅନୁରୋଧ କରିଥାଏ। ‘ସମ୍ବଳ’ ଏହି ଦାୟିତ୍ବକୁ ସୁଚାରୁ ରୂପେ ସଂପାଦନ କରିଥାଏ।

ସଂଗଠନ ଆଜି ଗୋଟିଏ ଦିନରେ ମନ୍ଦଲିଆ ରାଜଘାଟରେ ଏକ ସଂଗରେ ୨ ଜଣଙ୍କ ଶବଦାହ କରି ୬୦୧ ଜଣ ଅପରିଚିତ ବ୍ୟକ୍ତିଙ୍କ ଶବଦାହ କରିବାର ରେକର୍ଡ କରିଛି। ଗତ ଗତ ୨୨ ତାରିଖରେ ବୁର୍ଲା ଡାକ୍ତରଖାନାର ମେଡିସିନ ୱାର୍ଡରେ ଭର୍ତ୍ତି ଜଣେ ୫୫ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଗତ ୨୫ରେ ମୃତ୍ୟୁ ଘଟିଥିଲା। ସେହିପରି ପୁରୁଷ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୫୮ ବର୍ଷୀୟ ଅପରିଚିତ ବୃଦ୍ଧଙ୍କ ଗତ ୨୮ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଉଭୟ ବ୍ୟକ୍ତିଙ୍କ ଶବ ନେବା ପାଇଁ ସେମାନଙ୍କ କେହି ନିଜ ଲୋକ ନଆସିବାରୁ ବୁର୍ଲା ମେଡିକାଲ ଫାଣ୍ଡି ପୁଲିସ ଆଜି ଶବଦାହ ପାଇଁ ‘ସମ୍ବଳ’କୁ ଅନୁରୋଧ କଲାପରେ ଏମାନଙ୍କ ଶବଦାହ କରାଯାଇଛି।

ଏହି ସମୟରେ ‘ସମ୍ବଳ’ର ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଅଶୋକ ଜଲାନ, ଗୋଲକ ବିହାରୀ ମିଶ୍ର, ଉଦ୍ଧବ ମହାପାତ୍ର, ସଦାଶିବ ମହାପାତ୍ର, ସଭାପତି ଶଙ୍କର ପ୍ରସାଦ ପତି, କାର୍ଯ୍ୟକାରୀ ସଭାପତି ପଞ୍ଚାନନ ତ୍ରିପାଠୀ, ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ସଂପାଦକ ସୁବ୍ରତ ପଣ୍ଡା, ସଂଯୋଜକ ରାମଦାସ ପଣ୍ଡା, ସହ-ସଂପାଦକ ଶମ୍ଭୁ ପଟେଲ, ସନ୍ତକ ପଣ୍ଡା, ସୌରୀ ନାରାୟଣ ପାଣିଗ୍ରାହୀ, ରାଜେଶ ସେଠ, ମୁକେଶ ବିଶି, ଶିବ ମଲ୍ଲିକ,ଦିଲୀପ ସାହୁ, ଶିବ ନନ୍ଦ, ପ୍ରକାଶ ପ୍ରଧାନ, ନିହାଲ ସିଂ, ସନ୍ତୋଷ ଦାଶଙ୍କ ସହିତ ସହରର ଅନ୍ୟ କେତେକ ସ୍ବେଚ୍ଛାସେବୀ ସଂଗଠନର ସଭ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର