ଧାନ କିଣାରେ ବଡ଼ଧରଣର ଦୁର୍ନୀତି ସନ୍ଦେହ: ରହସ୍ୟଘେରରେ ୧୩୮୭ କୁଇଣ୍ଟାଲ ଧାନ

ଏଆର୍‌ସିଏସ୍‌ କାର୍ଯ୍ୟାଳୟର ଭୂମିକାକୁ ନେଇ ପ୍ରଶ୍ନବାଚୀ

ଯାଜପୁର: ପୂର୍ବବର୍ଷ ତୁଳନାରେ ୨୦୨୩-୨୪ ଖରିଫ ଋତୁରେ ଧାନ ଫସଲ ଭଲ ହୋଇଥିଲା। ଏହାସତ୍ତ୍ବେ ଯାଜପୁର ଜିଲ୍ଲାରେ ଏଥର ୧ଲକ୍ଷ ୬୪ ହଜାର ୩୨୨ କୁଇଣ୍ଟାଲ ଧାନ କମ୍ କିଣାଯାଇଛି। ଗତବର୍ଷ ୪୪ ହଜାର ଚାଷୀ ଧାନ ବିକ୍ରି କରିଥିବା ବେଳେ ଏଥର ୩୮ହଜାରରୁ କମ୍ ଚାଷୀ ଧାନ ବିକିଛନ୍ତି। ଧାନ କିଣା ହ୍ରାସ ପାଇଥିବାବେଳେ ଧାନ କିଣାବିକା କାରବାରରେ ବି ବଡ଼ଧରଣର ଘୋଟଲା ଧରାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯାଜପୁର ବ୍ଲକ୍ ମାର୍କଣ୍ଡପୁର ଆର୍‌ଆଇଙ୍କ ଅଧୀନରେ ମା’ ସାହାଡ଼ା ସୁନ୍ଦରୀ ଏସଏଚ୍‌ଜି ଜରିଆରେ ଖୋଲାଯାଇଥିବା ଧାନମଣ୍ଡିରେ ଏକ ଦମ୍ପତିଙ୍କଠାରୁ କିଭଳି ୧୩୮୭କୁଇଣ୍ଟାଲ କିଣାହେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ଏପରିସ୍ଥଳେ କରାଯାଇଥିବା ଅନୁସନ୍ଧାନରୁ ରୋଚକ ତଥ୍ୟ ସାମ୍‌ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ୨୦୨୨-୨୩ ଖରିଫ୍‌ ଋତୁରେ ୧୫୮ଟି ସରକାରୀ ଧାନମଣ୍ଡିରେ ୪୪,୭୨୦ ଚାଷୀଙ୍କଠାରୁ ୧୮ଲକ୍ଷ ୨୬ହଜାର ୧୯କୁଇଣ୍ଟାଲ ଧାନ କିଣାଯାଇଥିବା ଯାହା ଦର୍ଶାଯାଇଛି, ତାହା କେବଳ କାଗଜପତ୍ରରେ। ବରଂ, ଏହିଭଳି ତଞ୍ଚକତା ମାଧ୍ୟମରେ କୋଟିକୋଟି ଟଙ୍କା ଦୁର୍ନୀତି କରାଯାଇଛି। ଏଥିରେ ଏଆରସିଏସଙ୍କ କାର୍ଯ୍ୟାଳୟର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନ ଫସଲ ଭଲ ହୋଇଥିବା ସତ୍ତ୍ବେ ଧାନମଣ୍ଡିରେ ଶୋଷଣ ଓ ନିର୍ଯାତନା ପାଇଁ ଚାଷୀମାନେ ବାହାର ରାଜ୍ୟର ବେପାରୀ ଓ ମିଲରଙ୍କ ଦଲାଲଙ୍କୁ କମ୍ ଦାମରେ ବିକିଦେଇଛନ୍ତି। ସମୁଦାୟ ୫୩,୨୩୦ ଚାଷୀ ଧାନ ବିକିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୩୭,୯୧୦ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ୧୫,୩୨୦ଜଣ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିନାହାନ୍ତି। ଏଥର ମୋଟ୍‌ ୧୬ଲକ୍ଷ ୬୧ହଜାର ୬୯୭କୁଇଣ୍ଟାଲ ଧାନ ବିକ୍ରି ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ଧାନ କିଣାବିକା ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଜିଲ୍ଲା ସଦର ମହକୁମା ତହସିଲର ମାର୍କଣ୍ଡପୁର ଆର୍‌ଆଇ ସର୍କଲ ଅଧୀନରେ ମା’ ସାହାଡ଼ା ସୁନ୍ଦରୀ ଏସ୍‌ଏଚ୍‌ଜି ୧୪୮ଜଣ ଚାଷୀଙ୍କଠାରୁ ୧୦,୧୩୪ କୁଇଣ୍ଟାଲ ଧାନ କିଣିଛି।

ସେଥିରୁ ମାନସ କୁମାର ଦାସଙ୍କଠାରୁ ୮୭୦.୯୬କୁଇଣ୍ଟାଲ ଓ ତାଙ୍କ ପତ୍ନୀ ଗୀତାରାଣୀ ଦାସଙ୍କଠାରୁ ୫୧୬.୬୧କୁଇଣ୍ଟାଲ କିଣାଯାଇଛି। ଦାସ ଦମ୍ପତିଙ୍କଠାରୁ ମୋଟ ୧୩୮୭ କୁଇଣ୍ଟାଲରୁ ଅଧିକ ଧାନ କିଣାଯାଇଛି। ଏହି ଦମ୍ପତିଙ୍କ ନାମରେ ମାତ୍ର ୨/୩ ଏକର ଜମିରହିଛି। ତେବେ ଶ୍ରୀ ଦାସଙ୍କ ପରିବାର ନାମରେ କିପରି ୭୩ ଏକରରୁ ଅଧିକ ଜମିର ଜାଲ କାଗଜପତ୍ର କରି ଧାନ କିଣାଗଲା, ଏହି କାରବାର ସ୍ଥାନୀୟ ଆରଆଇ ଓ ଏସଆରସିଏସ କାର୍ଯ୍ୟାଳୟ କିପରି ଜାଣି ପାରିଲେ ନାହିଁ- ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏ ସମ୍ପର୍କରେ ଆର୍‌ଆଇ ସଚ୍ଚିକାନ୍ତ ସାମଲ କହନ୍ତି, ଏସ୍‌ଏଚ୍‌ଜି ଯେଉଁ ଫର୍ମ ଆଣି ଦେଇଥିଲେ, ତାହା ସର୍ଭେ କରି ଦିଆଯାଇଛି। ତେବେ, ଅଧିକ କିଛି ଜାଣି ନାହିଁ। ଶ୍ରୀ ଦାସଙ୍କ ପରିବାର ନାମରେ ଏତେ ପରିମାଣର ଜମି ନାହିଁ ବୋଲି ଆର୍‌ଆଇ ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର