ସଙ୍କଟରେ ରାଜ୍ୟର ସର୍ବବୃହତ୍‌ ବ୍ଲଡ୍ ବ୍ୟାଙ୍କ୍: ଫେରିଯିବ ‘କୋବାଲ୍‌ଟ ୬୦ ଗାମା ଇରେଡିଏଟର୍’ ମେସିନ୍‌

କଟକ, (କୃଷ୍ଣପ୍ରସାଦ ଦାସ): ବାରମ୍ବାର ରକ୍ତ ନେଉଥିବା, ବିଶେଷକରି ଥାଲାସେମିଆ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ‘କୋବାଲ୍‌ଟ ୬୦ ଗାମା ଇରେଡିଏଟର୍‌’ ମେସିନ୍‌ କଟକର କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରୁ ଭାବା ଆଟୋମିକ୍ ରିସର୍ଚ ସେଣ୍ଟର (ବାର୍କ‌)କୁ ଫେରିଯିବ। ୨୦୦୬ରେ ଏହି ମେସିନ୍‌କୁ ବାର୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଶରୀରରେ ରକ୍ତର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ଏଡ଼ାଇବାକୁ ଏହି ମେସିନ୍ ବ୍ୟବହାର ହୋଇଥାଏ। ଦୀର୍ଘଦିନ ଧରି ବାରମ୍ବାର ରକ୍ତ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ। ଏମିତିକି ସେମାନଙ୍କର ବ୍ଲଡ୍ ଗ୍ରୁପ୍ ବି ବଦଳି ଯାଇଥାଏ। ତେଣୁ ସେମାନଙ୍କୁ ରକ୍ତ ଦେବା ପୂର୍ବରୁ ରକ୍ତକୁ ଏହି ମେସିନ୍‌ରେ ଦୁଇ ମିନିଟ୍‌ ରଖି ଦିଆଯିବା ପରେ ରକ୍ତର ପ୍ରତିକୂଳ ପ୍ରଭାବକୁ ଏଡ଼ାଇ ଦିଆଯାଇ ପାରିଥାଏ।

New York Post

କଟକର କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ଉପରେ ୫ ଶହ ଥାଲାସେମିଆ ରୋଗୀ ଏବେ ନିର୍ଭରଶୀଳ। ଦୈନିକ ହାରାହାରି ଭାବେ ୩୦ ଜଣ ଥାଲାସେମିଆ ରୋଗୀ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରୁ ରକ୍ତ ନେଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ‘‌ଇରେଡିଏଟର ମେସିନ୍’ ୨୦୧୧ରୁ ଆଉ ବ୍ୟବହାର ହେଉନାହିଁ। ଏହି ମେସିନ୍ ବ୍ୟବହାର ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ନଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁ ନାହିଁ। ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବାବେଳେ ଏହି ମେସିନ୍‌କୁ ସୁରକ୍ଷିତ ରଖିବା ଏବେ ବଡ଼ ଆହ୍ବାନ ହୋଇଛି। କାରଣ କୌଣସି ପ୍ରକାର ଲିକେଜ୍‌/ବିସ୍ଫୋରଣ ଧନଜୀବନ ହାନିର କାରଣ ହୋଇପାରେ। ବର୍ତ୍ତମାନ
ରେଡକ୍ରସ ରକ୍ତଭଣ୍ଡାରକୁ ତରବରିଆ ଭାବେ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଏହି ମେସିନ୍‌କୁ ସୁରକ୍ଷିତ ଭାବେ ଭା‌ବା ଆଟୋମିକ୍ ରିସର୍ଚ ସେଣ୍ଟରକୁ ଫେରାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମେସିନ ପାଇଁ ଆବଶ୍ୟକ ଅଧିକାରୀ, କର୍ମଚାରୀ ନିଯୁକ୍ତ ନ କରିବା ଏବଂ ଏବେ ସ୍ଥାନାନ୍ତର ପ୍ରକ୍ରିୟାରେ ବିପଦ ଆଶା କରି ଏହାକୁ ଫେରାଇ ଦେବା ପାଇଁ ପଦକ୍ଷେପ ନେବାର ଯଥାର୍ଥତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି।

କେବଳ ଇରେଡିଏଟର୍‌ ମେସିନ ନୁହେଁ, ବର୍ତ୍ତମାନ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ନେଇ ରାଜ୍ୟର ସର୍ବବୃହତ୍‌ ତଥା ସର୍ବପୁରାତନ କଟକର କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରର ସ୍ଥିତିକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ୧୯୫୯ ମସିହା, ଏପ୍ରିଲ ୪ ତାରିଖରେ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ‌ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ଏହି ରକ୍ତଭଣ୍ଡାର ଏବେ ତା’ର ମୂଳ ସ୍ଥାନରୁ ସ୍ଥାନାନ୍ତର ହେବାକୁ ଯାଉଛି। କିନ୍ତୁ କଟକ ବଡ଼ ଡାକ୍ତରଖାନାର ସଂପ୍ରସାରଣ କାର୍ଯ୍ୟ ପାଇଁ ପ୍ରଶାସନ ରକ୍ତ ଭଣ୍ଡାରକୁ ତରବରିଆ ଭାବେ ସ୍ଥାନାନ୍ତର କରି ଗୁରୁତର ବିଭ୍ରାଟକୁ ଆମନ୍ତ୍ରଣ କରିବାକୁ ଯାଉଛି। କଟକର କେନ୍ଦ୍ରୀୟ ରେଡକ୍ରସ ବ୍ଲଡ୍ ବ୍ୟାଙ୍କ ଜରିଆରେ ବର୍ଷକୁ ୫୦ ହଜାର ୟୁନିଟ ରକ୍ତ ସଂଗ୍ରହ ହେଉଛି। ଦୈନିକ ହାରାହାରି ୨ ଶହ ରୋଗୀ ‌ରକ୍ତ ନେଉଛନ୍ତି। ରକ୍ତଭଣ୍ଡାରରେ ୩ ହଜାର ୟୁନିଟ୍ ରକ୍ତ ରଖିବାର ବ୍ୟବସ୍ଥା ରହିଛି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି ବର୍ତ୍ତମାନ ଏଠାରେ ଅନ୍ୟ ବ୍ଲଡ୍ ବ୍ୟାଙ୍କ ତୁଳନାରେ ଭଲ ଭିତ୍ତିଭୂମି ଥାଇ ବି ଆବଶ୍ୟକ ଭିତ୍ତିଭୂମି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ପାରୁ ନଥିବାରୁ ସ୍ଥାୟୀ ଲାଇସେନ୍ସ ମିଳିବା ସମ୍ଭବ ହେଉନାହିଁ।

ରକ୍ତଭଣ୍ଡାରକୁ ସେଣ୍ଟ୍ରାଲ, ଷ୍ଟେଟ୍ ଓ ରିଜିଓନାଲ ଏଭଳି ୩ଟି ଲାଇସେନ୍‌ସ ମିଳିଥାଏ। ଅସ୍ଥାୟୀ ଲାଇସେନ୍ସରେ ଚାଲିଥିବା ରାଜ୍ୟର ସର୍ବବୃହତ ବ୍ଲଡ୍‌ ବ୍ୟାଙ୍କକୁ ଏବେ ଭୁବନାନନ୍ଦ ସ୍କୁଲ ଅଫ୍ ଇଂଜିନିୟରିଂ ପାଖରେ ଥିବା ଏକ ପୁରୁଣା ଦୁଇ ମହଲା କୋଠାକୁ ଉଠାଇ ନେବାକୁ ଯୋଜନା କରାଯାଇଛି। କିନ୍ତୁ ଆବଶ୍ୟକ ପଡ଼ୁଥିବା ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରି ଏହାକୁ ସ୍ଥାନାନ୍ତର କରିବା ବଦଳରେ ଏଭଳି ତରବରିଆ ସ୍ଥାନାନ୍ତର କି ଉଦ୍ଦେଶ୍ୟ ସାଧନ କରିବ? ସେଠାରେ ରକ୍ତ ସଂଗ୍ରହ ବ୍ୟବସ୍ଥା, କମ୍ପୋନେଣ୍ଟ ସେପାରେସନ ୟୁନିଟ, କୋଲ୍‌ଡ ଷ୍ଟୋରେଜ, ପ୍ଲାଜମା ଷ୍ଟୋରେଜ, ଟିଟିଡି ଲାବ୍ରୋଟୋରି ଭଳି ସଂଯୁକ୍ତ ବ୍ୟବସ୍ଥା ପୁରୁଣା କୋଠାରେ କିଭଳି ପ୍ରସ୍ତୁତ କରାଯିବ? ସେହି ପୁରୁଣା କୋଠାକୁ ସ୍ଥାନାନ୍ତର ହେଲେ ରାଜ୍ୟର ସର୍ବବୃହତ ବ୍ଲଡ୍ ବ୍ୟାଙ୍କକୁ ଲାଇସେନ୍ସ ମିଳିବ ତ? ସରକାର ‘ରକ୍ତର ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ପଦକ୍ଷେପ ଆଉ ଅଭିଯାନ ଆରମ୍ଭ କରିଥିବା ବେଳେ ରକ୍ତ ଭଣ୍ଡାରକୁ ଏଭଳି ତରବରିଆ ସ୍ଥାନାନ୍ତର କରି ବ୍ୟବସ୍ଥାକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି’ କିପରି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର