ସହିହେଉନି ଲୋକଲଜ୍ଜା! ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡ଼ିତା ଆଶାକର୍ମୀ

ନିଖୋଜ ଥିଲେ, ରେଳ ଷ୍ଟେସନ୍‌ ନିକଟରୁ ଉଦ୍ଧାର

ଜଗତସିଂହପୁର : ସହି ପାରିଲେନି ଲୋକଙ୍କ ଟାହିଟାପରା! ସେଥିପାଇଁ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ପାାରାଦୀପର ଦୁଷ୍କର୍ମ ପୀଡ଼ିତା ଆଶା କର୍ମୀ। ରେଳଷ୍ଟେସନ୍‌ ନିକଟରେ ତାଙ୍କୁ ଏକୁଟିଆ ଦେଖି ସେଠାକାର କିଛିଲୋକ ଉଦ୍ଧାର କରିବା ପରେ ଜଣେ ମହିଳାଙ୍କ ଘରେ ନେଇ ରଖିଥିଲେ। ସୋମବାର ଦିନ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ନିଖୋଜ ଖବର ପ୍ରକାଶ ପାଇବା ପରେ ଆଶ୍ରୟଦାତା ମହିଳା ଓ ଗ୍ରାମବାସୀ ପୀଡ଼ିତାଙ୍କୁ ନେଇ ପାରାଦୀପରେ ତାଙ୍କ ପରିବାର ଜିମା ଦେଇଛନ୍ତି। ଏହି ଦୁଷ୍କର୍ମ ଘଟଣାରେ ଏଭଳି ନୂଆ ନୂଆ କଥା ସାମ୍ନାକୁ ଆସିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଗତ ମାସରେ ପାରାଦୀପ ଏମ୍ପାୟାର୍ସ ହୋଟେଲ ନିକଟରୁ ୪ ଜଣ ଯୁବକ ଏକ ନାଲି କାର୍‌ରେ ଏହି ଆଶାକର୍ମୀଙ୍କ ଉଠାଇ ନେଇ ନେହରୁ ବଙ୍ଗଳା ଆଡ଼କୁ ଯାଇଥିଲେ। ସେଠାରେ ୩ ଜଣ ଯୁବକ ସହଯୋଗ କରିଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ଏବେ କୁଜଙ୍ଗ ସାମଗୋଳ‌ ଜେଲ୍‌ରେ ଅଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଟିଆଇ ପରେଡ୍ କରାଯାଇଥିବା ବେଳେ ବାକି ଦୁଇ ଜଣଙ୍କର ଗତ ୩ ତାରିଖ ଦିନ ୧୧ଟାରେ ଟିଆଇ ପରେଡ୍‌ ହେବାର ଥିଲା। କିନ୍ତୁ, ସେହିଦିନ ସକାଳ ୮ଟା ବେଳେ ସଂପୃକ୍ତ ଆଶାକର୍ମୀ ଗାଁ ପାଖରେ ୩ ଜଣ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଯାଉଥିବା କହି ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଅପରାହ୍ନ ସୁଦ୍ଧା ସେ ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ନାନା ଆଶଙ୍କା କରି ଆଶାକର୍ମୀଙ୍କ ବାପା ପାରାଦୀପ ଆଦର୍ଶ ଥାନାରେ ଲିଖିତ ଭାବେ ଜଣାଇ ଝିଅକୁ ଖୋଜିବାକୁ ନିବେଦନ କରିଥିଲେ। ଆଶାକର୍ମୀଙ୍କ ମୋବାଇଲ୍‌ ଟ୍ରାକ୍‌ କରି ଏକ ପୁଲିସ୍‌ ଟିମ୍‌ କୁଜଙ୍ଗରେ ପହଞ୍ଚିଲା ବେଳକୁ ତାଙ୍କ ମୋବାଇଲ୍‌ ସୁଇଚ୍‌ଅଫ୍ ହୋଇଯାଇଥିଲା। ତେଣୁ କାଲି ଦିନତମାମ ବହୁ ଖୋଜାଖୋଜି ପରେ ମଧ୍ୟ ଆଶାକର୍ମୀଙ୍କ ସନ୍ଧାନ ମିଳି ନଥିଲା।

ଅନ୍ୟପକ୍ଷରେ, ଲୋକଲଜ୍ଜା ସହି ନପାରି ଆତ୍ମହତ୍ୟା କରିବା ପାଇଁ ଏକପ୍ରକାର ନିଷ୍ପତ୍ତି ନେଇଥିଲେ ବୋଲି ଉଦ୍ଧାର ପରେ କହିଛନ୍ତି ଆଶାକର୍ମୀ। ତେବେ, ଉଦ୍ଧାର କରିଥିବା ଯୁବକମାନେ କେମିତି ପରିବାର ଲୋକଙ୍କୁ ଯୋଗାଯୋଗ କଲେ ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ‌ଯେଉଁଦିନ ଟିଆଇ ପରେଡ୍ ହେବାର ଥିଲା, ସେହିଦିନ ହିଁ ସେ ନିଖୋଜ ହୋଇଯିବା ଘଟଣାକୁ ନେଇ କିଛିଲୋକଙ୍କ ମନରେ ବି ଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ଏହା ଏକ ସଂଯୋଗ ନା ଘଟଣା ପଛରେ ଆଉ କିଛି ରହସ୍ୟ ରହିଛି ? ଅଭିଯୁକ୍ତମାନେ ପୀଡ଼ିତାଙ୍କ ଉପରେ ଚାପ ପକାଉଛନ୍ତି ନା ପୁଲିସ ତଦନ୍ତ ପ୍ରକ୍ରିୟାରେ ପୀଡ଼ିତା ସହଯୋଗ କରିବାକୁ ଚାହୁଁ ନାହାନ୍ତି? ଏହିଭଳି ପ୍ରଶ୍ନ ସହିତ ଘଟଣା ଏବେ ଦିନକୁଦିନ ରହସ୍ୟାବୃତ୍ତ ହୋଇଯାଇଛି।

ସମ୍ବନ୍ଧିତ ଖବର