ରାଜକୋଟ‌ ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ, ୨୪ ମୃତ

ରାଜକୋଟ: ଗୁଜରାଟର ରାଜକୋଟରେ ଆଜି ସନ୍ଧ୍ୟାରେ ଏକ ଟିଆର୍‌ପି ଗେମିଂ ଜୋନ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟି ୯ ଶିଶୁଙ୍କ ସମେତ ୨୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏଥିରେ ଶତାଧିକ ଆହତ ହୋଇଥିବାର ମଧ୍ୟ ଖବର ମିଳିଛି। ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଜି ସନ୍ଧ୍ୟା ବେଳେ ଗେମିଂ ଜୋନ୍‌ରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ଗହଳି ଲାଗି ରହିଥିଲା। ଏହି ସମୟରେ ସେଠାରେ ହଠାତ୍‌ ନିଆଁ ଲାଗିବା ସହ ଜୋନ୍ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ୩୦ରୁ ଅଧିକ ଶିଶୁଙ୍କ ସମେତ ଅନେକ ଲୋକ ଫସି ଯାଇଥିଲେ। ଖବର ପାଇ ୪ଟି ଅଗ୍ନି ନିର୍ବାପକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ପୁଲିସ ଆଶଙ୍କା କରୁଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନି ନିର୍ବାପକ ଅଫିସର ଆଇଭି ଖେର କହିଛନ୍ତି ଯେ ନିଆଁ ଲିଭା କାର୍ଯ୍ୟରେ ସମସ୍ୟା ଉପୁଜିଛି। ଏକ ଅସ୍ଥାୟୀ ନିର୍ମାଣ ଭାଙ୍ଗି ପଡ଼ିଥିବାରୁ ଏବଂ ପବନର ବେଗ ଅଧିକ ଥିବାରୁ ନିଆଁ ଲିଭା କାର୍ଯ୍ୟରେ ସମସ୍ୟା ଉପୁଜିଛି।

ମିଳିଥିବା ସୂଚନାନୁଯାୟୀ ଦୁର୍ଘଟଣାସ୍ଥଳରୁ ୧୫ରୁ ୨୦ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ରାଜକୋଟ ପୁଲିସ କମିସନର ରାଜୁ ଭାର୍ଗବ କହିଛନ୍ତି, ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ଠାବ କରି ସୁରକ୍ଷିତ ଉଦ୍ଧାର କରିବା ବହୁତ ବଡ଼ ଚ୍ୟାଲେଂଜ ପାଲଟିଛି। ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିବାପରେ କେତେଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଛନ୍ତି। ପୁଲିସ କମିସନର କହିଛନ୍ତି ଯେ ଯୁବରାଜ ସିଂହ ସୋଲାଙ୍କି ନାମକ ଜଣେ ବ୍ୟକ୍ତି ଏହି ଗେମିଂ ଜୋନ୍‌ର ମାଲିକ। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହେବ ଏବଂ ଉଦ୍ଧାର କାର୍ଯ୍ୟ ଶେଷ ହେବାପରେ ତଦନ୍ତ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଗ୍ନିକାଣ୍ଡ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରାଣ ହରାଇଥିବା ଶିଶୁ ଓ ଅନ୍ୟମାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର