ରାଜପଥ ପାଲଟିଛି ମରଣଯନ୍ତା: ପ୍ରତି ମାସରେ ଗଡ଼ୁଛି ୧୭ ମୁଣ୍ଡ

୨୦ ମାସରେ ଗଲାଣି ୩୫୦ ଜୀବନ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ରାଜପଥ ପାଲଟିଛି ମରଣଯନ୍ତା। ଗତ ୨୦ ମାସ ମଧ୍ୟରେ ରାଜପଥ ନେଲାଣି ୩୫୦ ଜୀବନ। ହାରାହାରି ହିସାବକୁ ନେଲେ ପ୍ରତ୍ୟେକ ମାସରେ ୧୭ରୁ ଅଧିକ ମୁଣ୍ଡ ଗଡ଼ୁଛି। ରାସ୍ତାର ଶୋଚନୀୟ ଅବସ୍ଥା ଦୁର୍ଘଟଣାରେ ଅନ୍ୟତମ ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି। ଏଭଳି ସ୍ଥିତିରେ ଖରାପ ଅବସ୍ଥାରେ ଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଗତ ୨୦୨୨ ମସିହା ଜାନୁଆରି ମାସରୁ ଡିସେମ୍ବର ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ମୋଟ ୫୧୯ଟି ସଡ଼କ ଦୁର୍ଘଟଣା ଘଟିଥିଲା। ସେଥିରୁ ମଧ୍ୟରୁ ୨୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭୭ ଜଣ ଆହତ ହୋଇଥିଲେ। ସେହିପରି ୧ ଜାନୁଆରି ୨୦୨୩ରୁ ଗତ ଅଗଷ୍ଟ ମାସ ମଧ୍ୟରେ ୨୬୯ଟି ଦୁର୍ଘଟଣା ମଧ୍ୟରୁ ୧୨୫ ଜଣ ପ୍ରାଣ ହରାଇଥିବା ବେଳେ ୨୯୩ ଜଣ ଆହତ ହୋଇଥିଲେ। ରାସ୍ତା ଖରାପ ଥିବା କାରଣରୁ ପ୍ରାୟତଃ ଦୁର୍ଘଟଣା ଘଟୁଥିବା ବେଳେ ମଦ୍ୟପାନ କରି ଗାଡ଼ିଚାଳନା ଏବଂ ଦ୍ରୁତ ଗତି ଯୋଗୁ ବି ବହୁ ସମୟରେ ଗାଡ଼ି ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି।

୧ ଜାନୁଆରି ୨୦୨୩ରୁ ଅଗଷ୍ଟ ମଧ୍ୟରେ ମଦପିଇ ଗାଡ଼ିଚାଳନା କରୁଥିବା ୫୯୯ ଜଣ ଚାଳକ ପରିବହନ ବିଭାଗ ହାତରେ ଧରାପଡ଼ିଛନ୍ତି। ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ୪୦୯୩ ଜଣ ମଧ୍ୟ ଧରାପଡ଼ିଛନ୍ତି। ଅପରପକ୍ଷରେ ସିଟ୍‌ବେଲ୍ଟ ବାନ୍ଧିନଥିବା ପାଇଁ ୬୭୨ଟି, ହେଲମେଟ ପିନ୍ଧିନଥିବା ପାଇଁ ୧୭,୩୧୪ଟି, ଗାଡ଼ିଚାଳନା ସମୟରେ ମୋବାଇଲ ଫୋନରେ କଥା ହେଉଥିବା ନିମନ୍ତେ ୧୮୩୭ଟି, ଓଭର ଲୋଡ଼ ପାଇଁ ୧୩୨ଟି ଏବଂ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ପାଇଁ ୪୭ଟି ମାମଲା ପଞ୍ଜୀକୃତ ହୋଇଛି। ସେହିପରି ୧୫୧୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବି ରଦ୍ଦ କରାଯାଇଛି।

ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା ବୈଠକରେ ଏକ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଠକରେ ଆର୍‌ଟିଓ ରାମଦାସ ଟୁଡୁ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍‌ ମାଲିକ ସଂଘ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ହେବା ସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି। ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯିବା ସହ କାଗଜପତ୍ର ନଥାଇ ଗାଡ଼ି ଚଲାଉଥିଲେ ଗାଡ଼ି ଜବତ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ବିନା ହେଲମେଟ୍‌ରେ ଗାଡ଼ିଚାଳନା, ଦ୍ରୁତ ଗତି, ବିନା ସିଟବେଲ୍ଟରେ ଗାଡି ଚାଳନା, ମଦ୍ୟପ ଡ୍ରାଇଭଙ୍କ ଉପରେ ନଜର ରଖି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ପାର୍କିଂ ଉପରେ ନଜର କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାପ ପଡ଼ିଥିବା ରାସ୍ତା ମରାମତି, ବିଭିନ୍ନ ସୂଚନା ଫଳକ ଲଗେଇବା, ଅନଧିକୃତ ରୋଡ଼ ଡିଭାଇଡର୍‌, ବ୍ଲାକ ସ୍ପଟ, ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ହମ୍ପ୍ସ ନିର୍ମାଣ, ବିଭିନ୍ନ ଡ୍ରାଇଭମାନଙ୍କୁ ନେଇ ସଚେତନତା କରିବା ଇତ୍ୟାଦି ଉପରେ ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର