ବର୍ଷକରେ ଦୁଷ୍କର୍ମ ମାମଲା ୧୧% ବୃଦ୍ଧି

‌ଯୌତୁକ ନିର୍ଯାତନା ୩୨% ବଢ଼ିଛି, ହତ୍ୟା କମିଛି

ଭୁବନେଶ୍ବର : ଗତ ୩ବର୍ଷରେ ରାଜ୍ୟରେ ୧୪,୪୧୩ ଦୁଷ୍କମ ମାମଲା ହୋଇଛି। ଏପରିକି ଗୋଟିଏ ବର୍ଷରେ ଦୁଷ୍କର୍ମ ମାମଲାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ତଥ୍ୟରୁ ଏହି ସୂଚନା ମିଳିଛି।

୨୦୨୦ ମସିହାରେ ରାଜ୍ୟରେ ୨୯୮୪ ଦୁଷ୍କର୍ମ ମାମଲା ହୋଇଥିଲା। ୨୦୨୧ରେ ଏହା ବୃଦ୍ଧି ପାଇ ୩୩୨୭ରେ ପହଞ୍ଚିଛି। ମୟୂରଭଞ୍ଜରେ ସର୍ବାଧିକ ୨୬୧, ବାଲେଶ୍ବର ୧୭୨, ଗଞ୍ଜାମରେ ୧୬୮, ଯାଜପୁର ୧୫୮, କଳାହାଣ୍ଡି ୧୫୫, ନବରଙ୍ଗପୁର ୧୪୧, କେନ୍ଦୁଝର ୧୩୯ ଓ କେନ୍ଦ୍ରାପଡ଼ାରୁ ୧୩୩ଟି ମାମଲା ରୁଜୁ ହୋଇଛି। ବୌଦ୍ଧ‌ରେ ସର୍ବନିମ୍ନ ୧୫ଟି ମାମଲା ରହିଛି। ତେବେ ମୟୂରଭଞ୍ଜରେ ଗତ ୩ବର୍ଷ ହେବ ଦୁଷ୍କର୍ମ ମାମଲା ବଢ଼ି ଚାଲିଛି। ୨୦୧୯ରେ ମୟୂରଭଞ୍ଜରେ ୨୦୩ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨୫୮ ଓ ୨୦୨୧ରେ ଏହା ୨୬୧କୁ ବୃଦ୍ଧି ପାଇଛି।

ସେହିପରି ନାବାଳିକା ଦୁଷ୍କର୍ମ ମାମଲା ମଧ୍ୟ ବଢ଼ି ଚାଲିଛି। ୨୦୧୯ରେ ନାବାଳିକା ଦୁଷ୍କର୍ମ ମାମଲା ୧୬୩୫ ଥିବା ବେଳେ ୨୦୨୦ରେ ୧୬୪୬ ଓ ୨୦୨୧ରେ ୧୮୭୧କୁ ବୃଦ୍ଧି ପାଇଛି। ହେଲେ ଯୌତୁକ ଜନିତ ହତ୍ୟା ମାମଲାରେ ରାଜ୍ୟକୁ ସାମାନ୍ୟ ଅଶ୍ବସ୍ତି ମିଳିଥିଲେ ହେଁ ନିର୍ଯାତନାରେ ବୃଦ୍ଧି ହୋଇଛି। ୨୦୧୯ରେ ରାଜ୍ୟରେ ୩୪୧ଟି ‌ଯୌତୁକ ଜନିତ ହତ୍ୟା ରୁଜୁ ହୋଇଥିବା ବେଳେ ୨୦୨୦ରେ ୩୨୦ ଓ ୨୦୨୧ରେ ଏହା ୨୯୩କୁ ଖସି ଆସିଛି। ଯୌତୁକ ଜନିତ ନିର୍ଯାତନା ମାମଲା ୨୦୧୯ରେ ୩୭୫୬ଟି ଥିବା ବେଳେ ୨୦୨୦ରେ ୩୭୫୯ ଓ ୨୦୨୧ରେ ୪୯୫୩ରେ ପହଞ୍ଚିଛି। ଗୋଟିଏ ବର୍ଷରେ ଏଥିରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ଅପରପକ୍ଷରେ ରାଜ୍ୟମାନଙ୍କ ସହିତ ତୁଳନା କଲେ ମହିଳାଙ୍କ ଉପରେ ହେଉଥିବା ଅପରାଧରେ ୨୦୨୦ ମସିହାରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର