ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଉପାଧ୍ୟକ୍ଷ

ଇସ୍ତଫାର ଘଣ୍ଟାଏ ପରେ କଂଗ୍ରେସରେ ସାମିଲ

ରାଜନଗର/ ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା ରାଜନଗର ବ୍ଲକର ପୂର୍ବତନ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ଆଜି ଅପରାହ୍ଣରେ ତାଙ୍କ ଇସ୍ତଫାପତ୍ର ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଓ ଜିଲ୍ଲା ବିଜେଡି ସଭାପତିଙ୍କୁ ପଠାଇ ଦେଇଛନ୍ତି। ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ସେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ବର କଂଗ୍ରେସ ଭବନରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କେନ୍ଦ୍ରାପଡା ଜିଲ୍ଲାର ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ଲୋକଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରି ଆସିଛି, ଆଗାମୀ ଦିନରେ ପଟ୍ଟାମୁଣ୍ତାଇ ଓ ରାଜନଗରରେ କଂଗ୍ରେସ ଶକ୍ତ ହେବ, ଲୋକଙ୍କ ସେବା ଜାରି ରହିବ ବୋଲି ଅଶୋକ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମାନସ ଚୌଧୁରୀ, ସିଦ୍ଧାର୍ଥ ସ୍ବରୂପ ଦାସ ଓ ଲଲାଟେନ୍ଦୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ବିଜେଡି ପ୍ରାର୍ଥୀ ଭାବେ ୨୦୨୨ ପଂଚାୟତ ନିର୍ବାଚନରେ ରାଜନଗର ବ୍ଲକର ୩୧ନଂ ଜୋନରୁ ଜିଲ୍ଲାପରିଷଦକୁ ନିର୍ବାଚିତ ହୋଇଥିଲେ। ସେ ରାଜନଗର ବ୍ଲକ ବିଜୁ ଜନତା ଦଳର ତିନି ତିନି ଥର ସଭାପତି ରହିବା ସହ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ ଥିଲେ। ଗତ ଅଗଷ୍ଟ ମାସରେ ସେ ବିଧାୟକଙ୍କ ବିରୁଦ୍ଧରେ ଖୋଲାଖୋଲି ବିଷୋଦଗାର କରିଥିଲେ। ଏହାପରେ ତାଙ୍କୁ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଗତ କିଛିଦିନ ହେଲା ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ଆଜି ବିଜେପି ପକ୍ଷରୁ ରାଜନଗର ନିର୍ବାଚନମଣ୍ତଳୀ ପାଇଁ ଯୁବନେତା ଲଳିତ କୁମାର ବେହେରାଙ୍କ ନାଁ ଘୋଷଣା ହେବାର କେତେ ଘଣ୍ଟା ପରେ ସେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି। ଗତ କିଛିଦିନ ତଳେ ବାଲିସାହିପାଟଣା ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ସେ ଟିକେଟ ହାତେଇବେ ବୋଲି ତାଙ୍କ ସମର୍ଥକମାନେ ଚର୍ଚ୍ଚା କରୁଥିବା ବେଳେ ଏବେ ଅଶୋକ କଂଗ୍ରେସ ଟିକେଟରେ ରାଜନଗର ବିଧାନସଭା ନିର୍ବାଚନମଣ୍ତଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର