ବଜ୍ରପାତ ନେଲା ୫ ଜୀବନ: ମା’ଙ୍କ ସାମନାରେ ଚାଲିଗଲା ପୁଅର ଜୀବନ

ଗରଦପୁର/ଆଳି: ବଜ୍ରପାତରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ୍ ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା (୧୭) ଓ ପୁଣ୍ତିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୭୦), ବାରୁଣା ଗ୍ରାମର ଶିବ ପ୍ରସାଦ ସାହୁ (୬୫), ଓସ୍ତପୁର ପଞ୍ଚାୟତ ବୀରସ୍ବତି ଗାଁର ଅମ୍ବିକା ମଳିକ (୪୫) ଓ ଆଳି ଥାନା ଶାଳିଅଞ୍ଚ ଗ୍ରାମ ନିବାସୀ ବିଷ୍ଣୁ ଚରଣ ବେହେରାଙ୍କ ପୁଅ ଅନୀଲ ବେହେରା (୩୬)। ଆଶୁତୋଷ ସ୍ଥାନୀୟ ଲୋକନାଥ କଲେଜ୍‌ ଯୁକ୍ତ କଳା ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ସମ୍ମୁଖରେ ପରିସ୍ରା ଯାଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଘର ଦୁଆର ମୁହଁରେ ତାଙ୍କ ମା’ ମଧ୍ୟ ଉପସ୍ଥିତ ଥିଲେ। ମା’ ପୁଅକୁ ଘରକୁ ପଳାଇ ଆସିବାକୁ ଡାକୁଥିବା ବେଳେ ବଜ୍ରପାତ ହେବାରୁ ଆଶୁତୋଷଙ୍କ ବାମପଟ ଜଳିଯାଇଥିଲା। ତାଙ୍କୁ ମେଡିକାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କେନ୍ଦ୍ରାପଡ଼ାର ଆଳି, ରାଜନଗର, ଗରଦପୁର ତଥା ଅନ୍ୟ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବର୍ଷା, ପବନ, ବଜ୍ରପାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର