ଆଜି ବି ରାଜେଶ-ଡିମ୍ପଲ୍‌ଙ୍କୁ ନେଇ ଚର୍ଚ୍ଚା ହୁଏ

ସପ୍ତମ ଦଶକ ବେଳକୁ ବଲିଉଡ୍‌ର ପ୍ରଥମ ‘ସୁପର୍‌ଷ୍ଟାର୍’ ରାଜେଶ ଖାନ୍ନାଙ୍କ ନାହିଁ ନଥିବା ଲୋକପ୍ରିୟତା। ୧୯୭୩ରେ ତାଙ୍କୁ କିପରି ବାହା ହେଲେ ସେ ନେଇ ଡିମ୍ପଲ କପାଡ଼ିଆ ଏକ ପୁରୁଣା ସାକ୍ଷାତକାରରେ ପ୍ରକାଶ କରିଥିବା କିଛି ଅନାଲୋଚିତ କଥାକୁ ନେଇ ଗଣମାଧ୍ୟମରେ ଏବେ ପୁଣି ଚର୍ଚ୍ଚା ଚାଲିଛି। ଥରେ ଏକ ଘରୋଇ ଉଡ଼ାଜାହାଜରେ ଦୁହେଁ ଅହମ୍ମଦାବାଦ ଯାଉଥିବା ବେଳେ ତାଙ୍କଠୁ ବୟସରେ ଦୁଇଗୁଣ ବଡ଼ ରାଜେଶ ଖାନ୍ନା ତାଙ୍କ ପାଖ ସିଟ୍‌ରେ ବସିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଦୈା କଥାବାର୍ତ୍ତା ହୋଇନଥିଲା। ତେବେ ବିମାନ ଅବତରଣ କରିବାର କିଛି ମୁହୂର୍ତ୍ତ ପୂର୍ବରୁ ହଠାତ୍ ଡିମ୍ପଲଙ୍କ ଆଡ଼କୁ ଅନାଇ ରାଜେଶ କହିଲେ, ‘‘ମୁଁ ତୁମକୁ ବାହାହେବାକୁ ଚାହୁଛି।’’ ରାଜେଶ ଖାନ୍ନାଙ୍କ ପତ୍ନୀ ହେବେ ଶୁଣି ଆନନ୍ଦରେ କୁରୁଳି ଉଠିଥିଲେ ଡିମ୍ପଲ।

ମାତ୍ର ସାତଦିନ ଭିତରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଗଲା। ପ୍ରସିଦ୍ଧ ‘ବବି’ ଚଳଚ୍ଚିତ୍ରର ସଫଳତାକୁ ସେତେବେଳେ ନିଜେ ୧୬ ବର୍ଷୀୟା ଡିମ୍ପଲ ବି ଭଲ ଭାବେ ବୁଝିପାରିନଥିଲେ। ତାଙ୍କୁ ଫିଲ୍ମ ପିଛା ୫ ଲକ୍ଷ ଟଙ୍କା(ସେତେବେଳେ ବହୁତ)ରେ ନେବାକୁ ପ୍ରଯୋଜକମାନେ ପ୍ରସ୍ତାବ ଦେ‌ଇଥିଲେ ହେଁ ରାଜେଶ ଖାନ୍ନାଙ୍କ ନିଷ୍ପତ୍ତି କ୍ରମେ ସେ ସବୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଡିମ୍ପଲ କହନ୍ତି, ‘‘ରାଜେଶଙ୍କ ଘର ‘ଆଶୀର୍ବାଦ’ରେ ପାଦ ଦେବା ମୁହୂର୍ତ୍ତରୁ ମୁଁ ଜାଣିଯାଇଥିଲି ଯେ ଆମର ଏହି ବିବାହ ବିଫଳ ହେବ।’’ ତାହାହିଁ ହୋଇଥିଲା। ମନାନ୍ତର ହେଲା। ବିବାହର ୯ ବର୍ଷ ଭିତରେ ୧୯୮୨ରେ ରାଜେଶଙ୍କୁ ଛାଡ଼ି ଡିମ୍ପଲ ନିଜ ବାପଘରକୁ ଚାଲିଗଲେ। ସେ ପୁଣି ଫିଲ୍ମ ଦୁନିଆକୁ ଫେରି ‘ଜଖ୍‌ମି’ ଓ ପରେପରେ ୧୯୮୫ରେ କମଲ ହାସନ-ଋଷି କପୁରଙ୍କ ସହ ‘ସାଗର’ ଚଳଚ୍ଚିତ୍ରରେ ଅଭିନୟ କରିବା ଅବସରରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଦେଇଥିବା ଉପରୋକ୍ତ ସାକ୍ଷାତକାରଟି ଏବେ କିଛିଦିନ ହେଲା ପୁଣି ଆଲୋଚନାକୁ ଆସିଛି।

ମିଶ୍ରିତ ପ୍ରତିକ୍ରିୟାରେ ଦଳେ ସେମାନଙ୍କ ବୈବାହିକ ଜୀବନର ବିଫଳତା ପାଇଁ ରାଜେଶ ଖାନ୍ନାଙ୍କୁ ଦାୟୀ କରିଥିବା ବେଳେ ଅନ୍ୟମାନେ ଡିମ୍ପଲଙ୍କୁ ସମାଲୋଚନା କରିଛନ୍ତି। ଅଂଜୁଙ୍କ ସହ ଡିମ୍ପଲ ବିଶ୍ବାସଘାତ କରି ଯେପରି ତାଙ୍କୁ ରାଜେଶଙ୍କ ଜୀବନରୁ ହଟାଇଥିଲେ, ନିଜେ ମଧ୍ୟ ସମାନ ପରିଣତି ଭୋଗିଲେ। ସେ ଆମ କାକା(ରାଜେଶ)ଙ୍କ ଜୀବନକୁ ବର୍ବାଦ କରିଦେଲେ। ତାତ୍ସଲ୍ୟ କରି କୁହାଯାଇଛି, ‘ଆଶୀର୍ବାଦ’ରେ ପ୍ରବେଶ ବେଳକୁ କାହିଁକି, ତମେ ରାଜେଶଙ୍କୁ ଭେଟିବା ପୂର୍ବରୁ ଜାଣିଯାଇଥିଲ ଯେ ବିବାହ ବିଫଳ ହେବ; ତମେ ଜଣେ ସର୍ବଜ୍ଞ। ତମେ ତ ଜଣେ ଜଣାଶୁଣା ଷ୍ଟାର୍, ମାତ୍ର ୧୬ ବର୍ଷରେ ବାହାହେବାକୁ କାହିଁକି ମନ କଲ? କେହି କେମିତି ତମକୁ ସେତେବେଳେ ଏତେ କମ୍ ବୟସରେ ବାହା ହେବାକୁ ମନା କଲେନି? ରାଜେଶଙ୍କ ଉପରେ ନୁହେଁ, ତମର ଆଖି ଥିଲା ତାଙ୍କର ସବୁଠୁ ବଡ଼ ସମ୍ପତ୍ତି ‘ଆଶୀର୍ବାଦ’ କୋଠା ଉପରେ। ରାଜେଶ ଏତେ ବଡ଼ ଷ୍ଟାର୍ ଥିଲେ ଯେ ଘରଟିକୁ ଯଦି ଜାତୀୟ ସ୍ମାରକୀ କରିବା ପାଇଁ ତମେ ତାକୁ ସରକାରଙ୍କୁ ଦେଇଦେଇଥାନ୍ତ, ତମକୁ ଆମେ ସମ୍ମାନ ଦେଇଥାନ୍ତୁ। ଜଣେ ସମାଲୋଚକ ‘ପଠାନ୍’ ସିନେମାରେ ଡିମ୍ପଲ ସେମିତି କିଛି ଉଲ୍ଲେଖନୀୟ ଅଭିନୟ କରିନାହାନ୍ତି ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟ ପକ୍ଷରେ, ଆଉ କିଛି ଲୋକ ଦିବଂଗତ ରାଜେଶଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ସେ ନାରୀଙ୍କୁ ମର୍ଯ୍ୟାଦା ଦେଉନଥିବା ଜଣେ ମଧ୍ୟଯୁଗୀୟ ଅହଂକାରୀ ବ୍ୟକ୍ତି ବୋଲି କହିଛନ୍ତି। ଏପରି ସ୍ବାମୀଙ୍କ ପାଖରେ କେହି ବି ପତ୍ନୀ ଭାବେ ବେଶି ଦିନ ତିଷ୍ଠିପାରନ୍ତେ ନାହିଁ। ସେଇଥିପାଇଁ ତ ଡିମ୍ପଲ ତାଙ୍କୁ ଛାଡ଼ିଦେଇଥିଲେ ବୋଲି ଯୁକ୍ତି ହୋଇଛି।

ସମ୍ବନ୍ଧିତ ଖବର