ଜେଇଇ ମେନ୍‌-୨: ପ୍ରିୟଙ୍କା ଓଡ଼ିଶା ଟପର

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌-୨ ଫଳ ଆଜି ପ୍ରକାଶ ପାଇଛି। ଏଥର ଦେଶର ୪୩ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ୍‍ ରଖି ଟପର ହୋଇଛନ୍ତି। କର୍ଣ୍ଣାଟକର ରିଧି କମଲେଶ କୁମାର ମହେଶ୍ବରୀ ଛାତ୍ରୀଙ୍କ ମଧ୍ୟରେ ଦେଶରେ ଟପର ହେବା ସହ ଏକମାତ୍ର ଛାତ୍ରୀ ଭାବେ ୧୦୦ ପର୍ସେଣ୍ଟାଇଲ୍‍ ରଖିବାରେ ସକ୍ଷମ ହୋଇଛନ୍ତି। ୯ ଲକ୍ଷ ୩୧ ହଜାର ୩୩୪ଜଣ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୪.୮୩% ପରୀକ୍ଷା ଦେଇଥିଲେ। ଜେଇଇ ମେନ୍‌ରେ ସଫଳତା ହାସଲ କରିଥିବା ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ଏପ୍ରିଲ ୩୦ ତଥା ରବିବାରଠାରୁ jeeadv.ac.in ୱେବସାଇଟ୍‌ ମାଧ୍ୟମରେ ପରୀକ୍ଷା ଲାଗି ପଞ୍ଜୀକରଣ କରିପାରିବେ।

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ପ୍ରିୟଙ୍କା ସର୍‌ ଜେଇଇ ମେନ୍‌ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ପ୍ରିୟଙ୍କା ୯୯.୯୮୫ ପର୍ସେଣ୍ଟାଇଲ୍‍ ନମ୍ବର ରଖି ଓଡ଼ିଶା ଟପ୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ସଫଳତା ନେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରି ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରିୟଙ୍କାଙ୍କ ବ୍ୟତୀତ ଓଡ଼ିଶାର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍‌ରେ ୯୯ ପର୍ସେଣ୍ଟାଇଲ୍‍ରୁ ଅଧିକ ନମ୍ବର ରଖିଛନ୍ତି। ଭୁବନେଶ୍ବର ସମେତ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ବର, ବ୍ରହ୍ମପୁର, ବଲାଙ୍ଗୀର ଆଦି ସହରରେ ଥିବା ପ୍ରମୁଖ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର