ଆକାଶମାର୍ଗରେ ଯୋଡ଼ିହେଲା ମାଲକାନଗିରି: ସପ୍ତଧାରା ପ୍ରକଳ୍ପ ପାଇଁ ୪୫୦୦ କୋଟି ଟଙ୍କା

ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୭୮୬ କୋଟିର ଅନୁଦାନ

ମାଲକାନଗିରି: ରୂପାନ୍ତର ଯାତ୍ରାରେ ଆଉ ପଦେ ଆଗେଇଛି ମାଲକାନଗିରି। ଆକାଶମାର୍ଗରେ ଯୋଡ଼ିହୋଇ ଇତିହାସ ରଚିଛି। ସ୍ବାଭିମାନ ଅଞ୍ଚଳରୁ ସମୃଦ୍ଧିର ଉଡ଼ାଣ ଭରି ଗମନାଗମନ କ୍ଷେତ୍ରକୁ ପ୍ରଶସ୍ତ କରିଛି। ମାଲକାନଗିରି ଏୟାରପୋର୍ଟ ଉଦ୍‌ଘାଟନ କରି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜିଲ୍ଲାବାସୀଙ୍କୁ ପାଖାପାଖି ପାଞ୍ଚହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଯାତ୍ରା କରି ମଧ୍ୟାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ୱାଟର କେନନ୍‌ ସାଲ୍ୟୁଟ୍ ପ୍ରଦାନ କରି ସ୍ବାଗତ ଜଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପାରମ୍ପରିକ ପୋଷାକରେ ବଣ୍ଡା ରମଣୀ ସ୍ବାଗତ କରିଥିଲେ। ଏୟାରପୋର୍ଟକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଟର୍ମିନାଲ ଗୃହ ଓ ଗେଷ୍ଟ୍‌ ହାଉସ୍‌ ବୁଲି ଦେଖିଥିଲେ। ଏହାପରେ ନବବର୍ଷର ଅଭିନନ୍ଦନ ଜଣାଇ ସମ୍ବୋଧନ ଆରମ୍ଭ କରିଥିଲେ। ମାଲକାନଗିରି ଆକାଶମାର୍ଗରେ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଶ୍ରୀପଟ୍ଟନାୟକ କହିଥିଲେ, ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ। ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଆକାଶରେ ଉଡ଼ିବାର ସ୍ବପ୍ନକୁ ପୂରଣ କରିଛନ୍ତି। ଏହାଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଦ୍ରୁତ ଉନ୍ନତି ହେବ।

୫-ଟି ଅଧ୍ୟକ୍ଷ କହିଥିଲେ, ମାଲକାନଗିରିକୁ ବିମାନସେବା ଏକ ଅବିଶ୍ବସନୀୟ ସ୍ବପ୍ନ ଥିଲା। ବିଶ୍ବାସ କରିହେଉନଥିବା ଭଳି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ସାକାର କରନ୍ତି। ଜିଲ୍ଲାବାସୀଙ୍କୁ ଭଲ ପାଉଥିବାରୁ ଟଙ୍କିକିଆ ଚାଉଳ, ବିଏସ୍‌କେୱାଇ କାର୍ଡ ଓ ଲକ୍ଷ୍ମୀ ବସ୍‌ ଯୋଜନା ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଶୁଭାରମ୍ଭ କରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସ ଗସ୍ତ ସମୟରେ ୮୫୦ ଅଭିଯୋଗ ଗ୍ରହଣ କରାଯାଇଥିଲା ଓ ସେଥିରୁ ୮୦୦ ସମାଧାନ ହୋଇଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪ହଜାର ୫ଶହ କୋଟି ଟଙ୍କା ଦିଆଯାଇଛି। ଏହାଛଡ଼ା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୭୮୬ କୋଟି ଅନୁଦାନ ପ୍ରଦାନ କରାଯାଇଛି। ଧାର୍ମିକ ଅନୁଷ୍ଠାନ, କଲେଜ ଓ ଗୋଷ୍ଠୀ କେନ୍ଦ୍ରର ଉନ୍ନତି ପାଇଁ ୧୬କୋଟି ଟଙ୍କା ମଞ୍ଜୁର ହୋଇଛି। ଯନ୍ତ୍ରୀ-ଧାକଡ଼ପଦର ରାସ୍ତା ଓ ପୋଲ ପାଇଁ ୧୯କୋଟି ୧୩ଲକ୍ଷ, ଘନବେଡା-କୋଡିନନ୍ଦୀ ରାସ୍ତା ଓ ପୋଲ ପାଇଁ ୨୭କୋଟି, ବିଷେଇଗୁଡା-ଯନ୍ତ୍ରୀ ରାସ୍ତା ଓ ପୋଲ ପାଇଁ ୪୨କୋଟି ୩୦ଲକ୍ଷ ଓ ମାଥିଲି ଶିବସାଗର ଉନ୍ନତି ପାଇଁ ୫କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଏସ୍‌ଡିସି ଉପଦେଷ୍ଟା ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ସଭାପତି ସମାରୀ ଟାଙ୍ଗୁଲ, ଏସ୍‌ଡିସି ଅଧ୍ୟକ୍ଷ ଆଡମା ରାବା, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କ୍ରୀଡା ଓ ଯୁବ ବ୍ୟାପାର ସଚିବ ଭିନୀଲ କ୍ରିଷ୍ଣା, ଡିଆଇଜି ଚରଣ ସିଂ ମୀନା, ମାଲକାନିଗିରି ଜିଲ୍ଲାପାଳ ବିଶାଲ ସିଂ, ଏସ୍‌ପି ନିତେଶ ୱାଧୱାନୀ ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ସମ୍ବନ୍ଧିତ ଖବର