ବିଏସ୍‌କେୱାଇକୁ ନେଇ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଗରିବ ଲୋକଙ୍କ ମାଗଣା ଚିକିତ୍ସା ବନ୍ଦ ପାଇଁ ଷଡ୍‌ଯନ୍ତ୍ର

ଭୁବନେଶ୍ୱର: ବିଏସ୍‌କେୱାଇ ସ୍ୱାସ୍ଥ୍ୟକାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି। ଏହା ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡ଼ିତ ହେଲେ ସେମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ମିଳିବ। ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ। ଏଥିସହିତ ବିଏସ୍‍କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି। ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଛନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍‍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଓ ୧୬ଟି ରାଜ୍ୟରେ ୧୬୪ଟି ପ୍ରମୁଖ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି । ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଏସ୍‌କେୱାଇ ଯୋଗୁଁ ଓଡ଼ିଶା ଲୋକଙ୍କର ଗୋଟିଏ ବର୍ଷରେ ୩୦୦୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି, ଯାହାକୁ ସେମାନେ ନିଜର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରିପାରିବେ। ଗତ ଏକ ବର୍ଷ ମଧ୍ୟରେ ବିଏସକେୱାଇ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ରାଜ୍ୟ ବାହାରେ ଚିକିତ୍ସା କରାଯାଇଛି। ବିଏସ୍‌କେୱାଇ କାରଣରୁ ସେମାନେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୩୮୫ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। କିନ୍ତୁ ଓଡ଼ିଶା ବିଜେପି ବିଧାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଯଦି ଓଡ଼ିଶାବାସୀ ବିଏସ୍‌କେୱାଇ ସ୍ୱାସ୍ଥ୍ୟ କାର୍ଡରୁ ଉପକୃତ ହେଉଛନ୍ତି, ତେବେ ଶ୍ରୀ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି? କେନ୍ଦ୍ର ମନ୍ତ୍ରୀ କ’ଣ ଚାହୁଁଛନ୍ତି କି, ଏହି ଲକ୍ଷ ଲକ୍ଷ ଓଡ଼ିଆ ବିଏସ୍‌କେୱାଇ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଯେଉଁ ଚିକିତ୍ସା ସୁବିଧା ପାଉଛନ୍ତି ତାହା ନପାଆନ୍ତୁ ବୋଲି? ଯଦି ଶ୍ରୀ ପ୍ରଧାନ ଭାବୁଛନ୍ତି ଯେ ବିଏସ୍‌କେୱାଇ ଏକ ଖରାପ କାର୍ଯ୍ୟକ୍ରମ, ତେବେ ବିଏସ୍‌କେୱାଇ ସ୍ୱାସ୍ଥ୍ୟକାର୍ଡକୁ ବନ୍ଦ କରିବାକୁ ତାଙ୍କ ଇସ୍ତାହାର ଘୋଷଣା କରିବାକୁ ଶ୍ରୀ ପାତ୍ର ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର