ଭବାନୀପାଟଣାରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ: ମୁଖ୍ୟମନ୍ତ୍ରୀଙ୍କୁ ନର୍ଲାରୁ ଲଢ଼ିବାକୁ ଭକ୍ତଙ୍କ ଆହ୍ବାନ

ଭବାନୀପାଟଣା: ଆଜି ଭବାନୀପାଟଣ‌ାରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ। କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହିତ, ମୁଖ୍ୟମନ୍ତ୍ରୀ ନର୍ଲାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।

ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ନେବାପରେ ଭକ୍ତ ଆଜି ପ୍ରଥମଥର କଳାହାଣ୍ଡି ଗସ୍ତରେ ଆସିଥିଲେ। ଏହି ଅବସରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। କାମଠଣାଠାରୁ ଏକ ବାଇକ୍‌ ରାଲିରେ କଂଗ୍ରେସ କର୍ମୀମାନେ ଭବାନୀପାଟଣା ସହର ପରିକ୍ରମା କରି ଗାନ୍ଧୀଛକଠାରେ ପହଞ୍ଚିଥିଲେ। ସେଠାରେ କଂଗ୍ରେସର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ, ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସାଗର ଚରଣ ଦାସ, ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବଳଭଦ୍ର ମାଝୀ, ଧର୍ମଗଡ଼ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ରଶ୍ମିରେଖା ରାଉତ ଓ ଜୁନାଗଡ଼ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ତୁଲେଶ୍ବର ନାଏକଙ୍କ ସହ ବହୁ ବରିଷ୍ଠ ନେତା ଉଦ୍‌ବୋଧନ ଦେଇଥିଲେ।
୪୦ ବର୍ଷ ପରେ ଭକ୍ତ ନର୍ଲା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନର୍ଲାରେ ସେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ଇତିହାସ ସୃଷ୍ଟି କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏଥିସହିତ, ଯଦି ମୁଖ୍ୟମନ୍ତ୍ରୀଙ୍କ ଦମ୍‌ ଅଛି ତା’ ହେଲେ ନର୍ଲାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି କହି ଚାଲେଞ୍ଜ କରିଥିଲେ।

ସମ୍ବନ୍ଧିତ ଖବର